କନ୍‌ସାଲଟାନ୍ସ ଖୋଲି ଚାକିରି ଦେବା ନାଁରେ ଠକେଇର ଗୁମର ଫିଟିଲା: ଭଦ୍ରକରୁ ଧରାହେଲା ମାଷ୍ଟରମାଇଣ୍ଡ ଅନିଲ

Advertisment

୩୮୭ ଚାକିରି ଆଶାୟୀଙ୍କଠାରୁ ଲୁଟିଛି ୬୦ ଲକ୍ଷ

୩୮୭ ଚାକିରି ଆଶାୟୀଙ୍କଠାରୁ ଲୁଟିଛି ୬୦ ଲକ୍ଷ

କନ୍‌ସାଲଟାନ୍ସ ଖୋଲି ଚାକିରି ଦେବା ନାଁରେ ଠକେଇର ଗୁମର ଫିଟିଲା: ଭଦ୍ରକରୁ ଧରାହେଲା ମାଷ୍ଟରମାଇଣ୍ଡ ଅନିଲ

ଅନ୍ୟ କନସଲ୍‌ଟାନ୍ସି ସଂସ୍ଥାକୁ ବି କରିଥିଲା ଟାର୍ଗେଟ୍‌
ପୂର୍ବରୁ ଧରା ହୋଇଥିଲା ହରିୟାଣାର ଗାର୍ଲଫ୍ରେଣ୍ଡ୍‌

ଭୁବନେଶ୍ବର : ରାଜଧାନୀରେ କନ୍‌ସାଲଟାନ୍‌ସି ସଂସ୍ଥା ଖୋଲି ଚାକିରି ଦେବା ନାଁରେ ୩୮୭ଜଣ ଯୁବକଯୁବତୀଙ୍କଠାରୁ ୬୦ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିବା ଟିଟିଲାଗଡ଼ର ଅନିଲ ସାହୁକୁ ମଞ୍ଚେଶ୍ବର ପୁଲିସ ବୁଧବାର ଭଦ୍ରକରୁ ଗିରଫ କରିଛି। ତା’କୁ ଥାନାରେ ରଖି ପଚରାଉଚରା କରାଯାଉଥିବାବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏଥିସହିତ ଏକ ବଡ଼ଧରଣର ଠକେଇର ପର୍ଦ୍ଦାଫାସ୍ ହୋଇଛି।

ମିଳିଥିବା ସୂଚନା ମୁତାବକ ଅନୀଲ ୨୦୧୬ରୁ ରସୁଲଗଡ଼ ଶବରସାହିରେ ଓମ୍‌କାର୍ ବିଜନେସ୍ ଆଣ୍ଡ ଇସାନା ପ୍ରାଲି ନାମରେ ଏକ ନିଯୁକ୍ତି କନସଲଟାନ୍ସି ଖୋଲିଥିଲା। ପ୍ରଥମେ ନିଯୁକ୍ତି କରାଇ ଦେବ କହି ପିଲାଙ୍କଠାରୁ ଟଙ୍କା ନେଉଥିବା ଅନିଲ ଏଥିରେ ବିଶେଷ ଲାଭ ପାଉନଥିଲା। ତେଣୁ ଚାକିରି କରିବାକୁ ଆବେଦନ କରୁଥିବା ଅନ୍ୟ କନସଲଟାନ୍ସିକୁ ମଧ୍ୟ ସେ ଟାର୍ଗେଟ କରିଥିଲା। ଏହା ସହିତ ନିଜ କନସଲଟାନ୍ସି ଗ୍ରୁପ୍‌ରେ ଚାକିରି କରୁଥିବା ପିଲାଙ୍କୁ ଠକେଇର ମାଧ୍ୟମ ଭାବେ ବ୍ୟବହାର କରିଥିଲା। କନସଲଟାନ୍ସି ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପିଲାଙ୍କୁ ସେ ସରକାରୀ ଚାକିରି ଦେବ ବୋଲି ସମସ୍ତଙ୍କୁ କହିଥିଲା। ସରକାରୀ ଚାକିରି କଥା ଶୁଣି ବିଭିନ୍ନ କନସଲଟାନ୍ସି ସଂସ୍ଥା ସେମାନଙ୍କ ପାଖରେ ଆବେଦନ କରିଥିବା ପିଲାଙ୍କ ତଥ୍ୟ ଓ ତାଲିକା ଅନିଲକୁ ଦେଇଥିଲେ। ଏହା ପରେ ଦରମା ଅନୁଯାୟୀ ଟଙ୍କା ଅର୍ଥାତ୍ ୫୦ହଜାର ଦରମା ଚାହୁଁଥିବା ପିଲା ପାଇଁ ଅନିଲ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ୧୦ ହଜାର ଟଙ୍କା ଦରମା ଚାହୁଁଥିବା ପିଲାଙ୍କ ପାଇଁ ୩୦ରୁ ୫୦ହଜାର ଦରକାର ବୋଲି କନସଲଟାନ୍ସିଗୁଡ଼ିକୁ କହିଥିଲା।

ପ୍ରଥମେ ପିଲାଙ୍କର ଚାକିରି ଆବେଦନ ପାଇଁ ସେ ଜଣ ପିଛା ୨୪ଶହ ଟଙ୍କା ମାଗିଥିଲା। ଏହା ପରେ ବିଭିନ୍ନ ପରୀକ୍ଷା ଓ ଅନ୍ୟାନ୍ୟ ଫାଇଲ୍ ସେଟେଲମେଣ୍ଟ ପାଇଁ ଜଣ ପିଛା ୩ହଜାର ଟଙ୍କା ନେଇଥିଲା। କୌଣସି ପିଲାଙ୍କର ଯେମିତି ସନ୍ଦେହ ନ ହେବ ସେଥିପାଇଁ ସାମାଜିକ ଗଣମାଧ୍ୟମରେ ଏବଂ ଖବରକାଗଜରେ ବାହାରୁଥିବା ବିଜ୍ଞାପନଗୁଡ଼ିକର କଟିଂ ପକାଇବା ସହ ସେ ଚାକିରି କରାଇଦେବ ବୋଲି ଲେଖୁଥିଲା। ଏପରିକି ତା’ର ଗାର୍ଲଫ୍ରେଣ୍ଡ ହରିୟାଣାର ଜଣେ ଯୁବତୀଙ୍କୁ ବିଭିନ୍ନ ସରକାରୀ ସଂସ୍ଥାର ମୁଖ୍ୟ ଭାବେ କନସଲଟାନ୍ସି ସହ ଚିହ୍ନା କରାଇ ଚାକିରି ଆବେଦନ କରୁଥିବା ପିଲାଙ୍କର ଜୁମ୍ ମିଟିଂ କରୁଥିଲା। ସବୁ ଟଙ୍କା ଦେଉଥିବା ପିଲାଙ୍କୁ ମିଥ୍ୟା ଜଏନିଂ ଲେଟର୍ ଦେଇ ଚାକିରି ହୋଇଯାଇଥିବାର ଭ୍ରମ ମଧ୍ୟ ସୃଷ୍ଟି କରାଉଥିଲା।

publive-image

ତେବେ ଗତ ୨୦୨୦ ଅକ୍ଟୋବରରୁ ଏହି ଠକ ଧନ୍ଦା ଆରମ୍ଭ କରିଥିବା ଅନିଲ ଯେତେବେଳେ ଚାକିରି ଦେବାରେ ବିଳମ୍ବ କଲା, କନସଲଟାନ୍ସି ସଂସ୍ଥାଗୁଡ଼ିକ ଏ ନେଇ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ମାତ୍ର ପ୍ରଥମେ କରୋନା ବାହାନା ଦେଖାଇ ଧୀରେ ଧୀରେ ଠକେଇର ଗୁମର ଫିଟିବାରୁ ଅନିଲ ରାଜ୍ୟ ଛାଡ଼ି ପଳାଇଯିବାକୁ ସ୍ଥିର କରିଥିଲା। ଗତକାଲି ଅନିଲର ଗାର୍ଲ‌ ଫ୍ରେଣ୍ଡ୍ ହରିୟାଣା ଯୁବତୀ ଫେରାର୍ ହେବାକୁ ଯୋଜନା କରୁଥିବା ବେଳେ କିଛି କନସଲଟାନ୍ସି ଓ ନିଯୁକ୍ତି ଆଶାୟୀ ଯୁବକମାନଙ୍କ ସୂଚନା ଆଧାରରେ ପୁଲିସ ତାଙ୍କୁ ଏଆରପୋର୍ଟରୁ ଧରିଥିଲା। ଏହା ପରେ ଆଜି ଅନିଲ ଭଦ୍ରକରେ ଥିବା ଖବର ପାଇ ସେଠାକାର ଜିଆର୍‌ପି ପୁଲିସ ସହାୟତାରେ ମଞ୍ଚେଶ୍ବର ପୁଲିସ ତାକୁ ମଧ୍ୟ ଗିରଫ କରିଥିଲା।

କମ୍ପାନିରେ ଚାକିରି କରୁଥିବା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲା
ଅନିଲ ଖୋଲିଥିବା ଓମ୍‌କାର୍ କନସଲଟାନ୍ସିରେ ଅଧିକ ସଂଖ୍ୟାରେ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା। ଆଉ ଏହି ଯୁବତୀମାନଙ୍କୁ ମୋହରା କରି ସେ ଠକେଇର ନୀଳ ନକ୍ସା ତିଆରି କରିଥିଲା। ଏପରିକି ଠକେଇ ପରେ ସେ ଯେପରି ଧରା ନପଡ଼ିବ ସେଥିପାଇଁ ଯୁବତୀମାନଙ୍କୁ ବ୍ୟବହାର କରିଥିଲା। ତା' ସଂସ୍ଥାରେ ଚାକିରି କରୁଥିବା ଯୁବତୀଙ୍କୁ ପ୍ରଥମେ ଅନିଲ ପ୍ରେମ ଜାଲରେ ଫସାଉଥିଲା। ଏହା ପରେ ଅନ୍ୟ କନସଲଟାନ୍ସିରୁ ପିଲାଙ୍କୁ ନିଯୁକ୍ତି କରାଇବା ନାଁରେ ଯେଉଁ ଟଙ୍କା ଆଣୁଥିଲା ସେ ସବୁକୁ ଅନ୍‌ଲାଇନ୍ କାରବାର କରୁଥିଲା। ଆଉ ଏହି ଅନ୍‌ଲାଇନ୍ କାରବାର ପାଇଁ ସେ ପ୍ରେମ ଜାଲରେ ଫସାଉଥିବା ଯୁବତୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରୁଥିଲା। ଏହା ପରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲା। ଫଳରେ ଠକେଇ ଟଙ୍କା ନିଜ ପାଖକୁ ଆସିଥିବାର କୌଣସି ଚିହ୍ନ ବର୍ଣ୍ଣ ନାହିଁ ବୋଲି ସେ ନଥିପତ୍ରର ସ୍ପଷ୍ଟ କରୁଥିଲା।

ଅନିଲର ପ୍ରେମ ଜାଲରେ ଫସିଥିବା ଜଣେ ଯୁବତୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସେ ଅନିଲଙ୍କ କହିବାନୁଯାୟୀ ପ୍ରାୟ ୪୦ଜଣ ପିଲାଙ୍କୁ ସରକାରୀ ଚାକିରି କରାଇଦେବେ କହି ଟଙ୍କା ଆଣିଛନ୍ତି। ନିଜ ଆକାଉଣ୍ଟରେ ସେ କିଛି ଟଙ୍କା ଆଣିଥିବା ବେଳେ ଆଉ କିଛି ନଗଦ ଆଣିଛନ୍ତି। ଆଇସିଏଆର, ଆଇସିଏମ୍‌ଆର୍‌ ଆଦି ସଂସ୍ଥାରେ ଫିଲ୍ଡ ଅଫିସର, ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଡିଷ୍ଟ୍ରିକ୍ଟ ହେଡ୍ ଭଳି ପଦରେ ଚାକିରି କରାଇଦେବ ବୋଲି କହି ଅନିଲ ନିର୍ଦ୍ଦେଶରେ ସେ ବେଶ୍‌ କିଛି ଯୁବକଯୁବତୀଙ୍କଠାରୁ ଟଙ୍କା ଆଣିଥିବା ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe