ଚନ୍ଦ୍ରଶେଖରପୁର: ଗୋଟିଏ ପରେ ଗୋଟିଏ କଣ୍ଟ ପୂରୁଛି। ମାତ୍ର ପ୍ରତିଶ୍ରୁତି ପୂରଣ କରିବାରେ ବିଏମ୍‌ସି ସଫଳ ହୋଇପାରୁ ନାହିଁ। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାନ୍ସଫର ‌ଷ୍ଟେସନ୍‌(ଟିଟିଏସ୍‌) ହଟାଇବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ବର ମେୟରଙ୍କ ସମେତ ତତ୍‌କାଳୀନ କମିସନର ମଧ୍ୟ ସମାନ ଢଙ୍ଗରେ ମନ୍ତ୍ରୀଙ୍କ ହଁରେ ହଁ ମାରିଥିଲେ। ୨୦୨୫ ପ୍ରଥମାର୍ଦ୍ଧ ସୁଦ୍ଧା ଟିଟିଏସ୍‌ରୁ ଅଳିଆ ଖାଲି ହୋଇଯିବ ବୋଲି ଅଞ୍ଚଳବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି। ୧୦ ଖଣ୍ଡ ଗ୍ରାମବାସୀଙ୍କୁ ଭଣ୍ଡେଇ ଚାଲିଛି ବିଏମ୍‌ସି। ଟିଟିଏସ୍‌ରୁ ଅଳିଆ ସରିବ କ’ଣ; ଏବେ ଅଳିଆ ପାହାଡ଼ର ଉଚ୍ଚତା ବଢ଼ିଚାଲିଛି। କେବଳ ସେତିକି ନୁହେଁ, କିଛି ମାସର ବ୍ୟବଧାନ ପରେ ଏବେ ସମ୍ପୂର୍ଣ୍ଣ ଅଞ୍ଚଳ ପୁଣି ଗନ୍ଧେଇଲାଣି । ଲୋକେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

Advertisment

Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଟିଟିଏସ୍‌ ପରିଚାଳନାରେ ବିଏମ୍‌ସି ବିଫଳ ହୋଇଥିବା ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କହିବା ସହ ତିନି ସ୍ତରୀୟ କଣ୍ଟ ଦେଇଥିଲା। ଦୁର୍ଗନ୍ଧ ଯେପରି ନ ବ୍ୟାପେ ସେଥିପାଇଁ ବିଏମ୍‌ସିକୁ ୧୫ ଦିନିଆ କଣ୍ଟ ଦେଇଥିଲା ଏସ୍‌ସିପିବି। ୧୫ ଦିନ ଯାଇ ଏକ ମାସ ଛୁଇଁବାକୁ ବସିଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଦୁର୍ଗନ୍ଧ ଦୂର କରିବାକୁ ପଦକ୍ଷେପ ନେଇ ୭ ଦିନ ମଧ୍ୟରେ ତାହାର ଫଟୋ ପ୍ରମାଣ ଏସ୍‌ପିସିବିରେ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଖୋଲାରେ ପଡ଼ି ପରିବେଶ ସଂକ୍ରମଣ ଆଶଙ୍କା ଥିବା ବର୍ଜ୍ୟଗୁଡ଼ିକୁ ପାଣିପାଗ ସହନକ୍ଷମ ତାର୍‌ପୋଲିନ୍‌ ଘୋଡ଼ାଇବା କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ହୋଟେଲରୁ ବାହାରୁଥିବା ତରଳ ବର୍ଜ୍ୟଗୁଡ଼ିକୁ ପକ୍ଷୀମାନଙ୍କଠାରୁ ଦୂରେଇ ରଖିବାକୁ ସବୁଜ ସୁରକ୍ଷା ଭିତ୍ତିକ ନେଟ୍‌ ଲଗାଇବା, ବର୍ଜ୍ୟ ପ୍ରକ୍ରିୟାକରଣକୁ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ତ୍ବରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ତାହା ବି ହୋଇ ନାହିଁ।

ଏସ୍‌ପିସିବିର ୧୫ଦିନିଆ ସର୍ତ୍ତ ପୂରଣ କଲେନି
ନେଟ୍‌ ଲଗାଇଲେନି କି ତାରପୋଲିନ୍‌ ଘୋଡ଼ାଇ‌ଲେନି

କେବଳ ବିଏମ୍‌ସି ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଲୋକଙ୍କୁ ଭୂଆଁ ଭୁଲାଇ ଚାଲିଛି। ସହର ସାରାର ଅଳିଆ ଟିଟିଏସ୍‌ରେ ଜମା କରି ବିଏମ୍‌ସି ଲୋକଙ୍କ ମୃତ୍ୟୁମୁଖକୁ ଠେଲୁଥିବା ସମ୍ପର୍କରେ ଏସ୍‌ସିପିବି ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କ ହାତ ଯାଉନି। ବାରମ୍ବାର ତାଗିଦ୍‌ ଚିଠି ସିନା ଲେଖୁଛନ୍ତି ହେଲେ ଫଳ ଶୂନ। ୧୫ ଦିନିଆ କଣ୍ଟ ପୂରଣ କରିବାରେ ବିଏମ୍‌ସି ଫେଲ୍‌ ମାରିଥିବା ବେଳେ ୪୫ ଦିନିଆ କଣ୍ଟ କିଭଳି ପୂରଣ କରିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ୪୫ ଦିନ ମଧ୍ୟରେ ୩୦ କେଏଲ୍‌ଡି କ୍ଷମତାର ଇଟିପି ଶେଷ କରିବା, ବାୟୁ ମାନ ସମ୍ପର୍କରେ ଜଣାଇବାକୁ ଡିସ୍‌ପ୍ଲେ ବୋର୍ଡ ଲଗାଇବା, ଟ୍ରିଟ୍‌ମେଣ୍ଟ କରାଯାଉଥିବା ବର୍ଜ୍ୟ ଜଳର ମାନ ଓ ବାୟୁ ମାନକୁ ଏନ୍‌ଏବିଏଲ୍‌ ମାନ୍ୟତା ପ୍ରାପ୍ତ ଲାବରେଟୋରି ଜରିଆରେ ପ୍ରତି ୩ ମାସରେ ପରୀକ୍ଷା କରିବା, ବର୍ଜ୍ୟ ସମ୍ପର୍କିତ ଦୈନିକ ରିପୋର୍ଟ ପ୍ରସ୍ତୁତ, ଭିଏସ୍‌ଏସ୍‌ନଗରରେ ଭୂତଳ ଜଳ ସଂକ୍ରମଣ ରୋକିବାକୁ କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ୪୫ ଦିନ ମଧ୍ୟରୁ ୨୦ ଦିନ ବିତିଲାଣି। ଆଉ ୨୫ ଦିନ ମଧ୍ୟରେ ବିଏମ୍‌ସି କିଭଳି ସମସ୍ତ ସର୍ତ୍ତ ପୂରଣ କରିବ ସେନେଇ ଆଶଙ୍କା ପ୍ରକାଶ ପାଇଛି।

Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ

ହଟିଲେ ୧୧ ପରିବାର
ପ୍ରତିଶ୍ରୁତି ଅନୁଯାୟୀ ଅଳିଆ ଗଦା ହଟି ନ ଥିବା ବେଳେ ଏହା ନିକଟରେ ବସବାସ କରୁଥିବା ଲୋକଙ୍କୁ ହଟାଇ ଦିଆଯାଇଛି। ରେଳ କଲୋନିରୁ ଭିଏସ୍‌ଏସ୍‌ ନଗରକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ବରେ ଘର କରି ରହୁଥିବା ୧୧ ପରିବାରକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘରଗୁଡ଼ିକ ମାଟିରେ ମିଶାଇବା ସହ ବିଏମ୍‌ସି ଏବେ ସେହି ଜାଗାକୁ ନିଜ ଅକ୍ତିଆକୁ ନେଇଛି।