ପୁରୁଣା ସିନେ ସ୍ମୃତି ସାଉଁଟିଲେ ଦର୍ଶକ

Advertisment

‘ଗୀତିଛାୟା’ ପ୍ରଦର୍ଶନୀ ଉଦ୍‌ଘାଟିତ

‘ଗୀତିଛାୟା’ ପ୍ରଦର୍ଶନୀ ଉଦ୍‌ଘାଟିତ

ପୁରୁଣା ସିନେ ସ୍ମୃତି ସାଉଁଟିଲେ ଦର୍ଶକ

ଭୁବନେଶ୍ୱର : ଫଟୋରେ ଫଟୋରେ ପ୍ରଦର୍ଶିତ ହେଉଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଇ ସବୁ ଚିର ସବୁଜ ସଙ୍ଗୀତ ସୃଷ୍ଟିର କଥା। ଯାହାକୁ ଦେଖି ଦର୍ଶକ ଫେରିଯାଉଥିଲେ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗକୁ। ଷ୍ଟୁଡିଓରେ ଗୀତ ରେକର୍ଡିଂ ସମୟରେ ଗାୟକ, ଗାୟିକାଙ୍କ ସଙ୍ଗୀତ ପରିବେଷଣ , ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦେଶକ, ଗୀତିକାର ଆଦିଙ୍କ ଉପସ୍ଥିିତି ସବୁ କିଛି ଫଟୋରେ ଫଟୋରେ ଦର୍ଶକ ଦେଖିବାକୁ ପାଇଥିଲେ। ଯାହାକୁ ଦେଖି ପୁରୁଣା ସିନେ ସ୍ମୃତିକୁ ସାଉଁଟି ଥିଲେ ଦର୍ଶକ। ଅବସର ଥିଲା ରାଜ୍ୟ ସଂଗ୍ରହାଳୟରେ ସଂସ୍କୃତି ବିଭାଗ ଓ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗୀତିଛାୟା’ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ବୈଠକୀ ଓ ରେକର୍ଡିଂ ସମ୍ବନ୍ଧିତ ଫଟୋଚିତ୍ରର ଏକ ବିରଳ ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବ।

ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଖ୍ୟାତ ବଂଶୀବାଦକ ପଦ୍ମ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମର ସୂର୍ଯ୍ୟ ଦେଓ ଉପସ୍ଥିତ ଥିଲେ। ପ୍ରଦର୍ଶନୀର ପ୍ରଥମ ପର୍ଯ୍ୟାୟରେ ୧୯୫୦ ରୁ ୧୯୮୬ ପର୍ଯ୍ୟନ୍ତ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସଂଯୋଜନା ଓ ରେକର୍ଡିଂ ସମୟର ୮୧ଟି ଫଟୋଚିତ୍ର ସ୍ଥାନିତ ହୋଇଛି। ଫ୍ରେମିଂ କରି ଫଟୋର ନାମକରଣ କରାଯାଇଛି। ଏଥିରେ ଚଳଚ୍ଚିତ୍ରର ନାମ, ମସିହା, କଣ୍ଠଶିଳ୍ପୀ ଆଦିଙ୍କ ବିଷୟରେ ସୂଚନା ରହିଛି। ।

‘ସୀତା ବିବାହ’, ‘ଅଦିନ ମେଘ’, ‘କା’, ‘ଜୟଦେବ’, ‘ମାଣିକଯୋଡ଼ି’ ଆଦି ଫିଲ୍ମର ଗୀତ ରେକର୍ଡିଂ ସମୟରେ କଥା ଦର୍ଶକ ପ୍ରଦର୍ଶନୀରେ ଦେଖିପାରିବେ। ବାଳକୃଷ୍ଣ ଦାଶ, ଭୁବନେଶ୍ୱରୀ ମିଶ୍ର, ଅକ୍ଷୟ ମହାନ୍ତି, ସୁବାସ ଦାସ, ପ୍ରଫୁଲ୍ଲ କର, ଶାନ୍ତନୁ ମହାପାତ୍ର, ଦେବାଶିଷ ମହାପାତ୍ର, ପ୍ରଣବ ପଟ୍ଟନାୟକ, ତୃପ୍ତି ଦାସ, ସବ୍ୟସାଚୀ ମହାପାତ୍ରଙ୍କ ଯୁବାବସ୍ଥାର ଫଟୋ ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ଅକ୍ଷୟ ମହାନ୍ତି ଅଭିନୟ କରିଥିବା ‘କିଏ ଜିତେ କିଏ ହାରେ’ ଚଳଚ୍ଚିତ୍ରର ଫଟୋ, ପ୍ରଫୁଲ୍ଲ କର ଅଭିନୟ କରିଥିବା ‘ମୁକ୍ତି’ ଚଳଚ୍ଚିତ୍ରର ଫଟୋ ମଧ୍ୟ ଦର୍ଶକ ଦେଖିବାର ସୁଯୋଗ ପାଇବେ।

ପୁରୁଣା ଫଟୋ ଭାବେ ୧୯୫୦ ମସିହାରେ ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ଚକାଡୋଳା ଗୀତରେ ନିମାଁଇ ହରିଚନ୍ଦନଙ୍କ ଫଟୋ। ସେହିପରି ଅକ୍ଷୟ ମହାନ୍ତି, ଉପେନ୍ଦ୍ର କୁମାର, ଭୁବନେଶ୍ୱରୀ ମିଶ୍ର, ନିଜାମ୍‌, ଭିକାରୀ ବଳ, ରାଧାକୃଷ୍ଣ ଭଞ୍ଜ, ଶିବବ୍ରତ ଦାସ, ରଘୁନାଥ ପାଣିଗ୍ରାହୀ, ନରସିଂହ ମହାପାତ୍ର, ଭୁବନେଶ୍ୱର ମିଶ୍ର, ବାଳକୃଷ୍ଣ ଦାଶ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ଏକକ ଫଟୋ ମଧ୍ୟ ରହିଛି। ପ୍ରଦର୍ଶନୀରେ ଓଡ଼ିଆ ଗୀତକୁ ଗ୍ରାମଫୋନ୍‌ ମାଧ୍ୟମରେ ପରିବେଷଣ କରାଯାଉଥିବା ଅନ୍ୟତମ ଆକର୍ଷଣ ପାଲଟିଛି। । ଏହି ପ୍ରଦର୍ଶନୀ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe