ଭୁବନେଶ୍ବର: ଗୌତମନଗରରେ ଗତ ରାତିରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ହାଣିବା ଘଟଣାକୁ ନେଇ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍ତି ବାସିନ୍ଦାମାନେ ଆଜି ଡିସିପିଙ୍କୁ ଫେରାଦ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଗୋଟିଏ ପରିବାରର ସଦସ୍ୟ ବସ୍ତିରେ ଏଭଳି ଅଶାନ୍ତି ସୃଷ୍ଟି କରୁଛନ୍ତି। ବିଭିନ୍ନ ଅପରାଧରେ ଜଡ଼ିତ ଥିବା ସେହି ପରିବାରର ସଦସ୍ୟ ବିଭିନ୍ନ ସମୟରେ ଦାଦାବଟି ମାଗିବା ସହ ଧମକଚମକ ଦେଇ ଆସୁଛନ୍ତି। ଏ ନେଇ ପୂର୍ବରୁ ଡିସିପିଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବଡ଼ଗଡ଼ ଥାନା ପୁଲିସକୁ ପୂର୍ବରୁ ନିର୍ଦ୍ଦେଶ ମଧ୍ୟ ରହିଛି। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ଅପରାଧୀ ସାହସ ଜୁଟାଇ ହାଣିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ତନାଘନା ଆରମ୍ଭ କରିଛି ପୁଲିସ। ଫେରାର ଆକ୍ରମଣକାରୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁର୍ବୃତ୍ତମାନେ ଗୌତମନଗରରେ ମଣ୍ଟୁ ମହାନ୍ତି ଓ ତାଙ୍କ ସମ୍ପର୍କୀୟ ରାଜକିଶୋର ରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବାରୁ ସେମାନଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗୌତମ ନଗରରେ ରାସ୍ତାରେ ଗୋଡ଼ାଇ ହାଣିବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡିସିପିଙ୍କୁ ଫେରାଦ
Advertisment
Follow Us