ଜମି ବିକିବା ନାଁରେ ଠକେଇ: ଜାଲ୍ କାଗଜପତ୍ର ଦେଇ ୩୩ଲକ୍ଷ ଚଳୁ

Advertisment
ଜମି ବିକିବା ନାଁରେ ଠକେଇ: ଜାଲ୍ କାଗଜପତ୍ର ଦେଇ ୩୩ଲକ୍ଷ ଚଳୁ

Clickindia.com

ଭୁବନେଶ୍ବର: ଜମି ବିକିବା ନାଁରେ ୪ଜଣ ଧୂର୍ତ୍ତ ଜଣେ ଯୁବକଙ୍କୁ ୩୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ଜାଲ୍ କାଗଜପତ୍ରରେ ଏହି ଠକେଇ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ଅଭିଯୋଗକାରୀ କେଦାର ମହାନ୍ତିଙ୍କ କହିବା ଅନୁସାରେ, ସେ ଜଗମୋହନ ନଗରରେ ରୁହନ୍ତି। ତାଙ୍କ ପଡ଼ୋଶୀ ବଳରାମ ବେହେରା ତାଙ୍କୁ ଯଦୁପୁରରେ ଜମି କିଣିବା ପାଇଁ ପ୍ରବର୍ତ୍ତାଇ ଥିଲେ। ତାଙ୍କର ପରିଚିତ ଲୋକ ନିଶା ବେଗମ ସେଠାରେ ରହୁଥିବା କହିଥିଲେ।

ଯଦୁପୁରରେ ଏକ ଜମି କିଣିବା ପାଇଁ ଚୁକ୍ତି ହେବା ପରେ କେଦାର ୨ଟି ପର୍ଯ୍ୟାୟରେ ନିଶାଙ୍କୁ ପ୍ରାୟ ୩୩ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର ନିଶା ତାଙ୍କୁ ନକଲି କାଗଜପତ୍ର ଦେଇ ଚୂନ ଲଗାଇଥିବା ସେ ପରେ ଜାଣିଥିଲେ। ଏନେଇ ସେ ଯେତେବେଳେ ନିଶା ଓ ପଡ଼ୋଶୀ ବଳରାମଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ସେ ତାଙ୍କୁ ଧମକଚମକ ଦେଇ ଆଉ ଟଙ୍କା ମିଳିବ ନାହିଁ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ କେଦାର ଆଜି ଖଣ୍ଡଗିରି ଥାନାରେ ନିଶା ଓ ତାଙ୍କ ପରିବାରର ୨ଜଣ ଏବଂ ବଳରାମଙ୍କ ନାଁରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୫ଲକ୍ଷ ଠକେଇ, ନକଲି ମାଲିକ ଗିରଫ

ଜମି ଦେବା ନାଁରେ ୫ଲକ୍ଷ ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ନକଲି ଜମି ମାଲିକକୁ ଗିରଫ କରିଛି। ସେ ହେଲା, ବାଲେଶ୍ବର ଜିଲ୍ଲା ‌ରେମୁଣା ଥାନା ହରିପୁର ଅଞ୍ଚଳର ମୃତ୍ୟୁଞ୍ଜୟ ଜେନା ଓରଫ ବାପି(୩୭)। ବାପି ଏଠାରେ ଖଣ୍ଡଗିରି ଥାନା ତପୋବନ ବସ୍ତିରେ ରହି କାର୍‌ ଚାଳକ ଭାବେ କାମ କରୁଥିଲା।

ସୂଚନା ମୁତାବକ, ୨୦୨୧ ମସିହାରେ ବାପି ସହ ସବ୍ୟସାଚୀ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଦେଖା ହୋଇଥିଲା। ତମାଣ୍ଡୋ ଥାନା ବିଜିପୁର ଅଞ୍ଚଳରେ ସବ୍ୟସାଚୀଙ୍କ ଜମିକୁ ବାପି ବିକ୍ରି କରାଇଦେବ ବୋଲି କହି ତାଙ୍କଠାରୁ ଦଲିଲ୍‌ର ଫଟୋ କପି ନେଇ ଯାଇଥିଲା। ପରେ ଉକ୍ତ ଦଲିଲ୍‌ରେ ନିଜ ଫଟୋ ଲଗାଇ ଆଧାରକାର୍ଡ ଏବଂ କିଛି ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲା। ରେଳବାଇ କର୍ମଚାରୀ ଗୋବର୍ଦ୍ଧନ ସିଂହ ରଣାଙ୍କୁ ସେ ଉକ୍ତ ଜମି ବିକି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଗୋବର୍ଦ୍ଧନଙ୍କୁ ଭୂଆଁ ବୁଲାଇ ୨୦୨୧ ମସିହା ଏପ୍ରିଲ୍‌ ୨୮ରେ ଜଣେ ଆଇନ୍‌ଜୀବୀଙ୍କ ନିକଟରେ ଏଗ୍ରିମେଣ୍ଟ କରି ଅଗ୍ରୀମ ୫ଲକ୍ଷ ଟଙ୍କା ନେଇଥିଲା।

ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା। ଟଙ୍କା ଫେରସ୍ତ କଥା କହିବାରୁ ପାଲଟା ଧମକ ଚମକ ଦେଇଥିଲା। ଖୋଳତାଡ଼ କରି ଗୋବର୍ଦ୍ଧନ ଅସଲି ମାଲିକ ସବ୍ୟସାଚୀଙ୍କ ନିକଟରେ ପହଞ୍ଚି ଜମି ଦେବାକୁ କହିଥିଲେ। ସେ ଘଟଣା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ବାପି ଜମି ମାଲିକ ନୁହେଁ; ତାଙ୍କୁ ଠକି ୫ଲକ୍ଷ ଟଙ୍କା ନେଇଯାଇଥିବା ଜାଣିବା ପରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe