ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି ଓଡ଼ିଶା: ରାଜ୍ୟପାଳ

Advertisment

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି ଓଡ଼ିଶା: ରାଜ୍ୟପାଳ

ଭୁବନେଶ୍ୱର : ଭାରତର ସଂସ୍କୃତି, କଳା ଓ ପରମ୍ପରା ସ୍ୱତନ୍ତ୍ର। ସେଥିମଧ୍ୟରୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ବିଶ୍ୱବିଦିତ ହୋଇପାରିଛି। ପଟ୍ଟଚିତ୍ର, ତାଳପତ୍ର, ପଥର ଶିଳ୍ପ, ଚିତ୍ରକଳା ଭାରତୀୟ କଳା, ସ୍ଥାପତ୍ୟକୁ ସମୃଦ୍ଧ କରିଛି ବୋଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ. ଏସ୍‌.ସି. ଜମିର କହିଛନ୍ତି।

ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଡ. ଜମିର କହିଲେ, ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ଦେବାର ଆବଶ୍ୟକତା ରହିଛି। ବର୍ତମାନ ସମୟକୁ ଦୃଷ୍ଟିରେ ରଖି ଆମକୁ ଶ୍ରେଷ୍ଠ ୨୦୦ ମଧ୍ୟରେ ସାମିଲ ହେବାକୁ ପଡ଼ିବ। ଏ ଦିଗରେ ଯେଉଁ ସବୁ ଚ୍ୟାଲେଞ୍ଜ ଆସୁଛି ତାହାକୁ ସମ୍ମୁଖୀନ ହୋଇ ବିଶ୍ୱସ୍ତରୀୟ ଗବେଷଣା କରିବାକୁ ହେବ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପାଠ୍ୟକ୍ରମ ପ୍ରଣୟନ କରିବା ସହ ପୂର୍ବରୁ ଥିବା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦରକାର। ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡ଼ିବାର ସମୟ ଆସିଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଲକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବିଶ୍ୱବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ କୋଠା ଲାଗି ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରିନି। ହଷ୍ଟେଲରେ ଥିବା ପାଣି ସମସ୍ୟା ସମାଧାନ ନେଇ ଆଲୋଚନା ହୋଇଛି। ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ଲାଗି ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଲାଗି ବ୍ୟବସ୍ଥା କରାଯାଇଛି। ଭାଗବତ ଟୁଙ୍ଗୀକୁ ଦିଆଯାଉଥିବା ଅର୍ଥକୁ ବୃଦ୍ଧି କରିବାକୁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ମିଶ୍ର ସ୍ୱାଗତ ଭାଷଣ ଦେଇ କହିଲେ ଦକ୍ଷିଣ କୋରିଆ, ବ୍ରାଜିଲ୍‌, ଦକ୍ଷିଣ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି। ୟୁଜିସି ୧୨(ବି)ରେ ସାମିଲ ହେବା ପ୍ରଥମ ଲକ୍ଷ୍ୟ ରହିଛି। ତାହାକୁ ହାସଲ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସେ କହିଥିଲେ। କୁଳସଚିବ ସୁମନ ଦାସ ବାର୍ଷିକ ବିବରଣୀ ପାଠ କରି ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ୍‌, ଅନ୍‌ଲାଇନ୍‌ ନାମଲେଖା, ଫର୍ମ ପୂରଣ, ଫଳ ପ୍ରକାଶ କରାଯାଉଛି। ଇ-ପାଠାଗାର କରିବାକୁ ଯୋଜନା ଚାଲିଛି ବୋଲି କହିଥିଲେ। ଶେଷରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ଜଗନ୍ନାଥ କୁଅଁର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ନ୍ୟୁଜ୍‌ ଲେଟର୍‌ ‘ସଂସ୍କୃତି’ ଓ ସାହିତ୍ୟ ପତ୍ରିକା ‘ରୂପାୟନ’କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe