ବାଲିପାଟଣା : ମାଟି ତଳୁ ବାହାରିଲା ଗ୍ୟାସ୍‌, ଗ୍ରାମବାସୀ ଆତଙ୍କିତ

ସ୍ପଷ୍ଟ କଲେ ଭୂତତ୍ତ୍ବ ଅଧିକାରୀ, ଗ୍ୟାସ୍‌ ନୁହେଁ, ଆର୍ଥିଂ ବିଭ୍ରାଟ

ବାଲିପାଟଣା : ମାଟି ତଳୁ ବାହାରିଲା ଗ୍ୟାସ୍‌, ଗ୍ରାମବାସୀ ଆତଙ୍କିତ

ବାଲିପାଟଣା : ମାଟି ତାତିଯିବା, ସେଥିରୁ ଗ୍ୟାସ୍‌ (ଧୂଆଁ ଭଳି) ବାହାରିବା ଓ ପାଣି ଢାଳିଲେ ସାଙ୍ଗେ ସାଙ୍ଗେ ଶୁଖିଯିବା ଭଳି ଘଟଣା ବାଲିପାଟଣା ବ୍ଲକ, ମୁକୁନ୍ଦଦାସପୁର ପଞ୍ଚାୟତର ମୁକୁନ୍ଦଦାସପୁର ବସ୍ତିରେ ଆଜି ସକାଳୁ ସକାଳୁ ଆତଙ୍କ ଖେଳାଇ ଦେଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଶହ ଶହ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟିଥିଲା। ମାଟି ତଳେ ପେଟ୍ରୋଲିୟମ୍‌ ଗ୍ୟାସ୍‌ ଥିବା ଗ୍ରାମବାସୀ ସନ୍ଦେହ କରି ପ୍ରଶାସନ ଓ ପୁଲିସକୁ ଖବର ଦେଇଥିଲେ। କୌଣସି ବଡ଼ଧରଣର ଅଘଟଣ ଆଶଙ୍କାରେ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ପହଞ୍ଚି ଲୋକଙ୍କୁ ଘଟଣାସ୍ଥଳକୁ ଯିବାକୁ ବାରଣ କରିଥିଲେ। ଅପରାହ୍‌ଣ ପ୍ରାୟ ୩ଟା ପର୍ଯ୍ୟନ୍ତ ଭୟ ଓ ଆଶଙ୍କାର ସ୍ଥିତି ଏମିତି ଲାଗି ରହିବା ପରେ ଭୂ-ତତ୍ତ୍ବ ଅଧିକାରୀମାନେ ଯାଞ୍ଚ ପାଇଁ ଆସିଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ କୌଣସି ପେଟ୍ରୋଲିୟମ୍‌ ଗ୍ୟାସ୍‌ ନୁହେଁ, ବରଂ ସେହି ସ୍ଥାନରେ ପୋତା ଯାଇଥିବା ଘରର ବିଦ୍ୟୁତ୍‌ ଆର୍ଥିଂରେ ସମସ୍ୟା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳୁ ବସ୍ତିର ସାଦିକ୍‌ ହୁସେନ୍‌ ଖାନ୍‌ଙ୍କ ଘର ସାମ୍ନାରେ ଥିବା ଦୋକାନ ଆଗ ଚଟାଣ ମାଟି ତାତି ସେଥିରୁ ଗ୍ୟାସ ବାହାରୁଥିଲା। ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ସାଦିକ୍ ସେହି ଜାଗାରେ ପାଣି ଢାଳିବାରୁ ଗ୍ୟାସ୍‌ ବାହାରିବା ସହ ପାଣି ଶୁଖି ଯାଇଥିଲା। ସାଦିକ୍‌ଙ୍କ ସାନଭାଇ ଆମିଲ ଖାନ ଉକ୍ତ ସ୍ଥାନକୁ ଶୁଙ୍ଘିବାରୁ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ବାଲିପାଟଣା ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଖବର ପାଇ ଉପଜିଲ୍ଲାପାଳ ଏବଂ ଭୂତତ୍ତ୍ବବିତ୍‌ଙ୍କୁ ଫୋନ୍‌ରେ ଏ ସମ୍ପର୍କ‌ରେ ଜଣାଇଥିଲେ। ଉପନିର୍ଦ୍ଦେଶକ ଭୂତତ୍ତ୍ବ ଅଧିକାରୀ ଶୁଭ୍ରାଂଶୁ ମିଶ୍ର, ବିକାଶ ଚନ୍ଦ୍ର ସାହୁ ଦିନ ୩ଟା‌ରେ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳା ଆରମ୍ଭ କରିଥିଲେ। ମାଟି ଖୋଳା ପରେ ଗରମ ବାମ୍ଫ ବାହାରିଥିଲା। ସୁରକ୍ଷା ନିମନ୍ତେ ଅଧିକାରୀମାନେ ବାଲି ବସ୍ତା ମଗାଇ ରଖିଥିଲେ। ଅଧିକ ଖନନ ପରେ ସ୍ପଷ୍ଟ ହୋଇଥିଲା, ସେହି ଜାଗା‌‌ରେ ଘରର ବିଦ୍ୟୁତ୍ ଆର୍ଥିଂ ଅଛି। ଦୁଇଦିନ ଲଘୁଚାପ ବର୍ଷା, ବଜ୍ରପାତ ହେଉ କିମ୍ବା ଘରର ବିଦ୍ୟୁତ୍‌ ସଂଯୋଗରେ ତ୍ରୁଟି ଥିବାରୁ ଏପରି ମାଟି ତାତି ଗ୍ୟାସ୍‌ ବାହାରୁଛି। ଏହା ପ୍ରମାଣିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ବସ୍ତି ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe