ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ : କୁଖ୍ୟ‌ାତ ଗ୍ୟାଙ୍ଗ୍‌ର ୪ ଡକାୟତ ଗିରଫ

Advertisment

ମାରଣାସ୍ତ୍ର, ନିଶା ସ୍ପ୍ରେ’ ଓ ଲଙ୍କାଗୁଣ୍ଡ ଜବତ

ମାରଣାସ୍ତ୍ର, ନିଶା ସ୍ପ୍ରେ’ ଓ ଲଙ୍କାଗୁଣ୍ଡ ଜବତ

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ : କୁଖ୍ୟ‌ାତ ଗ୍ୟାଙ୍ଗ୍‌ର ୪ ଡକାୟତ ଗିରଫ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳରେ କୌଣସି ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ରାଜଧାନୀର ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଣ୍ଡାପାର୍କ ବସ୍ତି‌ର ଜିତେନ୍ ନାୟକ (୧୯), ତୋଫାନ୍ ନାୟକ (୩୪), ସୀତାନାଥ ବସ୍ତିର ଅମିୟ କୁମାର ଦାସ(୨୬) ଓ ଭକ୍ତିବିହାରର ମିଞ୍ଜା ନାୟକ(୨୮)। ମିଞ୍ଜା ଏହି ଗ୍ୟାଙ୍ଗ୍‌ର ମୁଖିଆ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ଦୁଇଟି ଶାବଳ, ଗୋଟିଏ ଭୁଜାଲି, ଛୁରି, ହାତୁଡ଼ି, ଟର୍ଚ୍ଚ ଲାଇଟ୍, ଲଙ୍କାଗୁଣ୍ଡ ଓ ନିଶା ସ୍ପ୍ରେ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ୍ ସୂଚନା ଅନୁଯାୟୀ ରବିବାର ରାତିରେ ପଣ୍ଡାପାର୍କ ବସ୍ତି ଅଞ୍ଚଳରେ ଗଣ୍ଡଗୋଳ ହେଉଥିବା ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। କିନ୍ତୁ ସେଭଳି କିଛି ଘଟଣା ନ ଥିବା ଦେଖି ପୁଲିସ ଟିମ୍‌ ଫେରିଥିଲା। ତେବେ ପାର୍କ ନିକଟ ଏକ ଅନ୍ଧାରିଆ ସ୍ଥାନରେ କିଛି ଯୁବକ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖି ପୁଲିସ ଟିମ୍‌ ଅଟକିଥିଲା। ପୁଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଲିସ ଟିମ୍‌ ସେମାନଙ୍କୁ ଘେରିଯାଇ କାବୁ କରି ନେଇଥିଲା। ସେମାନେ ସେହି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି କରିବା ଯୋଜନାରେ ଥିଲେ ବୋଲି ମାନି ଯାଇଥିଲେ। ଏହି ଗ୍ୟାଙ୍ଗ୍‌ ସବୁ ପ୍ରକାର ଡକାୟତି ଓ ଲୁଟ୍‌ କରିଥାନ୍ତି। ରାସ୍ତାରେ ଲୋକଙ୍କଠାରୁ ଛିନ୍‌ତାଇ କରିବାଠାରୁ ଆରମ୍ଭ କରି ଗାଡ଼ିମଟର ଅଟକାଇ ଲୁଟ୍‌ପ‌ାଟ କରନ୍ତି। ତେବେ ଘରେ ପଶି ଡକାୟତି କରିବାରେ ଏହି ଗ୍ୟାଙ୍ଗ୍‌ର କୁଖ୍ୟାତି ରହିଛି। କବାଟ, ଝରକା ତାଡ଼ି ଘରେ ପଶିବା ପରେ ଘରଲୋକଙ୍କୁ ନିଶା ସ୍ପ୍ରେ ଦ୍ବାରା ସଂଜ୍ଞାହୀନ କରି ଦିଅନ୍ତି। କୌଣସି କାରଣରୁ ପରିବାର ଲୋକେ ଉଠି ପଡ଼ି ପ୍ରତିବାଦ କଲେ, ଏମାନେ ଭୁଜାଲି ଓ ଛୁରି ଭଳି ମାରଣାସ୍ତ୍ରରେ ଆକ୍ରମଣ କରନ୍ତି। ସେହିଭଳି ଆବଶ୍ୟକସ୍ଥଳେ ଘଟଣାସ୍ଥଳରୁ ଖସିବା ପଳାଇବା ପାଇଁ ଏହି ଗ୍ୟାଙ୍ଗ୍‌ ଲଙ୍କାଗୁଣ୍ଡ ମଧ୍ୟ ବ୍ୟବହାର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe