ଗଙ୍ଗୁଆ ସର୍ଭେ ଆରମ୍ଭ

Advertisment
ଗଙ୍ଗୁଆ ସର୍ଭେ ଆରମ୍ଭ

ଭୁବନେଶ୍ବର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ନିଭାଉଥିବା ଗଙ୍ଗୁଆ ଜବରଦଖଲରେ ଥିବାରୁ ଜଳ ନିଷ୍କାସନ ସମସ୍ୟା ହେଉଛି। ଫଳରେ ଭୁବନେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ବାରମ୍ବାର ଅଭିଯୋଗ ହେବା ପରେ ଏହାର ଉଭୟ ପାର୍ଶ୍ବରେ ସୀମା ଚିହ୍ନଟ କରିବା ସହ କାନ୍ଥ ଓ କେନାଲ ରୋଡ୍‌ ପୁନରୁଦ୍ଧାର ପାଇଁ ଯୋଜନା କରିଥିଲା ଜଳସମ୍ପଦ ବିଭାଗ। ଏହି ଯୋଜନା ଆଧାରରେ ଏହାର ସର୍ଭେ କରି ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜଳସମ୍ପଦ ବିଭାଗ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓ ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିଲା। ଏହି ଚିଠି ଆଧାରରେ ଗଙ୍ଗୁଆର ସର୍ଭେ ଆରମ୍ଭ ହୋଇଛି। ଏକ ସ୍ବତନ୍ତ୍ର ବୋଟ୍‌ରେ ୪ ଜଣିଆ ଟିମ୍‌ ଏହାର ସର୍ଭେ ଆରମ୍ଭ କରିଛି। ୭ ଦିନ ଭିତରେ ସର୍ଭେ ରିପୋର୍ଟ ଜଳସମ୍ପଦ ବିଭାଗରେ ଦାଖଲ ହେବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ସହରର ପ୍ରମୁଖ ୧୦ଟି ପ୍ରାକୃତିକ ନାଳ ଜରିଆରେ ସହରର ବର୍ଜ୍ୟଜଳ ଗଙ୍ଗୁଆକୁ ଯାଇଥାଏ। କିନ୍ତୁ ଗଙ୍ଗୁଆ ଜବରଦଖଲ ଯୋଗୁ ସଙ୍କୁଚିତ ହୋଇଯାଇଥିବାରୁ ୧୦ଟି ନଳାରୁ ଆସୁଥିବା ପାଣି ଏଥିରେ ନିଷ୍କାସିତ ହୋଇ ପାରୁ ନାହିଁ। ଫଳରେ ଭୁବନେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହି ଗଙ୍ଗୁଆ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ପ୍ରଥମେ ଏହାକୁ ସଫା କରିବାକୁ ଯୋଜନା ହୋଇଥିଲା। କଟକର ଡ୍ରେନେଜ୍‌ ଡିଭିଜନ୍‌ ଏହାକୁ ସଫା କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲା। ଏଥିପାଇଁ କେତେ ଖର୍ଚ୍ଚ ହେବ ସେ ନେଇ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହାର ଅଧିକାଂଶ ଭାଗକୁ ବିଏମ୍‌ସି ବ୍ୟବହାର କରୁଥିବାରୁ ଏହାକୁ ବିଏମ୍‌ସି ଅଧୀନକୁ ଆଣିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ବିଏମ୍‌ସିର ଡ୍ରେନେଜ୍‌ ଉପବିଭାଗରେ କର୍ମଚାରୀ ଅଭାବ ଓ ଦକ୍ଷତା ନଥିବା ଦର୍ଶାଇ ବିଏମ୍‌ସି କର୍ତ୍ତୃପକ୍ଷ ଏହି ପ୍ରସ୍ତାବ ଗ୍ରହଣ କରି ନଥିଲେ। ଏଣୁ ଏହା ପୁଣି ଥରେ ଡ୍ରେନେଜ୍‌ ଡିଭିଜନ୍‌କୁ ଫେରି ଯାଇଥିଲା। ଏଣେ ବନ୍ୟା ପରିସ୍ଥିତି ବଢ଼ି ବଢ଼ି ଚାଲିଥିଲା। ବିଶେଷକରି ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳ ବାସିନ୍ଦା ପ୍ରଭାବିତ ହେବାରୁ ଗତ ବର୍ଷ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ। ଏହି ଚିଠି ଆଧାରରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe