Image Courtesy of India Today
ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରସ୍ତୁତ ହୋଇଥିବା ଟିକାକରଣ ଚିଠାରୁ ୪ ପଞ୍ଚାୟତ ବାଦ୍ ପଡ଼ିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ କଥାରେ ତାଳମେଳ ରହୁନଥିବାରୁ ଲୋକଙ୍କ ଭିତରେ ଅଧିକ ଅସନ୍ତୋଷ ସୃଷ୍ଟି ହୋଇଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ମିଳିଥିବା ସୂଚନାନୁସାରେ ସାଧାରଣ ଲୋକଙ୍କ ପାଇଁ ୧୪ ଶହ ଟିକା ଆସିଛି। ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ବୃଦ୍ଧାଶ୍ରମ ଲୋକଙ୍କ ପାଇଁ ଅଧିକ ୧ଶହ ଟିକା ରଖାଯାଇଛି। ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୩ଟି ପଞ୍ଚାୟତରେ ଟିକାକରଣ ଚାଲିବ। କିନ୍ତୁ ଏହି ତାଲିକାରେ ପମ୍ପାଲୋ, କୁରୁଞ୍ଜିପୁର, ମାର୍ଥାପୁର ଏବଂ ଆମେଣାକୁଦ ପଞ୍ଚାୟତର ନାଁ ନାହିଁ। ତେଣୁ ଏହି ସବୁ ପଞ୍ଚାୟତରେ ଏହି ଅବଧି ଭିତରେ ଟିକାକରଣ ବନ୍ଦ ରହିବ ବୋଲି ଜଣାପଡ଼ିଛି। ତେବେ କାହିଁକି ଚିଠାରୁ ଏହି ୪ ପଞ୍ଚାୟତକୁ ବାଦ୍ ଦିଆଯାଇଛି ବୋଲି ପ୍ରଶ୍ନ ହେବା ପରେ ପ୍ରଶାସନ ତରଫରୁ ସନ୍ତୋଷଜନକ ଉତ୍ତର ମିଳିନାହିଁ। ବିଡିଓ ଆଦିକନ୍ଦ ବେହେରାଙ୍କ ସୂଚନାନୁସାରେ ମେଡିକାଲ ତରଫରୁ ଏହି ଚିଠା ପ୍ରସ୍ତୁତ ହୋଇଛି। ଏଣେ ମେଡିକାଲ ବିପିଏମ୍ ତପନ କୁମାର ମଣ୍ଟୁଙ୍କ ସୂଚନାନୁସାରେ ବିଡିଓଙ୍କ ପରାମର୍ଶ କ୍ରମେ ଏହି ଚିଠା ହୋଇଛି। ସେ ପୁଣି କହିଛନ୍ତି ଯେ ଏହି ସପ୍ତାହରେ ଆଉ ୨ ଶହ ଟିକା ଆସିବ ଓ ବାଦ୍ ପଡ଼ିଥିବା ପଞ୍ଚାୟତକୁ ଦିଆଯିବ। ମାତ୍ର ଏହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ୧୩ ପଞ୍ଚାୟତ ପାଇଁ ଶହେ ଲେଖାଏ ୧୩ ଶହ ଟିକା ମିଳିବ। ଅଥଚ ବାଦ୍ ପଡ଼ିଥିବା ୪ ପଞ୍ଚାୟତ ପାଇଁ ୨ ଶହ ଟିକା କିପରି ହେବ? ପ୍ରଶାସନର ଏହି ପାତରଅନ୍ତର ନୀତି ବିରୋଧରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ବାଲିପାଟଣା ବ୍ଲକରେ ଶହେ ଦିନରୁ ଅଧିକ ବିତିବା ପରେ ବି ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମିଳୁନାହିଁ। ଏଭଳି ସ୍ଥିତିରେ ବ୍ଲକ ପ୍ରଶାସନ ପାତରଅନ୍ତର ନୀତି କରି ଲୋକଙ୍କ ଧୈର୍ଯ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି।
Follow Us