ବିରାଜିଲେ ମା’ ଗଜଲକ୍ଷ୍ମୀ

Advertisment
ପାର୍ବଣ ପାଇଁ ୨୮ରୁ କମ୍ପିବ ଢେଙ୍କାନାଳ ସହର;  ୮ରେ ମା’ଙ୍କ ଭସାଣି, ବାଜିବନି ଡିଜେ

ଭୁବନେଶ୍ୱର : ପୂର୍ଣ୍ଣିମାର ଉଦିଆ ଚାନ୍ଦ ମା’ଙ୍କୁ ସ୍ୱାଗତ କରିଛି। ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଗଜଲକ୍ଷ୍ମୀ। ଶୁଭ୍ର ଆକାଶ ତଳେ ମା’ଙ୍କୁ ଦର୍ଶନ ପାଇଁ ନିଶାର୍ଦ୍ଧରେ ସମବେତ ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପାଞ୍ଜି ମୁତାବକ ଅପରାହ୍‌ଣ ୩ଟା, ସନ୍ଧ୍ୟା ୫ଟା ଓ ୭ଟାରେ ନଦୀରୁ କଳସରେ ପାଣି ଉଠାଇବା ପରେ ମା’ଙ୍କୁ ମଣ୍ଡପରେ ପୂଜାର୍ଚନା କରାଯାଇଛି। ଅନେକ ମଣ୍ଡପରେ ପୂଜା ସରିବା ବେଳକୁ ବିଳମ୍ବିତ ରାତି ହୋଇଥିଲେ ହେଁ ଗଜଲକ୍ଷ୍ମୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି। ଏଥର ଭୁବନେଶ୍ୱରରେ ଉପକଣ୍ଠକୁ ମିଶାଇ ୭୬ଟି ମଣ୍ଡପରେ ମା’ ପୂଜା ପାଉଥିବା ବେଳେ ରାଜଧାନୀର ମଧ୍ୟଭାଗରେ ପୂଜାର ଆକର୍ଷଣ ସବୁଠୁ ନିଆରା।

ଶାରଦୀୟ ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ମଧ୍ୟରେ ଅନ୍ତର କମ୍‌ ଥିବାରୁ ଏଥର ଅନେକ ସ୍ଥାନରେ ତୋରଣ କାମ ସମ୍ପୂର୍ଣ୍ଣ ହୋଇପାରିନି। ୟୁନିଟ୍‌ ୯ ଫ୍ଲାଟ୍‌ ରିଜିଓନାଲ୍‌ ଛକରେ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ପକ୍ଷରୁ ସୁଦୃଶ୍ୟ କାଳ୍ପନିକ ତୋରଣ ନିର୍ମିତ କରାଯାଉଛି। ତେବେ ସନ୍ଧ୍ୟାରୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲେ ହେଁ ତୋରଣ କାମ ସାରିବାକୁ କାରିଗରମାନେ ଲାଗିପଡ଼ିଥିଲେ। ଏଠାରେ ମା’ଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ଯାଏଁ ଭିଡ଼ ଲାଗିଥିଲା। ତେବେ ବାପୁଜୀ ନଗରସ୍ଥିତ ଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜାରେ ଶ୍ରଦ୍ଧାଳୁ ମା’ଙ୍କୁ ସଅଳ ଦର୍ଶନ ପାଇଥିଲେ। ଏଠାରେ ସନ୍ଧ୍ୟା ସାଢ଼େ ୬ଟାରେ ମା’ଙ୍କ ମୁହଁ ଫିଟା ହେବା ପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେହିପରି ୟୁନିଟ୍‌ ୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଆୟୋଜିତ ପୂଜାରେ ରୁପା ଗହଣାରେ ସୁସଜ୍ଜିତ ମା’ଙ୍କୁ ରାତି ୯ଟା ୧୦ ପରେ ଦର୍ଶନ ମିଳିଥିଲା। ରୁପା ନିର୍ମିତ କିରଟ, ମୁକୁଟ, ହାର, ଚିକ, ବାହୁଟି, ଚୁଡ଼ି ଆଦି ଅଳଙ୍କାରରେ ସଜ୍ଜିତା ମା’ଙ୍କୁ ଦେଖିବା ପାଇଁ ମଧ୍ୟ ସମାଗମ ହୋଇଥିଲା। ୟୁନିଟ୍‌ ୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ଲକ୍ଷ୍ମୀସାଗର, ଅଶୋକନଗର, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ବରମୁଣ୍ଡା ଗ୍ରାମସ୍ଥିତ ଲକ୍ଷ୍ମୀ ମଣ୍ଡପ, ଖାରବେଳ ନଗର, ଖଣ୍ଡଗିରି କେସିଏ ପଡ଼ିଆ, ନୟାପଲ୍ଲୀ ୟୁରେକା କ୍ଲବ୍‌ ନିକଟରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ ପାଇଁ ସ୍ଥାନୀୟ ବାସିନ୍ଦାମାନେ ଭିଡ଼ ଜମେଇଥିଲେ।

୭୬ ପୂଜା ମଣ୍ଡପ ମଧ୍ୟରୁ ୧୫ରୁ ଊର୍ଧ୍ୱ ମଣ୍ଡପ ନିକଟରେ ମୀନାବଜାର ଓ ଦୋଳି ଲାଗିଥିବାରୁ ସେଠାରେ ସନ୍ଧ୍ୟାରୁ ଭିଡ଼ ଜମିଥିଲା। ମା’ ଗଜଲକ୍ଷ୍ମୀ ଆଜିର ଦିନରେ ଧରାପୃଷ୍ଠକୁ ଅବତରଣ କରି ପରିକ୍ରମା କରୁଥିବା ପୁରାଣ ବର୍ଣ୍ଣିତ ଥିବାରୁ ଅନେକ ସ୍ଥାନରେ ମା’ଙ୍କର ଏହି ଗଜଲକ୍ଷ୍ମୀ ପୂଜାକୁ ଉଜାଗର ହୋଇ ବିତାଇଛନ୍ତି ଶ୍ରଦ୍ଧାଳୁ ଓ ପୂଜା କମିଟିର ସଦସ୍ୟମାନେ। ମିଳିଥିବା ସୂଚନା ମୁତାବକ କେତେକ ବାପୁଜୀ ନଗରରେ ପୂଜା ୭ଦିନ ପର୍ଯ୍ୟନ୍ତ ପୂଜା ଚାଲିବାକୁ ଥିବା ବେଳେ ଭୁବନେଶ୍ୱର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ପୂଜା ୧୨ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।

ସହିଦନଗର ପଡ଼ିଆରେ ହେବ ଗଜଲକ୍ଷ୍ମୀ ଭସାଣି
ସହିଦନଗର ପୂଜା କମିଟି ପକ୍ଷରୁ ବିଗତ କିଛି ବର୍ଷ ହେବ ମା’ ଗଜଲକ୍ଷ୍ମୀଙ୍କ ଭସାଣି ମହା ସମାରୋହରେ ପାଳିତ ହୋଇ ଆସୁଛି। ଏଥର ମଧ୍ୟ ୧୧ ତାରିଖରେ ସହିଦନଗର ଯାତ୍ରା ପଡ଼ିଆରେ ଭସାଣି ଅନୁଷ୍ଠିତ ହେବ। ଏଥିରେ ୧୫ରୁ ୨୦ ମେଢ଼ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସହଦିନଗର ପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।

ଓୟୁଏଟି କୃଷିବିହାରରେ ନିଆରା ପୂଜା
ଓୟୁଏଟି କୃଷିବିହାରଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଦଶମ ବର୍ଷରେ ପଦାର୍ପଣ କରିଥିବା ବେଳେ ବିନା ଚାନ୍ଦାରେ ପୂଜା ଏଠିକାର ବିଶେଷତ୍ୱ। ଏଠି କେହି ସଭାପତି କି ସମ୍ପାଦକ ନାହାନ୍ତି। ବରଂ ସମସ୍ତଙ୍କୁ ପ୍ରାଧାନ୍ୟ ଦେଇ ପୂଜା ଅନୁଷ୍ଠିତ ହେଉଛି। ସବୁଠୁ ବଡ଼ ଆକର୍ଷଣ ହେଉଛି ଏଠିକାର କୁମାରୀ ପୂଜା। କୁଆଁରୀ ଝିଅମାନଙ୍କୁ ସୁସଜ୍ଜିତ କରି ମା’ମାନେ ପୂଜନ କରିବାର ବିଧି ଅନନ୍ୟ। ଏହା କେବଳ ଆଧ୍ୟାତ୍ମିକ ବାର୍ତାକୁ ବହନ କରିନାହିଁ ବରଂ ନାରୀ ଯେ ପୂଜ୍ୟ ଏହି ବଳିଷ୍ଠ ବାର୍ତା ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe