ପୁରୁଣା ଭୁବନେଶ୍ବରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ: ଟ୍ରାନ୍ସଫର୍ମରରେ ତ୍ରୁଟି, ବହୁ ଲୋକଙ୍କ ଫ୍ୟାନ୍‌ ପୋଡ଼ିଗଲାଣି

Advertisment

ମୈତ୍ରୀ ବିହାର ଅଞ୍ଚଳରେ ୧୨ ଘଣ୍ଟା ବିଦ୍ୟୁତ୍‌ କାଟ, ଉପଭୋକ୍ତା ହନ୍ତସନ୍ତ, ଶୁଣିବାକୁ କେହି ନାହାନ୍ତି

ମୈତ୍ରୀ ବିହାର ଅଞ୍ଚଳରେ ୧୨ ଘଣ୍ଟା ବିଦ୍ୟୁତ୍‌ କାଟ, ଉପଭୋକ୍ତା ହନ୍ତସନ୍ତ, ଶୁଣିବାକୁ କେହି ନାହାନ୍ତି

କେନ୍ଦ୍ର କରିବ ୧୪୦୦ କୋଟିର ‘ଏନର୍ଜି କରିଡର’

My Sambalpur

ପୁରୁଣା ଭୁବନେଶ୍ୱର: ନା ବର୍ଷା ହେଉଛି ନା ପବନ, ହେଲେ କଟି ଯାଉଛି ଲାଇନ୍‌। ଭୀଷଣ ଗୁଳୁଗୁଳିକୁ ମଶାଙ୍କ ଉପଦ୍ରବ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଫୋନ୍‌ କଲେ ‘ଆଜ୍ଞା କିଛି ସମୟ ପରେ ଲାଇନ୍ ଆସିବ’ ବୋଲି କହି ଦାୟିତ୍ବ ସାରି ଦେଉଛନ୍ତି କର୍ମଚାରୀ। ଆଉ ହେଲ୍ପଲାଇନ ନମ୍ବର ୧୯୧୨କୁ ଫୋନ୍‌ କଲେ କେହି ଉଠାଉନାହାନ୍ତି। ପୁରୁଣା ଭୁବନେଶ୍ବର ଅଞ୍ଚଳର ଅନେକ ବିଦ୍ୟୁତ ଗ୍ରାହକ ଏଭଳି ଅଭିଯୋଗ କରିବା ସହ ବା‌ରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦିନକର କଥା ନୁହେଁ। ଲିଙ୍ଗରାଜନଗର, କେଦାର ଲେନ୍‌ ଏବଂ ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିରେ ଏମିତି ବାରମ୍ବାର ଏମିତି ବିଜୁଳି କାଟ ହେଉଛି। କେବେ ସକାଳୁ ତ କେବେ ଅପରାହ୍ନରେ ପୁଣି କେବେ ରାତି ଅଧରେ ଲାଇନ କଟୁଛି। ଆହୁରି ମଧ୍ୟ ଟ୍ରାନ୍ସଫର୍ମରରେ ତ୍ରୁଟି ଯୋଗୁଁ ହାଇ ଭୋଲଟେଜ୍‌ ବିଦ୍ୟୁତ୍‌ ଫ୍ଲୋ କରି ବିଭିନ୍ନ ସ୍ଥାନରେ ବାରମ୍ବାର ଟ୍ରାନ୍ସଫର୍ମର ଫାଟୁଛି। ଏଭଳି ଅଚାନକ ହାଇ ଭୋଲଟେଜ୍‌ ଯୋଗୁଁ ବହୁ ଲୋକଙ୍କ ଘରେ ଫ୍ୟାନ୍‌ ମଧ୍ୟ ପୋଡ଼ି ଯାଉଥିବା ସ୍ଥାନୀୟ ଲୋ‌କେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଲୋକ ଏବେ ପ୍ରମାଦ ଗଣିଲେଣି। ଖରାଖିଆ ଅଞ୍ଚଳର ନିତାଇ ଚରଣ ମହାନ୍ତି ଅଭିଯୋଗ କରିଛନ୍ତି; ଆମ ଅଞ୍ଳେରେ କୋଭିଡ଼୍‌ ଯୋଗୁଁ ଏଠାରେ ଟ୍ରାନ୍ସଫର୍ମର ଲୋଡ଼୍‌ ଅନୁଯାୟୀ କମ୍‌ ଲୋକ ରହୁଛନ୍ତି। ଏହା ସତ୍ତ୍ବେ ବାରମ୍ବାର ଟ୍ରାନ୍ସଫର୍ମର ଫାଟୁଛି। ବହୁ ଲୋକଙ୍କ ଫ୍ୟାନ୍ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ସାମଗ୍ରୀ ପୋଡ଼ି ଗଲାଣି। ଲିଙ୍ଗରାଜ ନଗରର ରାଜେଶ ମହାପାତ୍ର ମଧ୍ୟ ଫ୍ୟାନ୍ ପୋଡ଼ି ଯାଉଥିବା ନେଇ ସମାନ ଅଭିଯୋଗ କରିଛନ୍ତି।

ଏ ନେଇ ବିଦ୍ୟୁତ୍‌ ବିଭାଗର ଜଣେ ଯନ୍ତ୍ରୀ ନାମ ଗପୋନ ରଖି କହିଛନ୍ତି ଯେ, ଠିକଣା ଭାବେ ଟ୍ରାନ୍ସଫର୍ମର ଫିଟିଙ୍ଗ୍‌ ନହେବାରୁ ବିଦ୍ୟୁତ୍‌ ହାଇ ଫ୍ଲୋ କରିଥାଏ। ଟ୍ରାନ୍‌ସଫର୍ମର ଠାରୁ ଘରର ଫିଟିଙ୍ଗ୍‌ ପର୍ଯ୍ୟନ୍ତ ଠିକ୍‌ ନରହିଲେ ଏପରି ସମସ୍ୟା ହୁଏ। ଟ୍ରାନ୍ସଫର୍ମର ନିକଟରେ ନ୍ୟୁଟ୍ରାଲ ସହ ଫେଜ୍‌ ଲାଗିଲେ ଘରର ଆର୍ଥିଂ ଠିକ୍‌ ନଥିବା ସହ ଫ୍ୟୁଜ୍‌ ବ୍ୟବସ୍ଥା ନଥିଲେ ଏପରି ହୋଇ ଲୋକଙ୍କ ଫ୍ୟାନ୍‌, ଟିଭି ଆଦି ପୋଡ଼ିଯାଏ। ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ଫେଜ୍‌କୁ ଫେଜ୍‌ ତାର ବାଜିଲେ କିମ୍ବା ନ୍ୟୁଟ୍ରାଲ ଓ ଆର୍ଥିଂ ନଥିବାରୁ ଏପରି ହୁଏ। ଏନେଇ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

ଚନ୍ଦ୍ରଶେଖରପୁର: ଦିନକୁ ଦିନ ବିଜୁଳି ଦର ବଢୁଛି। ଆଉ ଉପଭୋକ୍ତାଙ୍କ ମୁଣ୍ଡରେ ବର୍ଧିତ ଦର ଲଦି ବିଜୁଳି ନିର୍ଯାତନା ଦିଆଯାଉଛି। ଗୋଟିଏ ପଟେ ଲଗାଣ ବର୍ଷାରେ ରାଜଧାନୀବାସୀ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଘନଘନ ଅଘୋଷିତ ବିଜୁଳି କାଟରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ସହରରେ କେଉଁଠି ଦିନକୁ ଘଣ୍ଟାଏ ତ କେଉଁଠି ପାଞ୍ଚ ଥର ଲେଖାଏଁ କଟୁଛି। ଏ ନେଇ ଯେତେ ଅଭିଯୋଗ ହେଲେ ବି କାହାରି ବି ନିଘା ନାହିଁ। ଅଧିକାରୀମାନେ ମୋବାଇଲ୍‌ ବନ୍ଦ କରି ଦେଉଥିବା ବେଳେ କର୍ମଚାରୀ କଥା ଶୁଣିବାକୁ ନାରାଜ। ଗତକାଲି ଜାଭିଅର ସେକ୍ସନର ମୈତ୍ରୀବିହାର ଅଞ୍ଚଳରେ ପ୍ରାୟ ୧୨ ଘଣ୍ଟା ଧରି ବିଜୁଳି କାଟ୍‌ ହୋଇଥିଲା। ମଙ୍ଗଳବାର ରାତି ୧୨ଟାରୁ ଲାଇନ ଚାଲିଯିବା ପରେ ବୁଧବାର ମଧ୍ୟାହ୍ନ ୧୨ଟାରେ ଯାଇ ଲାଇନ ଆସିଥିଲା। ଫଳରେ ଲୋକେ ଦୀର୍ଘ ସମୟ ଧରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରବଳ ଗୁଳୁଗୁଳି ଯୋଗୁଁ ରାତିରେ ଶୋଇ ପାରିନଥିଲେ। ସକାଳୁ ଛାତ ଉପରକୁ ପାଣି ଉଠାଇବାକୁ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପାଣି ନ ଥିବାରୁ ଲୋକ‌େ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏନେଇ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଏସ୍‌ଡିଓଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଟ୍ରାନ୍ସଫର୍ମରରେ ଗୁରୁତର ତ୍ରୁଟି ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି।

କେବଳ ମୈତ୍ରୀବିହାର ନୁହେଁ; ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଆଖି ବୁଲାଇ ଆଣିଲେ ବିଦ୍ୟୁତ୍‌ ବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଚାଲି ଆସୁଛି। ସହରର ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ବରମୁଣ୍ଡା, ମଞ୍ଚେଶ୍ୱର, ବମିଖାଲ, କାନନ ବିହାର, ଝାରପଡ଼ା ଅଞ୍ଚଳରେ ସାତ ଦିନ ଧରି ଘନଘନ ବିଜୁଳି କାଟ୍‌ରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଖୋଦ୍‌ ରାଜଧାନୀରେ ଯଦି ବାରମ୍ବାର ଲାଇନ୍‌ କଟୁଛି, ତେବେ ଗ୍ରାମାଞ୍ଚଳରେ ସ୍ଥିତି କିଭଳି ଥିବ, ଏକଥା ଆଉ କାହାକୁ ବୁଝାଇ କହିବା ଦରକାର ନାହିଁ। ସେପଟେ ବିଦ୍ୟୁତ୍‌ ବିଲ୍‌ ନେଇ ପୁଣି ସମସ୍ୟା ଦେଖାଦେଇଛି। ନିର୍ଧାରିତ ସମୟଠାରୁ ବିଳମ୍ବରେ ବିଲ୍‌ ଆସିଥିବାରୁ ଚନ୍ଦ୍ରଶେଖରପୁର ପ୍ରଗତି ଏନ୍‌କ୍ଲେଭ୍‌ର ଗ୍ରାହକଙ୍କୁ ଅଧିକ ଅର୍ଥ ଗଣିବାକୁ ପଡ଼ିଛି। ଏମିତିକି ପ୍ରତି ମାସରେ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍‌ ଆସୁଥିବା ଗ୍ରାହକଙ୍କର ଏ ମାସରେ ୪ ହଜାରରୁ ଅଧିକ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe