ମେଡିସିନ୍ ପେଟିରେ ୪୬ କେଜି ଗଞ୍ଜେଇ, ୩ ଗିରଫ, କାର୍‌ ଜବତ

ମେଡିସିନ୍ ପେଟିରେ ୪୬ କେଜି ଗଞ୍ଜେଇ, ୩ ଗିରଫ, କାର୍‌ ଜବତ

ଭୁବନେଶ୍ବର : ପୁଲିସ ଓ ଅବକାରୀ ବିଭାଗ ଆଖି‌ରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରିବାକୁ ବେପାରୀମାନେ ନୂଆ ନୂଆ ତରିକା ବାହାର କରୁଛନ୍ତି। ପୂର୍ବରୁ ପରିବା ଗାଡ଼ି, ଆମ୍ବୁଲାନ୍‌ସ ଭଳି ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। କିନ୍ତୁ ଏବେ ପୁଣି ଏକ ନୂଆ ତରିକା ଦେଖିବାକୁ ମିଳିଛି। ମେଡିସିନି ପେଟିରେ ଚାଲିଥିଲା ଏହି ଚୋରା କାରବାର। ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଭୁବନେଶ୍ବର ଅବକାରୀ ସ୍କ୍ବାଡ୍‌ ଏହି ନୂଆ ଢ଼ାଞ୍ଚାକୁ ବିଫଳ କରିଛି। କନ୍ଧମାଳରୁ ବରମୁଣ୍ଡା ଦେଇ ରାଜ୍ୟ ବାହାରକୁ ମେଡିସିନି ପେଟିରେ ଚାଲାଣ ହେଉଥିବା ୪୬ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ମାଲ୍‌ର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଚାଲାଣ କରୁଥିବା ଯୁବକମାନେ ହେଲେ କନ୍ଧମାଳର ଅଶିନ କୁମାର ବେହେରା, ବାସୁଦେବ ଦିଗାଲ୍ ଓ ଗଣେଶ ଦିଗାଲ୍‌। ଏହି ୩ ଜଣଙ୍କୁ ଗିରଫ କରାଯିବା ସହ ଏକ କାର୍‌କୁ ଜବତ କରାଯାଇଛି।

ଭୁବନେଶ୍ବର ଅବକାରୀ ଆଇଆଇସି ବିକାଶ କୁମାର ନାୟକଙ୍କ ସୂଚନାନୁସାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କିଛି ଗଞ୍ଜେଇ ବେପାରୀ କୌଣସି ବସ୍‌କୁ ଅପେକ୍ଷା କରିଥିବା ଖବର ପାଇ ଚଢ଼ଉ କରାଯାଇଥିଲା। ଅବକାରୀ ଟିମ୍‌ ସେଠାରେ ପହଞ୍ଚିବାବେଳକୁ ଏକ ଟୟୋଟା ଇଟିଅସ୍ କାର(ଓଡି୦୨-ଓଡବ୍ଲୁ-୩୧୩୨) ପାଖରେ କିଛି ମେଡିସିନି ପେଟି ଥିବା ଦେଖିବାକୁ ମିଳିଥିଲା। ସନ୍ଦେହ କରି ଅବକାରୀ ଟିମ୍‌ ଉକ୍ତ ମେଡିସିନି ପେଟି ଯାଞ୍ଚ କରିବା ପରେ ଭିତରୁ ଗଞ୍ଜେଇ ମିଳିଥିଲା। ଏହି ତିନି ମାଫିଆ ମେଡିସିନ୍ ପ୍ୟାକେଟରେ ଗଞ୍ଜେଇ ପୂରାଇ କାର୍‌ରେ କନ୍ଧମାଳରୁ ଭୁବନେଶ୍ବର ଆସିଥିଲେ। ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍‌ ଯୋଗେ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe