ଶିଳ୍ପୀଗୁରୁ ବେଶରେ ଗଜାନନ

ଶିଳ୍ପୀଗୁରୁ ବେଶରେ ଗଜାନନ

ଧଉଳି: ଶାନ୍ତିସ୍ତପ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଶିଳ୍ପୀ ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷରେ ଉଲରେ ନିର୍ମାଣ କରିଛନ୍ତି ୭ଫୁଟ୍‌ ଉଚ୍ଚର ସିଦ୍ଧି ବିନାୟକଙ୍କ ପ୍ରତିମୂର୍ତ୍ତି। ପୂଜାମଣ୍ଡପରେ ବିନାୟକ ଶିଳ୍ପୀ ଗୁରୁ ଭାବେ ଠିଆ ହୋଇ ହାତରେ ତୂଳୀ ଓ ରଙ୍ଗ ଧରି କାନଭାସ ଉପରେ ଆଙ୍କୁଛନ୍ତି ବୁଦ୍ଧଦେବଙ୍କ ଚିତ୍ର। ସାଧାସିଧା ମଣିଷଟିଏ ଭଳି ମୁଣ୍ଡରେ ଟୋପି, ଟି-ସାର୍ଟ ଓ ପ୍ୟାଣ୍ଟ ଆଦି ଆଧୁନିକ ପୋଷାକ ପରିଧାନ କରିଛନ୍ତି। ଗଣେଶଙ୍କ ପ୍ରତିମୂର୍ତ୍ତି ନିକଟରେ ଉଲ୍‌ରେ ପାଖାପାଖି ଏକ ଫୁଟ ଉଚ୍ଚର ମୂଷିକ ବାହନ ବି ଉପବିଷ୍ଟ ହୋଇଛନ୍ତି। ଅପରପକ୍ଷେ ଏହି ଅବସରରେ କ୍ରାଫ୍ଟ ବଜାର ପରିସରରେ ଆର୍ଟ ଗ୍ୟାଲେରିରେ ଆୟୋଜିତ ହୋଇଛି ଅଙ୍କନ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ। ଟୁରିଷ୍ଟ ଅଫିସର ଅଜୟ କୁମାର ରାଉତଙ୍କ ସମେତ ସରପଞ୍ଚ ପୂର୍ଣ୍ଣିମା ସାହୁ, ଯୁବନେତା ହରେକୃଷ୍ଣ ସାହୁ, ବିଷ୍ଣୁ କାଳିଆ, ସମିତି ସଭ୍ୟ ଭଗବାନ ସାହୁ, କଲେଜ ସଂପାଦକ ମିହିରକାନ୍ତ ପ୍ରହରାଜ, ଡ. ହୃଷୀକେଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉକ୍ତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟ ଛାତ୍ର ବିଶ୍ୱରଂଜନ ଦାସ, ହୀରାଲାଲ ରାଉତ, ଅଂଶୁମାନ ସ୍ୱାଇଁ, ବିକାଶ ସ୍ୱାଇଁ, ରଣଜିତ ପାଣି, ଗୋପାଳ ଚନ୍ଦ୍ର ମଲ୍ଲିକ ଓ ପଙ୍କଜ ବେହେରାଙ୍କୁଚ ଦୀର୍ଘ ୧୫ ଦିନ ମୂର୍ତ୍ତି ନିର୍ମାଣ ପାଇଁ ସମୟ ଲାଗିଥିଲା।

କେଏମ୍‌ବିବି କ୍ୟାମ୍ପସ୍‌ ୨ରେ ଗଣେଶ ପୂଜା
ଭୁବନେଶ୍ୱର:କେଏମ୍‌ବିବି କ୍ୟାମ୍ପସ୍‌ ୨ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। କନିଷ୍ଠ ବିଜ୍ଞାନ ତଥା ବି ଟେକ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପୂଜାର୍ଚନା କରିଥିଲେ। ଏହି ପରିପ୍ରେକ୍ଷୀରେ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଆକର୍ଷଣ ସାଜିଥିଲା। କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଚିତ୍ତରଂଜନ ଭୋଇ, କେଏମ୍‌ବିବି ସିଇଟିର ଡିନ୍‌ ଡ.ବି.ସି ସୂତାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅଧ୍ୟାପକ ସରୋଜ ଦାସ, ସନ୍ତୋଷ ସାହୁ, ଦେବସ୍ମିତା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ମହାନ୍ତି ପରିଚାଳନାରେ ସହାୟତା କରିଥିଲେ।

publive-image

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶତାଧିକ ସ୍ଥାନରେ ପୂଜା
ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ୧୦୦ରୁ ଅଧିକ ସ୍ଥାନରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଛି। କିଟ୍‌, କିସ୍‌, ସିଲିକନ୍‌, ଟ୍ରାଇଡେଣ୍ଟ, ସିପେଟ୍‌, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ବିଆଇଟିଟିଏମ୍‌, ଓଡିଏମ୍‌ ସ୍କୁଲ, ଜାଭିଅର ସ୍କୁଲ, ଡିଏଭି ଚନ୍ଦ୍ରଶେଖରପୁର, ୟୁଏସ୍‌ବିଏମ୍‌ ପରି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉତ୍ସାହ ମଧ୍ୟରେ ଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ‘କିସ୍‌’ରେ ପ୍ରାୟ ୩୦ ହଜାର ଜନଜାତି ଛାତ୍ରଛାତ୍ରୀ ଏକାଠି ହୋଇ ପୁଷ୍ପାଞ୍ଜଳି ଦେବାର ଦୃଶ୍ୟ ଥିଲା ନିଆରା। ସେହିପରି ନାଲକୋ ଛକ ନିକଟସ୍ଥ ‘ରାଜଧାନୀ ନିୟ୍ୟୁଜ୍‌ ପେପର ହକର୍ସ ୟୁନିୟନ୍‌’ ପକ୍ଷରୁ ମଧ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ସଂଘର ସମସ୍ତ ସଦସ୍ୟ ସାମିଲ ହୋଇ ପୂଜାର୍ଚ୍ଚନା କରିବା ସହ ଅନ୍ନପ୍ରସାଦ ଦାନ କରିଥିଲେ। ଭିଏସ୍‌ଏସ୍‌ ନଗର ଗଡ଼େଶ୍ୱର ହାଟରେ ଆଜିଠାରୁ ବାଦି ପାଲା ଆରମ୍ଭ ହୋଇଛି। ଶୈଳଶ୍ରୀବିହାର, ଡମଣା, ଚନ୍ଦ୍ରେଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ବିଡିଏ କଲୋନି, ରଙ୍ଗମାଟିଆ, ଗାଡ଼କଣ, ପଟିଆର ଏକାଧିକ କ୍ଲବ ପକ୍ଷରୁ ପୂଜା ପାଣ୍ଡାଲ ନିକଟରେ ଭଜନ ସମାରୋହ ଓ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଖଣ୍ଡଗିରି ଅଞ୍ଚଳରେ ଜମୁଛି ପୂଜା
ଖଣ୍ଡଗିରି: ସ୍ଥାନୀୟ ଅଞ୍ଚଳରେ ଗଜାନନ ପୂଜା ମହା ଧୂମ୍‌ଧାମ୍‌ରେ ପାଳିତ ହେଉଛି। ସମସ୍ତ ବିଦ୍ୟାଳୟ, କ୍ଲବ ଓ କଲୋନିମାନଙ୍କରେ ଥିବା ସୋସାଇଟିମାନେ ଏହି ପୂଜାରେ ସାମିଲ ହୋଇଛନ୍ତି। ବରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର, ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିର, ସିଜୁଆ-ପାତ୍ରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିର, ତମାଣ୍ଡୋ ସରସ୍ୱତୀ ବିଦ୍ୟାମନ୍ଦିର, କଳିଙ୍ଗବିହାର ସରସ୍ୱତୀ ଶିଶୁ ମନ୍ଦିର, ଘାଟିକିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପାତ୍ରପଡ଼ା-ଭଗବାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତମାଣ୍ଡୋ ଭ୍ରମରବର ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି ଉଚ୍ଚ ବିଦ୍ୟାଳୟ ଆଦିରେ ଏହି ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି। ସେହିଭଳି ବରମୁଣ୍ଡା ଲକ୍ଷ୍ମୀ ମଣ୍ଡପ ପୂଜା କମିଟି, ଜାଗମରା ସିଦ୍ଧେଶ୍ୱର କ୍ଲବ ଓ ଘାଟିକିଆ ଏଭେରେଷ୍ଟ କ୍ଲବ ମଧ୍ୟ ଖୁବ୍‌ ଜାକଜମକରେ ଗଣେଶ ପୂଜା କରିଛି। ବହୁ କ୍ଲବର ପୂଜା ମଣ୍ଡପରେ ସନ୍ଧ୍ୟାରେ ଆୟୋଜନ ହୋଇଥିବା ଭଜନ ସନ୍ଧ୍ୟା ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe