ଆବର୍ଜନାବୁହା ଟ୍ରଲି ପୂଜିଲେ ସଫେଇ କର୍ମଚାରୀ

Advertisment
ଆବର୍ଜନାବୁହା ଟ୍ରଲି ପୂଜିଲେ ସଫେଇ କର୍ମଚାରୀ

ଭୁବନେଶ୍ବର: ପବିତ୍ର ଦଶହରାରେ ମା’ ସିଂହବାହିନୀଙ୍କ ପୂଜା ଅବସରରେ ନିଜର ଗାଡ଼ି ପୂଜା କରିବା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ପରମ୍ପରା ହୋଇ ରହିଆସିଛି। ଭୁବନେଶ୍ବର ଓ ତା’ର ଆଖପାଖ ଅଞ୍ଚଳରେ ବିଜୟା ଦଶମୀ ଦିନ ବିଭିନ୍ନ ଶକ୍ତିପୀଠରେ ଗାଡ଼ି ପୂଜା ପ୍ରଥା ରହିଛି। ସମସ୍ତେ ଗାଡ଼ିକୁ ଭଲ ଭାବ‌େ ଧୁଆଧୋଇ କରି ଫୁଲରେ ସଜେଇବା ସହ ବିଧି ମୁତାବକ ଧୂପଦୀପ ଜାଳି ଓ ଗୁଆ ଶଙ୍ଖା ବାନ୍ଧି ଗାଡ଼ି ପୂଜା କରନ୍ତି। ତେବେ ଚଳିତ ବର୍ଷ ଜଣେ ସଫେଇ କର୍ମଚାରୀ ତାଙ୍କ ଆବର୍ଜନା ବୁହା ଟ୍ରଲିକୁ ପୂଜା କରିବା ଭଳି ନିଆରା ଚିତ୍ର ରା‌ଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଡୁମୁଡୁମା ସୁବାସନଗର ଅଞ୍ଚଳର ଏହି କଥାଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ସୁବାସନଗର ବସ୍ତିରେ ରହୁଛନ୍ତି ଗୋପାଳ ଚନ୍ଦ୍ର ନାଏକ। ବିଏମ୍‌ସି ଅଧୀନରେ ସେ ଜାଗୃତିରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ। ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଖଣ୍ଡଗିରି ଅଞ୍ଚଳରେ ଘରଘର ବୁଲି ସେ ଆଳିଆ ଆବର୍ଜନା ସଂଗ୍ରହ କରିବା ସହ ରାସ୍ତାଘାଟ ସଫା କରିଆସୁଛନ୍ତି। ବୁଧବାର ଦିନ ଥିଲା ବିଜୟା ଦଶମୀ। ତେଣୁ ସେ ସକାଳୁ ସକାଳୁ ନିଜ ଟ୍ରଲିକୁ ଧୋଇ ସଫାସୁ୍ତୁରା କରିବା ସହ ନିଜେ ପୂଜା କରିଥିଲେ ଏବଂ ସେଥିରେ ବେଲୁନ ବାନ୍ଧି ବେଶ୍ ସୁନ୍ଦର କରି ସଜେଇଥିଲେ। ଏହା ପରେ ସେ ସବୁଦିନ ଭଳି ଆବର୍ଜନା ବୋହିବାକୁ କର୍ମକ୍ଷେତ୍ରକୁ ବାହାରି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଖୁସି ହୋଇ ଉକ୍ତ ଗାଡ଼ିର ଫଟୋକୁ ସାମାଜିକ ଗଣମାଧ୍ୟମରେ ଭା‌ଇରାଲ୍‌ କରିଥିଲେ। କର୍ମ ପ୍ରତି ଗୋପାଳଙ୍କ ଆବେଗ ଓ ନିଷ୍ଠାପରତା ପାଇଁ ବିଏମ୍‌ସି ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି। ଏନେଇ ଗୋପାଳ କହିଛନ୍ତି ଯେ ମା’ଙ୍କ ପୂଜା ଅବସରରେ ସବୁ ଗାଡ଼ି ପୂଜା ପାଉଛନ୍ତି। ତେଣୁ ତାଙ୍କ ଗାଡ଼ି କାହିଁକି ପୂଜା ପାଇବାରୁ ବଞ୍ଚିତ ହୋଇଥାଆନ୍ତା! ଆବର୍ଜନା ବୋହୁଥିଲେ ବି ତାଙ୍କ ଟ୍ରଲି ଅନ୍ୟ ଗାଡ଼ି ଭଳି ଲୋକଙ୍କ ସେବା କରୁଥିବାରୁ ତାହା ପୂଜା ପାଇବାକୁ ଯୋଗ୍ୟ। ଏଥିରୁ ତାଙ୍କୁ ବେଶ୍ ଖୁସି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe