ଏସ୍‌ବିଆଇର ପୂର୍ବତନ କର୍ମଚାରୀ ଗିରଫ

ମ୍ୟୁଚୁଆଲ୍‌ ଫଣ୍ଡ ନାଁରେ କୋଟିଏ ଠକେଇ

ଏସ୍‌ବିଆଇର ପୂର୍ବତନ କର୍ମଚାରୀ ଗିରଫ

The Financial Express

ଭୁବନେଶ୍ବର: ମ୍ୟୁଚୁଆଲ୍ ଫଣ୍ଡ‌‌ରେ ପୁଞ୍ଜି ବିନିଯୋଗ ନାଁରେ ଗ୍ରାହକଙ୍କଠାରୁ କୋଟିଏରୁ ଊର୍ଧ୍ବ ଟଙ୍କା ଚଳୁ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ୍‌ ଆଜି ଏସ୍‌ବିଆଇର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲା, ସୁବ୍ରତ କୁମାର ମହାନ୍ତି (୩୬)। ପୁଲିସ୍‌ ଆଜି ତାକୁ ତା’ ପୁରୀ ଜିଲ୍ଲାସ୍ଥିତ ଅସ୍ତରଙ୍ଗ ଘରୁ ଗିରଫ କରିଛି। ବଡ଼ଧରଣର ଠକେଇ ହୋଇଥିବାରୁ ଏଥିରେ ଅନେକ କର୍ମଚାରୀ ସାମିଲ୍‌ ଥିବା ପୁଲିସ ସନ୍ଦେହ କରିଛି। ତେଣୁ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ପୁଲିସ୍‌ ଯୋଜନା କରୁଛି।

ପୁଲିସ୍‌ ସୂଚନା ମୁତାବକ, ପଳାସୁଣୀ ଅଞ୍ଚଳରେ ଥିବା ଏସ୍‌ବିଆଇ ଶାଖାରେ କିଛି ଗ୍ରାହକଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିବା ଦେଖି ବ୍ରାଞ୍ଚ ମ୍ୟାନେଜର୍‌ ଗ୍ରାହକଙ୍କ ସହ ଯୋଗାଯୋଗ କରିଥିଲେ। ସେଭିଙ୍ଗସ୍‌ ଆକାଉଣ୍ଟରେ ମାତ୍ର ୩ରୁ ୪ପ୍ରତିଶତ ସୁଧ ମିଳୁଥିବାରୁ ଏଗୁଡ଼ିକୁ ଏସ୍‌ବିଆଇର ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ପାଇଁ ପରାମର୍ଶ ଦେଇଥିଲେ। ଖୋଦ୍‌ ବ୍ରାଞ୍ଚ ମ୍ୟାନେଜର୍‌ ଏମିତି କହୁଥିବାରୁ, ତାଙ୍କ ଉପରେ ଭରସା କରି ୯ରୁ ୧୦ଜଣ ଗ୍ରାହକ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ବ୍ରାଞ୍ଚ ମ୍ୟାନେଜର୍‌ ବ୍ୟାଙ୍କ କର୍ମଚାରୀ ସୁବ୍ରତଙ୍କ ସହ ସେମାନଙ୍କ ପରିଚୟ କରାଇବା ସହ ମ୍ୟୁଚୁଆଲ୍‌ ଫଣ୍ଡରେ ଖାତା ଖୋଲିବା ପାଇଁ କହିଥିଲେ।

ତଦନୁଯାୟୀ, ୨୦୧୭ ମସିହାରେ ୧୦ରୁ ଅଧିକ ଗ୍ରାହକ କୋଟିଏରୁ ଊର୍ଧ୍ବ ଟଙ୍କା ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିଥିଲେ। ଏହାର କାଗଜପତ୍ର ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ୨୦୨୧ ସେପ୍ଟେମ୍ବରରେ ମାଚ୍ୟୁରିଟି ହେବାରୁ ଗ୍ରାହକମାନେ ଟଙ୍କା ପାଇଁ ବ୍ୟାଙ୍କକୁ ଯାଇଥିଲେ। ହେଲେ ସେମାନଙ୍କ ନାଁରେ ସେଭଳି କୌଣସି ଆକାଉଣ୍ଟ ଖୋଲାଯାଇ ନଥିବା ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ କୁହାଯାଇଥିଲା। ଏ ସଂପର୍କରେ ଠକେଇର ଶିକାର ଗ୍ରାହକମାନେ ବ୍ୟାଙ୍କ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ସୁବ୍ରତଙ୍କୁ ବହୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବାରୁ ଏହାର ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍‌କୁ ଦାୟିତ୍ବ ଦିଆଯାଇଥିଲା। ମାସେ କାଳ ଦୌଡ଼ାଦୌଡ଼ି ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ନ ଫେରାଇବାରୁ ଗ୍ରହକମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe