ଯୋଗ୍ୟତା ନ ଥିବା ବ୍ୟକ୍ତି ହାତେଇଛନ୍ତି ପଦବି

Advertisment

ଔଷଧ ନିଗମରେ ନିଯୁକ୍ତି ଜାଲିଆତି

ଔଷଧ ନିଗମରେ ନିଯୁକ୍ତି ଜାଲିଆତି

ଯୋଗ୍ୟତା ନ ଥିବା ବ୍ୟକ୍ତି ହାତେଇଛନ୍ତି ପଦବି

ଭୁବନେଶ୍ୱର: ରାଜ୍ୟ ଔଷଧ ନିଗମ ନିଯୁକ୍ତିରେ ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଯୋଗ୍ୟତା ଓ ଅଭିଜ୍ଞତା ନ ଥିବା କିଛି ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଘଟଣାକୁ ପ୍ରାୟ ୨ବର୍ଷ ବିତିବାକୁ ବସିଥିବା ବେଳେ ଏହାର ଯାଞ୍ଚ ତ ଦୂରର କଥା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନାହିଁ। ସୂଚନା ଅନୁଯାୟୀ, ୨୦୧୬ ମସିହା ଅକ୍ଟୋବରରେ ରାଜ୍ୟ ଔଷଧ ନିଗମରେ ୯ଟି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏସବୁ ପଦବିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ବ୍ୟକ୍ତିଙ୍କ ଆବଶ୍ୟକ ଯୋଗ୍ୟତା କିମ୍ବା ଅଭିଜ୍ଞତା ନାହିଁ। ମ୍ୟାନେଜର ପ୍ରକ୍ୟୁରମେଣ୍ଟ(ଡ୍ରଗ୍‌ସ ଏଣ୍ଡ ସର୍ଜିକାଲ) ପଦ ପାଇଁ ବି.ଫାର୍ମା ସହ ଅତି କମ୍‌ରେ ୬୦ ପ୍ରତିଶତ ନମ୍ବର ଓ ପ୍ରକ୍ୟୁରମେଣ୍ଟ ଇନ୍‌ ଡ୍ରଗ୍‌ ଏଣ୍ଡ ସର୍ଜିକାଲ କିମ୍ବା ହେଲ୍‌ଥ କେୟାର କମୋଡିଟିଜରେ ୩ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ମାତ୍ର ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ଏଭଳି କୌଣସି ଅଭିଜ୍ଞତା ନାହିଁ। ପୂର୍ବରୁ ସେ ଭିଏସ୍‌ଏସ୍‌ ମେଡିକାଲରେ ଚାକିରି କରୁଥିଲେ ହେଁ ମନଇଚ୍ଛା ନିୟମ ଭାଙ୍ଗି ଔଷଧ ନିଗମରେ ନିଯୁକ୍ତି ପାଇଛନ୍ତି। ପରବର୍ତୀ ସମୟରେ ଔଷଧ ନିଗମରୁ ଚାକିରି ଛାଡ଼ି ପୁଣିଥରେ ଭିଏସ୍‌ଏସ୍‌ ମେଡିକାଲ କଲେଜକୁ ଫେରି ଯାଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ଏକ ସମୟରେ କିଭଳି ଦୁଇ ଦୁଇଟି ଚାକିରି କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ଆସିଷ୍ଟାଣ୍ଟ ମ୍ୟାନେଜର (ଡ୍ରଗ୍‌ସ ଏଣ୍ଡ ସର୍ଜିକାଲ) ପଦବି ନିଯୁକ୍ତିରେ ମଧ୍ୟ ଜାଲିଆତି ହୋଇଛି। ଏକ ଘରୋଇ ମେଡିକାଲ କଲେଜରେ ଫାର୍ମାକଲୋଜି ବିଭାଗରେ ଅଧ୍ୟାପକ ଥିବା ବ୍ୟକ୍ତିଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି। ତାଙ୍କର ମଧ୍ୟ ଏଥିରେ ଆବଶ୍ୟକ ଅଭିଜ୍ଞତା ନାହିଁ। ତଥାପି ସେ ଏହି ପଦବି ହାତେଇବାରେ ସଫଳ ହୋଇଛନ୍ତି। କାହା ପ୍ରୋତ୍ସାହନରେ ଏଭଳି ନିଯୁକ୍ତି ଦିଆଯାଇଛି, ତାହାର ତଦନ୍ତ କରାଯିବାକୁ ଦାବି ହୋଇଛି। ପୂର୍ବରୁ ଔଷଧ ନିଗମରେ ମଧ୍ୟ ଏଭଳି ଜାଲିଆତି ନଜରକୁ ଆସିଥିଲା। ମ୍ୟାନେଜର୍‌ (ଲଜିଷ୍ଟିକ)ରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଜାଲ ପ୍ରମାଣପତ୍ର ପାଇଁ ଚାକିରିରୁ ବହିଷ୍କାର କରାଯାଇଥିଲା। ରାଜ୍ୟ ଔଷଧ ନିଗମ କର୍ତୃପକ୍ଷ ମଧ୍ୟ ଏହି ଜାଲିଆତି ସଂପର୍କରେ ଅବଗତ ଥିବା କହିଛନ୍ତି। କିଛି ମାସ ପୂର୍ବରୁ ଏହା ନଜରକୁ ଆସିଛି ଓ ଏହାର ତଦନ୍ତ ଚାଲିଥିବା କର୍ତୃପକ୍ଷ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe