ପୁନରୁଦ୍ଧାର ହେବ ଗଙ୍ଗୁଆ ନାଳ

ରିପୋର୍ଟ ତଲବ କଲା ଜଳସମ୍ପଦ ବିଭାଗ

ପୁନରୁଦ୍ଧାର ହେବ ଗଙ୍ଗୁଆ ନାଳ

ଭୁବନେଶ୍ବର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ନିଭାଉଥିବା ଗଙ୍ଗୁଆ ଏବେ ଜବରଦଖଲ ହେବାରେ ଲାଗିଛି। ଫଳରେ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ। ଯେଉଁଥିପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷକରି ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳ ବାସିନ୍ଦାଙ୍କ ସମେତ କେତେକ ତଳି ଅଞ୍ଚଳବାସୀ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ଉଭୟ ପାର୍ଶ୍ବରେ ସୀମା ଚିହ୍ନଟ କରିବା ସହ କାନ୍ଥ ଓ କେନାଲ ରୋଡ୍‌ ପୁନରୁଦ୍ଧାର ପାଇଁ ଯୋଜନା ହେଉଛି। ଏହାର ସର୍ଭେ କରି ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜଳସମ୍ପଦ ବିଭାଗ ନିର୍ଦ୍ଦେଶ ଦେଇଛି। ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଯଥା ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବା ନେଇ ବିଭାଗ ଚିଠି ଲେଖିଛି। ରିପୋର୍ଟ ହସ୍ତଗତ ହେବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସହରର ପ୍ରମୁଖ ୧୦ଟି ନାଳ ଜରିଆରେ ସହରର ବର୍ଜ୍ୟଜଳ ନିଷ୍କାସିତ ହୋଇ ଏହି ଗଙ୍ଗୁଆକୁ ଯାଇଥାଏ। ବର୍ଷାଋତୁରେ ଭୁବନେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏଣୁ ଗଙ୍ଗୁଆକୁ ସଫା କରି ବର୍ଷାଜଳ ତ୍ବରିତ ନିଷ୍କାସନ କରିବାକୁ ଯୋଜନା ହୋଇଥିଲା। କଟକରେ ଥିବା ଡ୍ରେନେଜ୍‌ ଡିଭିଜନ୍‌ ଏହାକୁ ସଫା କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ସହ ବଜେଟ୍‌ ଆକଳନ ମଧ୍ୟ କରିଥିଲା। କିନ୍ତୁ ଏହାର ଅଧିକାଂଶ ଭାଗକୁ ବିଏମ୍‌ସି ବ୍ୟବହାର କରୁଥିବାରୁ ଏହାକୁ ବିଏମ୍‌ସି ଅଧୀନକୁ ଆଣିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ବିଏମ୍‌ସିର ଡ୍ରେନେଜ୍‌ ଉପବିଭାଗରେ କର୍ମଚାରୀ ଅଭାବ ଓ ଦକ୍ଷତା ନଥିବା ଦର୍ଶାଇ ବିଏମ୍‌ସି କର୍ତ୍ତୃପକ୍ଷ ଏହି ପ୍ରସ୍ତାବ ଗ୍ରହଣ କରି ନଥିଲେ। ଏଣୁ ଏହା ପୁଣି ଥରେ ଡ୍ରେନେଜ୍‌ ଡିଭିଜନ୍‌କୁ ଫେରିଗଲା। ମାଲିକାନାକୁ ନେଇ ଏଭଳି ଦ୍ବନ୍ଦ୍ବ ହେବାରୁ ଜବରଦଖଲକାରୀ ଫାଇଦା ନେଇଛନ୍ତି। ଜବରଦଖଲ ବଢ଼ିବାରେ ଲାଗିଛି। ଯିଏ ଯେମିତି ପାରୁଛି, ଗଙ୍ଗୁଆର ସୀମା ନିର୍ଦ୍ଧାରଣ କରୁଛି। ଫଳରେ ସ୍ଥାନୀୟ ବାସିନ୍ଦା ସମସ୍ୟା ଭୋଗୁଛନ୍ତି। ସେହିଭଳି ଲକ୍ଷ୍ମୀସାଗରରୁ ବଡ଼ଗଡ଼ ଦେଇ ଯାଇଥିବା କେନାଲ ରୋଡ୍‌ ଅବସ୍ଥା ଖରାପ ରହିଛି। ମରାମତି ମଧ୍ୟ ହେଉନାହିଁ। ଏହାକୁ ନେଇ ଗତ ଜାନୁଆରି ମାସରେ ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳବାସିନ୍ଦା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏଣୁ ସେମାନେ ପୁଣି ଥରେ ଚଳିତ ମାସରେ ଚିଠି ଲେଖିଥିଲେ। ଏହି ଚିଠିକୁ ଗୁରୁତ୍ବର ସହ ନେଇ ସରକାର ଏହାର ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe