ବାବାଙ୍କ ବେଆଇନ ବେପାର: ଗୋଦାମରୁ ୮୦ ସିଲିଣ୍ଡର ଜବତ

ବାବାଙ୍କ ବେଆଇନ ବେପାର: ଗୋଦାମରୁ ୮୦ ସିଲିଣ୍ଡର ଜବତ

ଖଣ୍ଡଗିରି: ରବିବାର ଯାଁଳା ଫାଣ୍ଡି ପୁଲିସ ସ୍ଥାନୀୟ ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ନିକଟ ବଜାରରୁ ଏକ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଡିପୋ ଠାବ କରିଛି। ସେଠାରୁ ପୁଲିସ ୮୦ଟି ଗ୍ୟାସ୍‌ ଭର୍ତି ସିଲିଣ୍ଡର ଜବତ କରିଛି। ବେଆଇନ ଭାବେ ଗ୍ୟାସ ମହଜୁଦ୍‌ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ସ୍ଥାନୀୟ ବାବା ଅଜୟ ପଟ୍ଟନାୟକଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି। ଲାଇସେନ୍‌ସ ନଥିବା ବାବାଙ୍କ ଚୋରା ଗୋଦାମରୁ ଏତେ ପରିମାଣର ଗ୍ୟାସ୍‌ ଭର୍ତି ସିଲିଣ୍ଡର୍‌ ଜବତ ମାମଲା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାହକମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଣରେ ଏବେ ବହୁ କଟକଣା ସତ୍ତ୍ୱେ ପୁଣି କଳାବଜାର ହୋଇପାରୁଥିବା ସ୍ପଷ୍ଟ ହୋଇଛି। ପୁଲିସ ସୂଚନାନୁସାରେ, ଏକ ଗ୍ୟାସ୍‌ ସିଲିଣ୍ଡର୍‌ ବୋଝେଇ ଟ୍ରକ୍‌ରୁ ଟାଙ୍କି ଚୋରିର ଚେର ଖୋଜୁ ଖୋଜୁ ଏହି ଚୋରା ଗୋଦାମ ଠାବ ହୋଇଛି। ଶନିବାର ରାତିରେ ଜଟଣୀ ଗ୍ୟାସ୍‌ ଡିପୋରୁ ମାଲ୍‌ ନେଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଟ୍ରକ୍‌ ଓଗାଳପଡ଼ାଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା। ଚାଳକ ହେଲପରକୁ ଟ୍ରକ୍‌ ଜଗିବାକୁ କହି ଘରକୁ ପଳାଇଥିଲେ। ସକାଳୁ ଦେଖିବା ବେଳକୁ ଟ୍ରକ୍‌ରୁ ୬ଟି ଗ୍ୟାସ୍‌ ସିଲିଣ୍ଡର ଚୋରି ହୋଇ ଯାଇଥିଲା। ଖବର ପାଇ ଟ୍ରକ୍‌ ମାଲିକ ଯାଁଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ଯାଁଳା ଫାଣ୍ଡି ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଜୟଙ୍କ ଘରେ ଚଢ଼ଉ କରିଥିଲା।

publive-image

ଅଜୟ ବେଆଇନ ଭାବେ ଏହି କାରବାର କରୁଥିଲେ ବି କେବେ ଟ୍ରକ୍‌ରୁ ମାଲ୍‌ ଚୋରି କରନ୍ତି ନାହିଁ ବୋଲି ପୁଲିସକୁ କହିଛନ୍ତି ବରଂ ଟ୍ରକ ଚାଳକମାନେ ଗୋଟିଏ କିମ୍ବା ଦୁଇଟି କରି ସିଲିଣ୍ଡର ତାଙ୍କୁ ଦେଇଥାନ୍ତି ଓ ସେ ବିକ୍ରି କରିବା ପରେ ଟଙ୍କା ଓ ଖାଲି ସିଲିଣ୍ଡର ଫେରାଇଥାନ୍ତି। ଡିପୋ ଓ ଡିଲର ମଧ୍ୟରେ ହିସାବ କିତାବ କଥା ଚାଳକ ତୁଲାଇଥାଏ। ଶନିବାର ରାତିରେ ଟ୍ରକ୍‌ରୁ ହୋଇଥିବା ୬ଟି ସିଲିଣ୍ଡର୍‌ ଚୋରି ବାବଦରେ ସେ କିଛି ଜାଣି ନଥିବା କହିଛନ୍ତି। ତେଣୁ ଡିପୋରୁ ଉଠିଥିବା ସିଲିଣ୍ଡରଗୁଡ଼ିକ ନମ୍ବର ମେଳ କଲେ ପ୍ରକୃତ ସତ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅଜୟଙ୍କ କଥାରେ କିଛି ସତ ରହିଥିବା ମଧ୍ୟ ସ୍ପଷ୍ଟ। କାରଣ ତାଙ୍କ ଗୋଦାମରୁ ୮୦ଟି ସିଲିଣ୍ଡର ଜବତ ହୋଇଥିବା ବେଳେ ଗୋଟିଏ ଟ୍ରକ୍‌ରୁ ମାତ୍ର ୬ଟି ଚୋରି ଅଭିଯୋଗ ହୋଇଛି। ତେଣୁ ଅନ୍ୟଗୁଡ଼ିକ ଟ୍ରକ୍‌ ଚାଳକମାନେ ଦେଇଥିବା ବାରି ହୋଇପଡ଼ୁଛି। ଆସନ୍ତାକାଲି ଖୋର୍ଧା ଜିଲ୍ଲା ଯୋଗାଣ ବିଭାଗ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ମାମଲା କରାଯିବ ବୋଲି ଯାଁଳା ଫାଣ୍ଡି ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe