ହକି ବିଶ୍ୱକପ: ଷ୍ଟାଡିୟମ୍‌ ଜଗିବ ସିସି କ୍ୟାମେରା

ଓଡ଼ିଶା ହକି ବିଶ୍ୱକପ୍‌: ଷ୍ଟାଡିୟମ୍‌ ବାହାରେ ବି ମ୍ୟାଚ୍‌ ଦେଖିପାରିବେ ଦର୍ଶକ, ଭୁବନେଶ୍ୱରରେ ଲାଗିବ ୧୨ ଏଲ୍‌ଇଡି ସ୍କ୍ରିନ 

Odisha Sun Times

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଓଡ଼ିଶା ପୁଲିସ ଅଣ୍ଟା ଭିଡ଼ିଛି। ଏନେଇ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହକି ଇଣ୍ଡିଆ କର୍ତୃପକ୍ଷ, କମିସନରେଟ୍‌ ପୁଲିସ, କ୍ରୀଡ଼ା ବିଭାଗ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଶେଷକରି କଳିଙ୍ଗ ଷ୍ଟାଡିୟମରେ ଗେଟ୍‌ଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ, ପାର୍କିଂ, ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍‌ ବ୍ୟବସ୍ଥା, ଫ୍ୟାନ୍ସ ଜୋନ, ଫନ୍‌ ବକ୍ସ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ୧୬ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରଠାରୁ ହୋଟେଲ, ପଡ଼ିଆ ମଧ୍ୟରେ ଖେଳାଳିଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ। ସମଗ୍ର କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ସିସି କ୍ୟାମେରା ନଜରରେ ରହିବ। ଏହି ସିସି କ୍ୟାମେରାକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ କରାଯିବ। ଏହାଛଡ଼ା ଷ୍ଟାଡିୟମ୍‌ ନିକଟରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯିବ। ଜଣେ ଏଡିସିପି ର‍୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ। ସେହିପରି ଷ୍ଟାଡିୟମର ୪ଟି ଗେଟ୍‌ରେ ପ୍ରବେଶ ଓ ପ୍ରସ୍ଥାନ ନେଇ ପ୍ରାଧାନ୍ୟ ଦିଆଯାଇଛି। ପଡ଼ିଆରେ ପ୍ରବେଶ ଓ ପ୍ରସ୍ଥାନ ନେଇ କଡ଼ା କଟକଣା ଲାଗୁ କରାଯିବ। ମ୍ୟାଚ୍‌ ଦିନ ପଡ଼ିଆ ନିକଟରେ କ୍ୟୁଏଟି, ଷ୍ଟ୍ରାଇକିଂ ଫୋର୍ସ, ଟ୍ରାଫିକ ପୁଲିସ ବ୍ୟାପକ ପରିମାଣର ମୁତୟନ ହେବେ। ଆଜି ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, ଡିସିପି ଅନୁପ ସାହୁ, କ୍ରୀଡ଼ା ସଚିବ ଭିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣା, ହକି ଇଣ୍ଡିଆ କର୍ତୃପକ୍ଷଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe