‘ଭୁଆସୁଣି’ ପରେ ନୂଆ ଅଡ଼ୁଆ, ସଫେଇ ପରେ ବି ସହର ସାରା ଆବର୍ଜନା

Advertisment

ଦୁଇ ସଂସ୍ଥା କାଦୁଅ ଫିଙ୍ଗାଫିଙ୍ଗି, ଚିନ୍ତାରେ ବିଏମ୍‌ସି

ଦୁଇ ସଂସ୍ଥା କାଦୁଅ ଫିଙ୍ଗାଫିଙ୍ଗି, ଚିନ୍ତାରେ ବିଏମ୍‌ସି

‘ଭୁଆସୁଣି’ ପରେ ନୂଆ ଅଡ଼ୁଆ, ସଫେଇ ପରେ ବି ସହର ସାରା ଆବର୍ଜନା

ଭୁବନେଶ୍ବର : ଭୁଆସୁଣି ଅଡ଼ୁଆ ତୁଟିବା ପରେ ଆବର୍ଜନା ପରିଚାଳନାକୁ ନେଇ ବିଏମ୍‌ସି ଆଶ୍ବସ୍ତ ହୋଇଥିଲା। ପ୍ରତି ଜୋନ୍‌କୁ ଦୁଇ ଦୁଇଟି ଗାଡ଼ି ଯୋଗାଇ ସହରରୁ ସବୁ ଅଳିଆ ସଫା କରିବାକୁ ଯୋଜନା କରିଥିଲା। ହେଲେ ସେମିତି କିଛି ହେଲା ନାହିଁ, ଏବେ ବି ଅଳିଆ ସେମିତି ଗଦା ହୋଇ ରହିଛି। ସହର ସାରା ଆବର୍ଜନା। ଏହା ପଛର କାରଣ ହେଲା, ନୂଆ କରି ସଫେଇ ଦାୟିତ୍ବ ନେଇଥିବା ସଂସ୍ଥାଗୁଡ଼ିକା ମନମାନି। ସେମାନେ କେବଳ ରାସ୍ତା ଓଳାଇ ସେଥିରୁ ବାହାରୁଥିବା ଆବର୍ଜନା ଉଠାଉଛନ୍ତି। ରାସ୍ତାକଡ଼ରେ ଜମା ଆବର୍ଜନା ଉଠାଇବେନି ବୋଲି ବିଏମ୍‌ସିକୁ ସିଧାସିଧା ଶୁଣାଇ ଦେଇଛନ୍ତି। ସେମାନଙ୍କ ଅଭିଯୋଗ, ଦୁଆର ଦୁଆର ବୁଲି ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ଠିକ୍‌ ଭାବେ ଆବର୍ଜନା ସଂଗ୍ରହ କରୁନାହିଁ। ଗାଡ଼ି ଯିବା ପରେ ଲୋକମାନେ ରାସ୍ତା କଡ଼ରେ ଅଳିଆ ଫିଙ୍ଗୁଛନ୍ତି। ଏହାବ୍ୟତୀତ ରାସ୍ତାକଡ଼ରୁ ଆବର୍ଜନା ଉଠାଇବା ସେମାନଙ୍କ କାମ ହୋଇନଥିବାରୁ ସେମାନେ ଉଠାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ନୂଆ ଅଡ଼ୁଆକୁ ନେଇ ବିଏମ୍‌ସିର ଚିନ୍ତା ବଢ଼ିଛି।

publive-image

ଆଉ ଗୋଟିଏ ପ୍ରସଙ୍ଗ ହେଉଛି ତ୍ରୁଟିପୂର୍ଣ୍ଣ ନୂଆ ଟେଣ୍ଡର୍‌। ପୂର୍ବରୁ ଓଜନ ହିସାବରେ ଟେଣ୍ଡର୍‌ ହୋଇଥିବାରୁ ସଂସ୍ଥାମାନେ ଯେଉଁଠୁ ଆବର୍ଜନା ପାଇଲେ, ଉଠାଇ ନେଉଥିଲେ; ଏଣୁ ଆବର୍ଜନାକୁ ନେଇ ଏତେ ସମସ୍ୟା ରହୁନଥିଲା। ଏବେ ହୋଇଥିବା ନୂଆ ଟେଣ୍ଡର୍‌ରେ ସେ ବ୍ୟବସ୍ଥା ନଥିବାରୁ ନୂଆସଂସ୍ଥା ଅଳିଆର ପରିମାଣକୁ ନେଇ ଆଦୌ ଚିନ୍ତିତ ନୁହନ୍ତି। ତେଣୁ ସମସ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ନୂଆସଂସ୍ଥା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇନଥିବାରୁ ବିଏମ୍‌ସି ସେମାନଙ୍କୁ ଦୁଇମାସ ସମୟ ଦେଇଥିବା ବେଳେ ପୁରୁଣା ସଂସ୍ଥାଙ୍କ ଅବଧି ଦୁଇମାସ ବୃଦ୍ଧି କରିଛି। ଟେଣ୍ଡର୍‌ ଚୁକ୍ତି ଅନୁସାରେ ସେମାନେ କାମ କରୁନଥିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏନେଇ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଦୁଇ ନୂଆ ସଂସ୍ଥାଙ୍କ ମଧ୍ୟରୁ ଗୋଟିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଦୋଷ ଛିଣ୍ଡାଇ ଦେଇଛି। ଯଦିଓ ଉଭୟ ସଂସ୍ଥା ଟେଣ୍ଡର ଚୁକ୍ତି ଖିଲାପ କରିଛନ୍ତି।

publive-image

ଅନ୍ୟପଟେ ଏମ୍‌ସିସିକୁ ନେଇ ବି ଚିନ୍ତା ବଢ଼ିଲାଣି। ଓଦା ଓ ଶୁଖିଲା ଆବର୍ଜନା ପୃଥକ୍‌ ହୋଇ ଆସୁ ନଥିବାରୁ ଏମ୍‌ସିସି ଆବର୍ଜନା ଗ୍ରହଣ କରୁନାହିଁ। ଏଣୁ ନୂଆ ସଂସ୍ଥା ଆଜି ପର୍ଯ୍ୟନ୍ତ ଏମ୍‌ସିସିକୁ ଆବର୍ଜନା ନେଇ ପାରୁନାହାନ୍ତି। କେବଳ ଘରୁ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ଏମ୍‌ସିସିକୁ ଆବର୍ଜନା ନେଉଛି। ତେଣେ କେତେକ ଏମ୍‌ସିସିରେ ସ୍ରେଡର ମେସିନ୍‌ ଖରାପ ହୋଇଯାଇଥିବାରୁ ଆବର୍ଜନା ପରିଚାଳନାରେ ସମସ୍ୟା ହୋଇଛି। କେତେକ ଏମ୍‌ଆରଏଫ୍‌(ମ୍ୟାଟେରିଆଲ ରିକଭରି ଫାସିଲିଟି) ଖରାପ ଥିବାରୁ ଶତପ୍ରତିଶତ ଆବର୍ଜନା ପୃଥକ୍‌ ହୋଇ ପାରୁନାହିଁ। ଏଣୁ ୱେଲ୍ଥ ସେଣ୍ଟର୍‌ଗୁଡ଼ିକରେ ଆବର୍ଜନା ଗଦା ହୋଇ ରହିଥିବା ଦେଖାଯାଇଛି। ନିକଟ ଅତୀତରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଏମ୍‌ସିସି ପରିଦର୍ଶନ କରିବା ବେଳେ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତାକାଲି ମଧ୍ୟ କମିସନର କେତେକ ଏମ୍‌ସିସି ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏମ୍‌ସିସି ଶତପ୍ରତିଶତ କାମ ନକଲେ ବା ଏଭଳି ଅଚଳାବସ୍ଥା ଲାଗି ରହିଲେ ୯ ମାସ ମଧ୍ୟରେ ଭୁଆସୁଣିକୁ ଆବର୍ଜନା ବନ୍ଦ କରିବା କାଠିକର ପାଠ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe