ଦିବାଲୋକରେ ରାଜରାସ୍ତାରେ ଗ୍ୟାଙ୍ଗ୍‌ୱାର୍‌: ବାଇକ୍‌ରେ ଗୋଡ଼େଇ ଚଳନ୍ତା ସ୍କର୍ପିଓକୁ ବୋମା ଫିଙ୍ଗିଲେ

Advertisment

ଜଣେ ଆହତ, ଚକ୍‌ମ‌ା ଦେଖାଇ ଖସିଗଲେ ଦୁର୍ବୃତ୍ତ, ଆପିକଲ୍‌ କାର୍ଯ୍ୟାଳୟ ସାମ୍ନାରେ ଘଟିଲା ଅଘଟଣ

ଜଣେ ଆହତ, ଚକ୍‌ମ‌ା ଦେଖାଇ ଖସିଗଲେ ଦୁର୍ବୃତ୍ତ, ଆପିକଲ୍‌ କାର୍ଯ୍ୟାଳୟ ସାମ୍ନାରେ ଘଟିଲା ଅଘଟଣ

ଦିବାଲୋକରେ ରାଜରାସ୍ତାରେ ଗ୍ୟାଙ୍ଗ୍‌ୱାର୍‌: ବାଇକ୍‌ରେ ଗୋଡ଼େଇ ଚଳନ୍ତା ସ୍କର୍ପିଓକୁ ବୋମା ଫିଙ୍ଗିଲେ

ଭୁବନେଶ୍ବର: ଚଳିତ ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିଲେ ହେଁ ରାଜଧାନୀରେ ମତଦାନ ଊଣାଅଧିକ ଶାନ୍ତପୂର୍ଣ୍ଣ ଭାବେ ଶେଷ ହୋଇଛି। ଇଭିଏମ୍‌ ସବୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ବହୁସ୍ତରୀୟ ସୁରକ୍ଷାବଳୟ ଭିତରେ ରହିଥିବାବେଳେ ସାରା ରାଜଧାନୀ ଉପରେ ମଧ୍ୟ ପୁଲିସର କଡ଼ା ନଜର ରହିଛି। ଏତିକିବେଳେ ଆଜି ରାଜରାସ୍ତା ଉପରେ ଗ୍ୟାଙ୍ଗ୍‌ୱାର୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଫିଲ୍ମ ଷ୍ଟାଇଲ୍‌ରେ ଗୋଟିଏ ଗୋଷ୍ଠୀର ଯୁବକମାନେ ବାଇକ୍‌ରେ ଗୋଡ଼େଇ ‌ଗୋଡ଼େଇ ପ୍ରତିପକ୍ଷର ଏକ ଚଳନ୍ତା କାର୍‌ ଉପରକୁ ବୋମାମାଡ଼ କରିଛନ୍ତି। ହତ୍ୟା ପାଇଁ ବିଧିବଦ୍ଧ ଯୋଜନା ଭଳି ମନେ ହେଉଥିବା ଏ ଘଟଣାରେ କାର୍‌ ଚଳାଉଥିବା ନୂଆପଲ୍ଲୀ ଅଞ୍ଚଳର ରାଜେଶ ସାମନ୍ତସିଂହାର ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ବୋମା ଫିଙ୍ଗିଥିବା ଦୁଇବ୍ୟକ୍ତି ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି। ପୁଲିସ ବୋମା ଫିଙ୍ଗିଥିବା ଦୁଇଜଣଙ୍କ ଭିତରୁ ଜଣକୁ ଚିହ୍ନଟ କରିଥିଲେ ମଧ୍ୟ ଏଯାଏ କାହାରିକୁ ଧରି ପାରିନାହିଁ। ନିର୍ବାଚନ ମାହୋଲରେ ଏହି ଘଟଣାଟି ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି ନା ଏହାର ରାଜନୀତି ସହିତ କିଛି ସଂପର୍କ ଅଛି, ସେ ବିଷୟରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ରାଜେଶ ସାମନ୍ତସିଂହାର ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେବାସହିତ ଦୁର୍ବୃତ୍ତଙ୍କୁ ଗିରଫ କରିବାଲାଗି ଦାବି କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୮ଟା ସମୟରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଏୟାରପୋର୍ଟ ନୂଆରାସ୍ତାରେ ରାଜେଶ ନିଜର କଳାରଙ୍ଗର ସ୍କର୍ପିଓରେ ଯାଉଥିଲେ। ସେ ଆପିକଲ୍‌ କାର୍ଯ୍ୟାଳୟ ସାମ୍‌ନାରେ ହୋଇଥିବା ସମୟରେ ଦୁଇଜଣ ଯୁବକ ପଛରୁ ବାଇକ୍‌ରେ ଗୋଡ଼େଇ ଗୋଡ଼େଇ ଆସି ସ୍କର୍ପିଓ ଉପରକୁ ବୋମାମାଡ଼ କରିଥିଲେ। ରାଜେଶ ଗାଡ଼ି ନଅଟକାଇ ଖସିବାକୁ ଉଦ୍ୟମ କରି ଥିଲେ ମଧ୍ୟ ଦୁର୍ବୃତ୍ତମାନେ ବାଇକ୍‌ରେ ଗୋଡ଼ାଇ ଗୋଡ଼ାଇ କାର୍‌ ଉପରକୁ ଆଉଥରେ ବୋମାମାଡ଼ କରିଥିଲେ। ଏହି ଆକ୍ରମଣରେ କାର୍‌ ଆଗସିଟ୍‌ ପାଖ କାଚ ଭାଙ୍ଗିଯିବା ସହ କାର୍‌ ଗୋଟିଏ ପାର୍ଶ୍ବ ଜଳି ଉଠିଥିଲା। ତା’ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ବୋମାମାଡ଼ ଫଳରେ କାର୍‌ ଭିତରେ ଥିବା ଗାଡି ଚାଳକ ରାଜେଶ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ସେଥିରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ବର୍ତ୍ତମାନ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି। ଆହତଙ୍କୁ ଏ ବିଷୟରେ ପଚରାଉଚରା କରିବା ପରେ ବୋମା ଫିଙ୍ଗିଥିବା ଦୁର୍ବୃତ୍ତମାନଙ୍କ ସଂପର୍କରେ କିଛି ସୂଚନା ମିଳିଛି ବୋଲି କୁହାଯାଉଛି। ପୂର୍ବରୁ ଏହି ରାସ୍ତାରେ ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳରେ ଖଣ୍ଡା ବୁଲିବା ମାମଲା ସହିତ ଏହି ଘଟଣାର ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ସେହି ଘଟଣାରେ ଆହତ ରାଜେଶ ସାମନ୍ତସିଂହାରଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେଣୁ ସେହି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି। ତେବେ ଏହି ବୋମାମାଡ଼ ନିର୍ବାଚନୀ ହଂସାକାଣ୍ଡ ନୁହେଁ ବୋଲି ଡିସିପି ପ୍ରତୀକ ସିଂହ ସ୍ପଷ୍ଟକଲେ ମଧ୍ୟ ମତଦାନର ଠିକ୍‌ ପରଦିନ ଘଟିଥିବା ଏହି ଘଟଣାକୁ ସାଧାରଣରେ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି। ବୋମା ପିଙ୍ଗିଥିବା ଦୁଇ ଦୁର୍ବୃତ୍ତଙ୍କର ଏକ ରାଜନୈତିକ ଦିଳ ସହିତ ସଂପର୍କ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe