ଋଣ ଦେବା ନାଁରେ ଜାଲ ବିଛାଇଛନ୍ତି ଠକ, ଖାତା ଖୋଲି ୧୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ ଅଭିଯୋଗ

ଦୁଇ ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ରାଜଧାନୀରେ ଠକଙ୍କ ଋଣ ଜାଲ। ଛୋଟଛୋଟ ବ୍ୟବସାୟୀ, ନିମ୍ନ ମଧ୍ୟବିତ୍ତ, ବସ୍ତିବାସିନ୍ଦାଙ୍କୁ ଜାଲରେ ଫସାଇ ଋଣ ଦେବା ନାଁରେ ୧୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଠକି ନେଇଛି ଏକ ସଂସ୍ଥା। ଠକେଇ ସଂକ୍ରାନ୍ତରେ ଦୁଇ ଦୁଇଟି ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କେବଳ ଜଣେ ମହିଳାଙ୍କୁ ଅଟକ ରଖି ପଚରାବ୍ୟତୀତ ଏହି ଘଟଣାରେ ପୁଲିସ୍‌ ନା ମାମଲା ରୁଜୁ କରିଛି ନା କୌଣସି କାର୍ଯ୍ୟାନୁଷ୍ଠାନ ନେଇଛି। ଶହଶହ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ଠକ ଆରାମରେ ବୁଲୁଛନ୍ତି। ଏପରିକି ଜମା ଟଙ୍କା ଫେରସ୍ତ ମାଗିବାକୁ ଗଲେ ଧମକଚମକ ମିଳୁଥିବା ଅଭିଯୋଗ ହୋଇଛି। ଏନେଇ ସର୍ବେଶ୍ବର ଧଳ ନାମକ ଜଣେ ବ୍ୟକ୍ତି ପ୍ରଥମେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଠକିଥିବା ସଂସ୍ଥାର ଅଫିସ୍‌ ସହିଦନଗରରେ ହୋଇଥିବାରୁ ସେଠାରେ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ମାସେ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି।

ସର୍ବେଶ୍ବରଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀଙ୍କ ଝାରପଡ଼ା ଜଗନ୍ନାଥନଗରରେ ଏକ ଲେଡିଜ୍ କର୍ଣ୍ଣର୍‌ ରହିଛି। ସେଠାକୁ ଜଣେ ମହିଳା ଆସନ୍ତି। ସେଇଠାରୁ ପତ୍ନୀଙ୍କ ସହ ତାଙ୍କର ଚିହ୍ନା ପରିଚୟ। ଗତ ମାର୍ଚ୍ଚ ମାସରେ ଉକ୍ତ ମହିଳା ସୁବିଧାରେ ଋଣ ମିଳିବାର ଲୋଭ ଦେଖାଇଥିଲେ। ଋଣ ନେବାକୁ ହେଲେ ସଂସ୍ଥାରେ ଏକ ଖାତା ଖୋଲିବାକୁ ପଡ଼ିବ। ସଦସ୍ୟ ହେବା ପାଇଁ ୧୩୦ ଟଙ୍କା ଓ ଆଗୁଆ ୨ ହଜାର ଟଙ୍କା ଜମା କଲେ, ୧୫ଦିନ ଭିତରେ ୪୦ ହଜାର ଟଙ୍କା ଋଣ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ୪ ମାସ ବିତିଯାଇଥିଲେ ମଧ୍ୟ ସେ ଟଙ୍କାଟିଏ ପାଇନାହାନ୍ତି। ଏପରି ଆହୁରି ଅନେକ ଲୋକ ଏହି ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଛନ୍ତି। ଏପରିକି ଯେଉଁ ୨ ହଜାର ଟଙ୍କା ଓ ସଦସ୍ୟତା ପାଇଁ ୧୩୦ ଟଙ୍କା ଦେଇଥିଲେ, ତାହାକୁ ଫେରସ୍ତ କରିବା ପାଇଁ କହିବାରୁ ସଂସ୍ଥା ପକ୍ଷରୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି। ବିଶେଷକରି ମଞ୍ଚେଶ୍ବର, ଝାରପଡ଼ା, ଜଗନ୍ନାଥନଗର, ପାଣ୍ଡରା, ସହିଦନଗର ଅଞ୍ଚଳରୁ ଶହଶହ ଲୋକ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। କେବଳ ଏହି ଅଞ୍ଚଳ ନା ରାଜଧାନୀର ଅନ୍ୟ ଅଞ୍ଚଳକୁ ମଧ୍ୟ ଏହି ଠକେଇର ଜାଲ ଲମ୍ବିଛି, ତାହା ପୁଲିସ ତଦନ୍ତ କଲେ ଜଣାପଡ଼ିବ। ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଛି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe