ରାଜଧାନୀରେ ବଣ୍ଟି-ବବ୍‌ଲି: ନକଲି କମ୍ପାନି ନାଁରେ ଫାଇନାନ୍ସ ସଂସ୍ଥାକୁ ଚୁନ

Advertisment

ବବ୍‌ଲିଙ୍କ ସମେତ ୪ଗିରଫ, ବଣ୍ଟି ଫେରାର୍, ୨ଲକ୍ଷ ଟଙ୍କା ଓ ଲାପ୍‌ଟପ୍ ଜବତ

ବବ୍‌ଲିଙ୍କ ସମେତ ୪ଗିରଫ, ବଣ୍ଟି ଫେରାର୍, ୨ଲକ୍ଷ ଟଙ୍କା ଓ ଲାପ୍‌ଟପ୍ ଜବତ

ରାଜଧାନୀରେ ବଣ୍ଟି-ବବ୍‌ଲି: ନକଲି କମ୍ପାନି ନାଁରେ ଫାଇନାନ୍ସ ସଂସ୍ଥାକୁ ଚୁନ

ଭୁବନେଶ୍ବର : ନକଲି କମ୍ପାନି ନାଁରେ ଏକ ଘରୋଇ ଫାଇନାନ୍‌ସ ସଂସ୍ଥାକୁ ଚୁନ ଲଗାଇଥିବା ବଣ୍ଟି-ବବ୍‌ଲି ଗ୍ୟାଙ୍ଗ୍‌ରୁ ନୂଆପଲ୍ଲୀ ଥାନା ପୁଲିସ ବବ୍‌ଲି ସମେତ ୪ ଜଣଙ୍କୁ ଗିରଫ କରିଛି। କିନ୍ତୁ ନକଲି କମ୍ପାନିର ମାଷ୍ଟରମାଇଣ୍ଡ ତଥା ଧୂର୍ତ୍ତ ବଣ୍ଟି ଫେରାର୍‌ ହୋଇଯାଇଛି। ପୁଲିସ ପଞ୍ଝାରେ ପଡ଼ିଥିବା ଅଭିଯୁକ୍ତମାନେ ହେଲେ, ବବ୍‌ଲି ତଥା ପ୍ରଶାନ୍ତିବିହାରର ମମତା ପାତ୍ର(୪୭), ତାଳଚେରର ସୁନନ୍ଦ କୁମାର ସାମଲ(୨୯), କଟକ ନୂଆସାହିର ଭରତ କୁମାର ଲେଙ୍କା(୩୭) ଓ ଆଠଗଡ଼ର ସନ୍ତୋଷ କୁମାର ସାମଲ। ତେବେ ଏହି ଠକାମିର ମୁଖ୍ୟ ଖଳନାୟକ ବଣ୍ଟି ତଥା ମମତାଙ୍କ ସ୍ବାମୀ ସନ୍ତୋଷ କୁମାର ଜେନା ଚମ୍ପଟ ମାରିଛି। ପୁଲିସ ଉକ୍ତ ନକଲି କମ୍ପାନିରେ ଚଢ଼ଉ କରି ନଗଦ ୨ ଲକ୍ଷ ଟଙ୍କା, ଏକ ଲାପ୍‌ଟପ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି।

ଅଭିଯୋଗ ଅନୁଯାୟୀ, ଏହି ବଣ୍ଟି-ବବ୍‌ଲି ଠକ ଦମ୍ପତି ୪ବର୍ଷ ପୂର୍ବେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ରେ ଏକ ଭଡ଼ା ଘର ନେଇ ନ୍ୟାସନାଲ୍‌ ସେଣ୍ଟର ଫର୍ ଏନର୍ଜି ମ୍ୟାନେଜମେଣ୍ଟ(ଏନ୍‌ସିଇଏମ୍) ନାଁ’ରେ ଜାଲ୍‌ କମ୍ପାନି ଖୋଲିଥିଲେ। ସନ୍ତୋଷ ଥିଲା କମ୍ପାନିର ନିର୍ଦ୍ଦେଶକ। ପତ୍ନୀ ମମତା ଥିଲେ ଏଜିଏମ୍। ସନ୍ତୋଷ ସାମଲ ଓ ସୁନନ୍ଦ ସାମଲଙ୍କୁ ସହ ନିର୍ଦ୍ଦେଶକ, ଭରତଙ୍କୁ କର୍ମଚାରୀ ଭାବେ ନିଯୁକ୍ତି ମିଳିଥିଲା। ଏହିଭଳି ୯ରୁ ୧୦ଜଣଙ୍କୁ ସେମାନେ ମିଥ୍ୟା କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲେ। ଧୂର୍ତ୍ତ ସନ୍ତୋଷ ସମସ୍ତଙ୍କୁ ଜାଲ୍ ନିଯୁକ୍ତିପତ୍ର ଓ ସାଲାରି ସ୍ଲିପ୍ ଦେଇଥିଲେ। ବଡ଼ କଥା ହେଉଛି, ଏହି ମିଛ କମ୍ପାନି ଓ କର୍ମଚାରୀ ନିଯୁକ୍ତି ପଛରେ ମୂଳ ଉଦ୍ଦେଶ୍ୟ ଥିଲା ଫାଇନାନ୍ସ ସଂସ୍ଥାକୁ ଚୁନ ଲଗାଇବା। ଏହି ନକଲି ନିଯୁକ୍ତିପତ୍ର ଓ ସାଲାରି ସ୍ଲିପ୍ ଆଧାରରେ ଠକ ଦମ୍ପତି କର୍ମଚାରୀଙ୍କୁ ବଜାଜ୍ ଫାଇନାନ୍ସରୁ ଋଣ କରିବାକୁ ଆବେଦନ କରାଇଥିଲେ। ଋଣ ମଞ୍ଜୁର ପୂର୍ବରୁ ବଜାଜ୍ ଫାଇନାନ୍‌ସ କମ୍ପାନି ପକ୍ଷରୁ ଯାଞ୍ଚ ହେବାକୁ ସେମାନେ ଭଡ଼ାଘରକୁ ଭଲ ଭାବେ ଅଫିସ୍ ଭଳି ସଜାଇଥିଲେ। ସବୁ କର୍ମଚାରୀଙ୍କ ମାସିକ ଦରମା ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କା ଥିଲା ବୋଲି ସାଲାରି ସ୍ଲିପ୍ ପ୍ରସ୍ତୁତ କରିଥିଲେ। ଗତ ୬ମାସ ମଧ୍ୟରେ ଏହି କମ୍ପାନିରୁ ୪ଜଣ ଋଣ ଆବେଦନ କରି ସଫଳ ହେବା ପରେ ଅଭିଯୁକ୍ତ ଭରତ ଏକାଥରକେ ୧୦ ଲକ୍ଷ ଟଙ୍କାର ଋଣ ଆଣିଥିଲେ। ଗୋଟିଏ କମ୍ପାନିର ଏକାଧିକ କର୍ମଚାରୀ କିଛି ମାସ ବ୍ୟବଧାନରେ ଋଣ ଆବେଦନ କରିବାରୁ ବଜାଜ୍ ଫାଇନାନ୍ସ କମ୍ପାନି କର୍ତ୍ତୃପକ୍ଷ ସନ୍ଦେହ କରି ଅଫିସ ଯାଞ୍ଚ କରିବା ପାଇଁ ଲୋକ ପଠାଇଥିଲେ। କିନ୍ତୁ ଧୂର୍ତ୍ତ ଦମ୍ପତିଙ୍କ କାରନାମା ସେତେବେଳେ ଧରାପଡ଼ି ନଥିଲା। କୌଣସି ସୂତ୍ରରୁ ଖବର ପାଇ ବଜାଜ୍‌ ଫାଇନାନ୍ସର ପ୍ରବନ୍ଧକ ବିଭୁକଲ୍ୟାଣ ଶତପଥୀ ଘଟଣା ସଂପର୍କରେ ନିଜେ ଖୋଳତାଡ଼ କରିଥିଲେ ଓ ଠକ ଦମ୍ପତିଙ୍କ କାରନାମା ଜାଣିବା ପରେ ତୁରନ୍ତ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଥିଲେ ହେଁ ଠକେଇର ମାଷ୍ଟରମାଇଣ୍ଡ ସନ୍ତୋଷ ଫେରାର୍ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe