କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌ର ୪ ଗିରଫ, ସୁନା ଗହଣା, ୨୫ ହଜାର ଟଙ୍କା, ୧୦ ମୋବାଇଲ୍ ଓ ୨ ବାଇକ୍‌ ଜବତ

କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌ର ୪ ଗିରଫ, ସୁନା ଗହଣା, ୨୫ ହଜାର ଟଙ୍କା, ୧୦ ମୋବାଇଲ୍ ଓ ୨ ବାଇକ୍‌ ଜବତ

ଧଉଳି : ପୁରୀ ଜିଲ୍ଲା ପିପିଲି, କଣାସ, ଡେଲାଙ୍ଗ, ଚନ୍ଦନପୁର ଓ ସାତଶଙ୍ଖ ଥାନା ଅଞ୍ଚଳରେ ଡକାୟତି କରୁଥିବା ଏକ କୁଖ୍ୟାତ ଗ୍ୟାଙ୍ଗର ୪ ଜଣଙ୍କୁ ଆଜି ଉତ୍ତରା ଫାଣ୍ଡି ପୁଲିସ ଗିରଫ କରିଛି। ସେମାନେ ହେଲେ, ପିପିଲି ଥାନା ଅଧୀନ ହରିଅନ୍ତା ଗ୍ରାମର ରାକେଶ ସ୍ବାଇଁ ଓରଫ ପପୁନି (୨୩), ସେହି ଥାନା ଅଧୀନ କୃଷ୍ଣପୁର ଗ୍ରାମର ପ୍ରଦୀପ୍ତ ବେହେରା ଓରଫ ସିପୁ (୨୧), ଆଶୁତୋଷ ନାୟକ (୨୩) ଓ ବ୍ରହ୍ମଗିରି ଥାନା ଅଧୀନ ସାହସପୁର ଗ୍ରାମର ମନୋଜ ନାୟକ (୨୪)। ସେମାନଙ୍କ ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ୨୫ହଜାର ଟଙ୍କା, ୧୦ଟି ଦାମୀ ମୋବାଇଲ ଫୋନ୍‌, ଗୋଟିଏ ଭ୍ୟାନିଟି ବ୍ୟାଗ୍‌ ଓ ଦୁଇଟି ବାଇକ୍‌ ଜବତ କରିଛି। ଜାତୀୟ ରାଜପଥ ସମେତ ଉପରୋକ୍ତ ଅଞ୍ଚଳର ବିଭିନ୍ନ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରି ଏହି ଗ୍ୟାଙ୍ଗ୍‌ ଡକାୟତି କରୁଥିବା ପୁଲିସ ସୂଚନା ଦେଇଛି। ଦିନରେ ଛିନ୍‌ତାଇ କରୁଥିବା ଏହି ଗ୍ୟାଙ୍ଗ୍‌ ରାତିରେ ଡକାୟତି କରୁଥିବା ଜଣାପଡ଼ିଛି।

ପୁଲିସ ସୂଚନାନୁସାରେ, ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁରୁପାଇଲ ଗ୍ରାମର ଲିଙ୍ଗରାଜ ମଲ୍ଲିକ ଗତ ୧୮ ତାରିଖ ଦିନ ଅଟୋ ଯୋଗେ ଘରକୁ ଫେରୁଥିଲେ। ସେ ଡାହାଣ ପଟେ ଅଟୋ ସାଇଡ୍‌ରେ ବସି ମୋବାଇଲ ଫୋନ୍‌ରେ କଥା ହେଉଥିଲେ। ସେହି ସମୟରେ ରାକେଶ ଓ ଆଶୁତୋଷ ବାଇକ୍‌ରେ ପଛରୁ ଯାଇ ତାଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଲିଙ୍ଗରାଜ ଉତ୍ତରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଫୋନ ଟ୍ରାକିଂ କରି ଗୁଡ଼ିଆପୋଖରୀ ଅଞ୍ଚଳରୁ ରାକେଶ ଓ ଆଶୁତୋଷକୁ ଗିରଫ କରିଥିଲା। ପରେ ସେମାନଙ୍କ ସୂଚନାକୁ ଆଧାରରେ ପିପିଲି ପୁଲିସ ସହଯୋଗରେ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe