ଦାମୀ କାର୍‌ରୁ ଗଞ୍ଜେଇ ଜବତ, ୨ ଗିରଫ

Advertisment

କନ୍ଧମାଳରୁ କେନ୍ଦୁଝର ଭାୟା ଭୁବନେଶ୍ୱର

କନ୍ଧମାଳରୁ କେନ୍ଦୁଝର ଭାୟା ଭୁବନେଶ୍ୱର

ଦାମୀ କାର୍‌ରୁ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର : ପୁଲିସ ଆଖିରେ ଧୂଳି ଦେବାକୁ ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ। ଦୀର୍ଘ ଦିନ ଧରି କନ୍ଧମାଳରୁ ମାଲ୍‌ ଆଣି ରାଜଧାନୀରେ କାରବାର କରୁଥିଲେ। ମାସିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଲେ। ବାହାର ଚାକଚକ୍ୟରୁ ସେମାନେ ଗଞ୍ଜେଇ ବେପାରୀ ବୋଲି କେହି ବି ସହଜରେ ବିଶ୍ବାସ କରିବ ନାହିଁ। କିନ୍ତୁ ସବୁ ଦିନ ସମାନ ନଥିବା ନ୍ୟାୟରେ ଏହି ଚୋରା କାରବାରର ପର୍ଦ୍ଦାଫାସ୍‌ ହୋଇଛି। ଦୁଇ ଧୂର୍ତ୍ତ କମିସନରେଟ୍‌ ପୁଲିସ ହାବୁଡ଼ରୁ ବର୍ତ୍ତି ପାରିନାହାନ୍ତି। ଆଜି ସହିଦନଗର ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ବ୍ରହ୍ମେଶ୍ବର ପାଟଣାରେ ରହୁଥିବା‌ କନ୍ଧମାଳ ଖଜୁରୀପଡ଼ା ଗତିକୃଷ୍ଣ ଭିଲ୍ଲାର ସତୀଶ ପ୍ରଧା‌ନ ଓ ସହିଦନଗର ଜଗନ୍ନାଥ ନଗରରେ ରହୁଥିବା କେନ୍ଦୁଝର ବେଲବାହାଳିର ସୁଶାନ୍ତ କୁମାର ସାହୁ। ସେମାନଙ୍କ ଦୁଇ କାର୍‌ରୁ ୧୪କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

publive-imageଗତକାଲି ରାତିରେ ସହିଦନଗର ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସତୀଶ ଓ ସୁଶାନ୍ତ ଧରା ପଡ଼ିଥିଲେ। ବାଙ୍କୁଆଳ ଛକରେ ପୁଲିସ ଟିମ୍‌ ଏହି କାର୍‌ ଦୁଇଟିକୁ ସନ୍ଦେହ କରି ଅଟକାଇଥିଲେ। ସତୀଶର ଭେଣ୍ଟୋ (ଓଆର୍‌୦୨ବିଏସ୍‌-୧୪୦୦) ଓ ସୁଶାନ୍ତର ଭେନ୍ୟୁ (ଓଡି୦୨ବିଏଲ୍‌-୬୬୩୨) କାର୍‌ଦ୍ବୟ ଏତେ ରାତିରେ ଯାଉଥିବାରୁ ପୁଲିସ ଅଟକାଇଥିଲା। କିନ୍ତୁ ସେମାନେ ନ ଅଟକି ବରଂ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ ଟିମ୍‌ର ସନ୍ଦେହ ବଢ଼ିଥିଲା ଓ ପୁଲିସ ଗାଡ଼ି ତାଙ୍କୁ ପିଛା କରି ଅଟକାଇଥିଲା। ଯାଞ୍ଚ କଲା ପରେ ଗାଡ଼ିଦ୍ବୟରୁ ୧୪କିଲୋ ଗଞ୍ଜେଇ ମିଳିଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କ କଳା କାରବାରର ଇତିହାସ ଜଣାପଡ଼ିଥିଲା। ସତୀଶ ଗଞ୍ଜାମ ସୋରଡ଼ା ଥାନା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିଲା। ନିକଟରେ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ବେପାରରେ ଲାଗି ଯାଇଥିଲା।

ସତୀଶ କନ୍ଧମାଳର ବାସିନ୍ଦା ହୋଇଥିବାରୁ ସେଠାକାର ଗଞ୍ଜେଇ ଚାଷୀଙ୍କ ସହ ଯୋଗାଯୋଗରେ ରହିଥିଲା। ପ୍ରଥମେ ସେ ବସ୍‌ରେ ଗଞ୍ଜେଇ ମଗାଉଥିଲା। ଲକ୍‌ଡାଉନ୍‌ ସମୟରେ ବସ୍‌ ଚଳାଚଳ ସମସ୍ୟା ହେବାରୁ ଓ ମାଲ୍‌ର ଚାହିଦା ବୃଦ୍ଧି ପାଇବାରୁ କାର୍‌ରେ ମାଲ୍ ଚାଲାଣ କରିବା ଆରମ୍ଭ କରିଥିଲା। ସୁଶାନ୍ତ କେନ୍ଦୁଝର ଓ ଯାଜପୁରର ଅନେକ ବେପାରୀଙ୍କ ସମ୍ପର୍କ‌ରେ ରହିଥିଲା। କନ୍ଧମାଳରୁ ମାଲ୍‌ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସୁଶାନ୍ତ ତାକୁ ନିଜ କାର୍‌ରେ ନେଇ ଯାଜପୁର ଓ କେନ୍ଦୁଝର ବେପାରୀଙ୍କ ପାଖରେ ପହଞ୍ଚାଉଥିଲା। ଏହି ଦାମୀ କାର୍‌ ସେମାନେ ନିଜେ କିଣିଥିଲେ କି ଗଞ୍ଜେଇ ମାଫିଆ ସେମାନଙ୍କୁ ଦେଇଥିଲେ, ତାହାକୁ ନେଇ ତଦନ୍ତ ଚାଲିଛି। ତେବେ ସୌକିନ୍ କାର୍‌କୁ କେହି ସନ୍ଦେହ କରିବେ ନାହିଁ ବୋଲି ଏବେ ମାଫିଆମାନେ ଏଭଳି ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ କ୍ୟୁଏଟି ତମାଣ୍ଡୋ ଓ କଳିଙ୍ଗ ନଗର ଅଞ୍ଚଳରେ ଚଢ଼ଉ କରି ଏମିତି ଦାମୀ କାର୍‌ରୁ ଗଞ୍ଜେଇ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe