ଭୁବନେଶ୍ୱରରେ ଘନଘନ ବିଦ୍ୟୁତ୍‌ କାଟ, ଘନଉଛି ଜନ ଅସନ୍ତୋଷ

Advertisment
ଅନ୍ଧାରରେ ସମଗ୍ର ବାଂଲାଦେଶ, କାରଣ ଜାଣନ୍ତୁ

India TV

ଭୁବନେଶ୍ୱର: ସମ୍ପ୍ରତି ଘନଘନ ବିଦ୍ୟୁତ୍ କାଟ ରାଜଧାନୀବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍‌ ହେଉଛି ତ କେଉଁଠି ପ୍ରତି ପାଞ୍ଚ ମିନିଟ୍‌ରେ ବିଜୁଳି ଲୁଚକାଳି ଖେଳୁଛି। ମରାମତି ବାହାନାରେ ଏଭଳି ବିଦ୍ୟୁତ୍ କାଟ୍‌ କରାଯାଉଛି ବୋଲି ସଫେଇ ଦିଆଯାଉଛି। କିନ୍ତୁ ବାସ୍ତବରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ପାଇଁ ଉପଭୋକ୍ତାମାନେ ଅଯଥାରେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ଏକକାଳୀନ ତିନି ତିନି ମାସର ବିଦ୍ୟୁତ୍ ବିଲ୍‌ ଆଦାୟ କରି ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଉଛି, ଅଥଚ ୨୪ ଘଣ୍ଟିଆ ସେବାର ନାମଗନ୍ଧ ଆଦୌ ନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ଉତ୍ତମ ସେବା ପାଇଁ ଟାଟା ପାୱାରକୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ବ ନେଇ କି ଲାଭ ହେଲା ବୋଲି ଉପଭୋକ୍ତାମାନେ ପ୍ରଶ୍ନ କରିଛନ୍ତି।

ଏବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ବ ନେଇଛି। ଗତ ଜୁନ୍‌ ମାସରୁ ଏହି କମ୍ପାନି ଦାୟିତ୍ବ ନେଇଛି। ମାତ୍ର ଏହି କମ୍ପାନି ଦାୟିତ୍ବ ବହନ କରିବା ପରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ଯେଉଁ ଆଶା କରିଥିଲେ, ଏବେ ତାହାର ବିପରୀତ କଥା ପରିଲକ୍ଷିତ ହେଉଛି। ପୂର୍ବରୁ ବିଲ୍‌ ପାଇବାର ୧୫ ଦିନ ମଧ୍ୟରେ ଦେୟ ପୈଠ କଲେ ଉପଭୋକ୍ତାଙ୍କୁ ରିହାତି ମିଳୁଥିଲା। କିନ୍ତୁ ଟିପିସିଓଡିଏଲ୍‌ ନେବା ପରେ ଏହି ରିହାତି ଅବଧି ୭ ଦିନକୁ ଖସି ଆସିଛି। ତିନି ମାସର ବିଲ୍‌ ଏକାଠି ଆସିଥିବାରୁ ଉପଭୋକ୍ତାଙ୍କ ପାଇଁ ଏହା ବୋଝ ସଦୃଶ ହେଉଛି। ତେବେ ଉପଭୋକ୍ତାଙ୍କୁ ଅଧିକ ବାଧୁଛି ଅଘୋଷିତ ବିଦ୍ୟୁତ କାଟ୍‌। କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ବିଚ୍ଛିନ୍ନ ହେଉଥିବା ବେଳେ କେଉଁଠି ପ୍ରତି ୫ ମିନିଟ୍‌ରେ ଲାଇନ୍‌ କଟୁଛି। ରାଜଧାନୀବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ବିଶେଷକରି ବରଗଡ଼, ବିଜେବି ନଗର, ପୁରୁଣା ଭୁବନେଶ୍ବର, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, କାନନବିହାର, ମଞ୍ଚେଶ୍ବର, ଭିଏସ୍‌ଏସ୍‌ ନଗର, ଝାରପଡ଼ା, ଓସ୍କାର ସିଟି ପ୍ରଭୃତି ଅଞ୍ଚଳରେ ଏହି ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି। ସାମାନ୍ୟ ବର୍ଷା କିମ୍ବା ପବନ ହେଉ ହେଉ ଲାଇନ୍‌ କାଟି ଦିଆଯାଉଛି। ବହୁ ସମୟରେ ବିନା ମେଘ ପବନରେ ମଧ୍ୟ ଲାଇନ୍‌ କଟୁଛି। ଅଧିକାଂଶ ବିଦ୍ୟୁତ୍‌ କାଟ ବିଳମ୍ବିତ ରାତିରେ ହେଉଛି। ତେବେ ସବୁଠାରୁ ବଡ଼ ଅଭିଯୋଗ ହେଉଛି, ଦାୟିତ୍ବରେ ଥିବା ଅଧିକାରୀମାନେ ମୋବାଇଲ୍‌ ଫୋନ୍‌ କିମ୍ବା ଅଫିସ ଟେଲିଫୋନ୍‌ ଉଠାଉ ନାହାନ୍ତି। ଅଧିକାଂଶ ଫ୍ୟୁଜ୍‌କଲ୍‌ ସେଣ୍ଟରର ଫୋନ୍‌ ନମ୍ବର ସାର୍ବଜନୀନ ହୋଇ ନଥିବାରୁ ଉପଭୋକ୍ତାମାନେ ସମସ୍ୟ‌ାରେ ପଡ଼ୁଛନ୍ତି।

ମିଳିଥିବା ସୂଚନାନୁସାରେ, ବର୍ଷା କିମ୍ବା ପବନ ପୂର୍ବରୁ ଜାଣି ଜାଣି ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଉଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ବାହାନା କରି ଏମିତି କରାଯାଉଛି। ବର୍ଷାରେ ଲାଇନ୍‌ ଖରାପ ହେଲେ ମରାମତି କରିବା କଷ୍ଟକର ହୋଇପଡ଼ିବ ଓ ଉପଭୋକ୍ତାମାନେ ଅଧିକ ସମସ୍ୟାରେ ପଡ଼ିବେ ବୋଲି କହି ଲାଇନ୍‌ କାଟି ଦିଆଯାଉଛି। ସେହିଭଳି କର୍ମଚାରୀ ଅଭାବରୁ ଛୋଟ ମୋଟ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରୁନାହିଁ ବୋଲି ରୋକ୍‌ଠୋକ୍ କୁହାଯାଉଛି। ବହୁ ଟ୍ରା‌ନ୍ସଫର୍ମର୍‌ରେ ଗଛଲତା ମାଡ଼ି ଯାଇଥିବା ବେଳେ କେତେକ ସ୍ଥାନରେ ଲତାଗୁଡ଼ାକ ତାରରେ ଗୁଡ଼େଇ ହୋଇଯାଇଛି। କର୍ମଚାରୀ ଅଭାବରୁ ତାହାକୁ କାଟି ସଫା କରିବା ସମ୍ଭବ ହେଉନାହିଁ ବୋଲି ସଫେଇ ଦିଆଯାଉଛି। ତେବେ ଏ ନେଇ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷଙ୍କ କହିବା କଥା ଟ୍ରାନ୍‌ସ୍‌ଫର୍ମର ସଫା କରାଯାଉଛି ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe