ଧରାକୁ ଓହ୍ଲାଇଲେ ଗଜଲକ୍ଷ୍ମୀ

ଧରାକୁ ଓହ୍ଲାଇଲେ ଗଜଲକ୍ଷ୍ମୀ

ଭୁବନେଶ୍ୱର : ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ବିନା ଚାକଚକ୍ୟରେ ଧରାକୁ ଓହ୍ଲାଇଛନ୍ତି ଐଶ୍ବର୍ଯ୍ୟ ଦେବୀ ଗଜଲକ୍ଷ୍ମୀ। ରାଜଧାନୀର ୫୦ରୁ ଊର୍ଧ୍ବ ସ୍ଥାନରେ ମା’ଙ୍କ ପୂଜାର୍ଚନ ସହ ଶୂନଶାନ ରାତିରେ ମା’ଙ୍କ ଆବହନୀ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛି ରାଜଧାନୀ। ହେଲେ ପୂଜାକୁ ଫିକା ପକ‌ାଇ ଦେଇଛି କରୋନା କଟକଣା। କିଛି ସ୍ଥାନରେ କଳସ ଅଧିବାସ ପରେ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚନା ଆରମ୍ଭ ହୋଇଥିବା ବେଳେ କିଛି ପୂଜା ମଣ୍ଡପରେ ପାଞ୍ଜି ମୁତାବକ ମା’ଙ୍କୁ ଚକ୍ଷୁଦାନ ଦିଆଯାଇଥିଲା। ପରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ମଣ୍ଡଳ ଦେବତା ପୂଜନ, ହବନ ଆରତି କରାଯାଇଥିଲା।

ଗଜଲକ୍ଷ୍ମୀ ପୂଜାରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଆଡ଼ମ୍ବର ସହକାରେ ପୂଜା କରାଯାଉଥିବା ବେଳେ ଏଥର ଆଉ ସେ କୋଳାହଳ ନଥିଲା। ପୂଜା ହେଉଥିଲା କିନ୍ତୁ ଭକ୍ତଙ୍କ ସମାଗମ ହୋଇନଥିଲା। ୟୁନିଟ୍‌ ୯ ଫ୍ଲାଟ୍‌, ୟୁନିଟ୍‌ ୯ ଫ୍ରେଣ୍ଡ୍‌ସ କ୍ଲବ୍‌ ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୀନାବଜାର ପଡ଼ୁଥିବା ବେଳେ ଏଥର ସ୍ଥାନୀୟ ଅଞ୍ଚଳବାସୀ ଏହାର ଅଭାବ ଅନୁଭବ କରିଥିଲେ।

publive-imageଆଜି ସନ୍ଧ୍ୟାରୁ ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଥିଲା। ହାତ ଗଣତି କିଛି କର୍ମକର୍ତାଙ୍କ ଉପସ୍ଥିତି‌ରେ ପୂଜାର୍ଚ୍ଚନା କରାଯାଇଛି। ପୂଜା ଅନୁଷ୍ଠିତ ହେଉଥିବା ବେ‌ଳେ ମଣ୍ଡପ ନିକଟକୁ କିଛି ଭକ୍ତ ଧାଇଁ ଆସିଥିଲେ ବି ମା’ଙ୍କୁ ଦର୍ଶନ କରିନପାରି ଫେରିଯିବା ବେଳେ ଦୁଃଖରେ ଭାଙ୍ଗି ପଡ଼ୁଥିଲେ। କିଛି ସ୍ଥାନରେ କରୋନା ଉଦ୍ଦେଶ୍ୟରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଆଉ କିଛି ପୂଜା ମଣ୍ଡପରେ କରୋନା ବାର୍ତା ଦିଆଯାଇଥିଲା।

ପୁରୁଣା ଭୁବନେଶ୍ୱର
ପୁରୁଣା ଭୁବନେଶ୍ବରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସନ୍ଧ୍ୟାରେ ବିନ୍ଦୁସାଗରରୁ ତୀର୍ଥ ଜଳ ଆଣିବା ପରେ ପୂଜା ଆରମ୍ଭ ହୋଇଛି। ଜମେଶ୍ବର ପାଟଣା, ବଣିଆ ସାହି, ବଢ଼େଇବାଙ୍କ ଛକ, ତିନି ମୁଣ୍ଡିଆ ଛକ, ଗୋସାଗରେଶ୍ବର ଛକ, ରାମେଶ୍ବର ପାଟଣା, ହାଟ ସାହି, କଞ୍ଚ ସାହି, ଗ୍ୟାରେଜ୍‌ ଛକ, ରବିଟକିଜ୍‌ ଛକ, ନାଗେଶ୍ବର ଟାଙ୍ଗୀ, ମହାବୀର ବଜାର, ସାମନ୍ତରାପୁର ଛକ, ଶ୍ରୀରାମ ନଗର ଛକ, ପୁନାମାଗେଟ୍‌, କପିଳପ୍ରସାଦ, ଭୀମଟାଙ୍ଗି, ପଳାଶପଲ୍ଲୀ ଛକ, ଏୟାରପୋର୍ଟ ଛକ, ବଡଗଡ଼, ବ୍ରହ୍ମେଶ୍ବର ପାଟଣା ଆଦି ସ୍ଥାନରେ ପୂଜା କରାଯାଉଛି। ପୂଜା କମିଟି ସଭ୍ୟଙ୍କ ବ୍ୟତୀତ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ କରାଯାଇଥିବା ବ‌େଳେ ମଣ୍ଡପ ଆଗରେ ପରଦା ଟଣାଯାଇଛି। ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ କହିବା ଅନୁଯାୟୀ ଦଶହରା ପରି ଗଜଲକ୍ଷ୍ମୀ ପୂଜାରେ କଟକଣାରେ ଲାଗୁ ହୋଇଛି। ସର୍ବସାଧାରଣ ଦର୍ଶନ ଓ ଅନ୍ନ ପ୍ରସାଦ ସେବନକୁ ବାରଣ କରାଯାଇଛି।

ତ୍ରିଶୁଳିଆ
ବାରଙ୍ଗ ନିକଟସ୍ଥ ରଘୁନାଥପୁରରେ ମା’ ଗଜଲକ୍ଷ୍ମୀ ପୂଜା ୟୁଥ ଆସୋସିଏସନ ପକ୍ଷରୁ କୋଭିଡ୍‌ କଟକଣା ମଧ୍ୟରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପୂଜା ୨୯ ବର୍ଷରେ ପଦାର୍ପଣ କରିଛି। ଏଥର ମା’ଙ୍କ ମୂର୍ତ୍ତି ୪ଫୁଟ ହୋଇଛି। ପୂଜକ ବୁଲା ଷଡ଼ଙ୍ଗୀ, ସଭାପତି ସୁବାସ ଚନ୍ଦ୍ର ପାତ୍ର, ସମ୍ପାଦକ କେଶବ ମୋହନ ପାତ୍ର , କର୍ତ୍ତା ଟୁଲୁ ପାତ୍ର ଓ ସୁଚିସ୍ମିତା ପାତ୍ର ମା’ ଲକ୍ଷ୍ମୀଙ୍କ ନିକଟରେ ହୋମ ଯଜ୍ଞ ସହ ପୂଜାର୍ଚ୍ଚନା କରିଥିଲେ। ରବିବାର ବିନା ବାଜା ରୋଷଣିରେ ଭସାଣି କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତା ମାନେ ଜଣାଇଛନ୍ତି। ସେହିଭଳି ଗଣ୍ଡରପୁର, ଗୋକନପୁର ଓ କଲ୍ୟାଣପୁରରେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ସଭାପତି ଶିବ ପ୍ରସାଦ ବସ୍ତିଆ, ଉପ-ସଭାପତି ଉପେଶ ପାଳ, ସମ୍ପାଦକ ହେମନ୍ତ ପରିଡ଼ା, ସହ-ସମ୍ପାଦକ ମୁରଲୀ ସ୍ୱାଇଁ, କୋଷାଧକ୍ଷ ସାଗର ପାଳ ପ୍ରମୁଖଙ୍କ ସହଯୋଗରେ ମା’ ଲକ୍ଷ୍ମୀଙ୍କର ପୂଜା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe