ଇଞ୍ଜେକସନ୍ ନେଇ ଯୁବତୀଙ୍କ ମୁହଁ ପଚିଯିବା ଘଟଣା : ଆଜି କଳିଙ୍ଗରେ ଅସ୍ତ୍ରୋପଚାର

Advertisment
ଭୁଲ୍ ଇଞ୍ଜେକସନ୍ ନେଇ ଯୁବତୀଙ୍କ ମୁହଁ ପଚିଯିବା ଘଟଣା : ୪ଟି ସ୍ଥାନରେ ହୋଇଛି ଅସ୍ତ୍ରୋପଚାର, ୨/୩ଦିନ ପରେ କରାଯିବ ପ୍ଲାଷ୍ଟିକ୍ ସର୍ଜରି

www.kalingahospital.com

ଭୁବନେଶ୍ବର : ବୁର୍ଲା ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଯୁବତୀଙ୍କ ମୁହଁ ପଚିଯିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସଂପୃକ୍ତ ଯୁବତୀଙ୍କ ପରିବାରଲୋକ ଗତକାଲି ତାଙ୍କୁ ରାଜଧାନୀର କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି। ଆସନ୍ତାକାଲି ସକାଳେ ଯୁବତୀଙ୍କ ମୁହଁରେ ଅସ୍ତ୍ରୋପଚାର କରାଯିବ। ଯୁବତୀଙ୍କ ମୁହଁର କେତେ ପରିମାଣର ଟିସୁ ନଷ୍ଟ ହୋଇଛି, ତାହାକୁ ଯାଞ୍ଚ କରିବା ପରେ ହଁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।

କଳିଙ୍ଗ ହସ୍ପିଟାଲର ଅଧୀକ୍ଷକ ଡା. ମଞ୍ଜିନ୍ଦର ଭଟ୍ଟୀ କହିଛନ୍ତି, ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆସନ୍ତାକାଲି ତାଙ୍କର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପରୀକ୍ଷା ସରିଛି। ଯୁବତୀଙ୍କ ମୁହଁରେ କେତେ ପରିମାଣର ଟିସୁ ନଷ୍ଟ ହୋଇଛି, ତାହାର ଅନୁଶୀଳନ କରାଯିବ। ଆଗକୁ ସଂକ୍ରମଣ ଯେପରି ଅଧିକ ନ ବ୍ୟାପିବ, ସେଥିପାଇଁ ନଷ୍ଟ ହୋଇଯାଇଥିବା ଟିସୁଗୁଡ଼ିକୁ କାଢ଼ି ଦେବା ପାଇଁ ଉଦ୍ୟମ କରାଯିବ। ଏଭଳି ଘଟଣାରେ ଏକାଧିକ ଥର ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। ତେଣୁ ପ୍ରଥମ ଅସ୍ତ୍ରୋପଚାର ପରେ ହିଁ ଆଗକୁ ଯାଇ କ’ଣ କରିବାକୁ ହେବ, ତାହାର ସମୀକ୍ଷା କରାଯିବ। ଏବେଠାରୁ କିଛି କହିବା ସମ୍ଭବ ନୁହେଁ ବୋଲି ଡା. ଭଟ୍ଟୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବୁର୍ଲା ମେଡିକାଲରେ ଡାକ୍ତର ବିନା ପରୀକ୍ଷାରେ ଜଣେ ଯୁବତୀଙ୍କ ମୁହଁରେ ଇଞ୍ଜେକସନ୍ ଦେଇଥିଲେ। ପରିଣାମସ୍ବରୂପ ଯୁବତୀଙ୍କ ତଳ ଓଠ ସଂପୂର୍ଣ୍ଣ ଭାବେ ପଚି ଯାଇଛି। ଧୀରେଧୀରେ ଏହା ନାକ ପର୍ଯ୍ୟନ୍ତ ମାଡ଼ିବାକୁ ବସିଥିବା ବେଳେ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଜିଲ୍ଲା ପ୍ରଶାସନ ରେଡକ୍ରସ୍‌ ପାଣ୍ଠିରୁ ଯୁବତୀଙ୍କ ପରିବାରବର୍ଗଙ୍କୁ ୧୦ହଜାର ଟଙ୍କା ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭିମସାର କର୍ତୃପକ୍ଷ ସଂପୃକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ ସର୍ଜରି କରିବା ପାଇଁ ସ୍ଥାନାନ୍ତର କରିଥିଲେ। ତେବେ ଭିମସାର ଡାକ୍ତରଙ୍କ ଏଭଳି ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ଯିବା ପାଇଁ ଯୁବତୀଙ୍କ ପରିବାର ଲୋକ ସାହସ ଜୁଟାଇ ପାରି ନ ଥିଲେ। ତେଣୁ ଗତକାଲି ଯୁବତୀଙ୍କୁ କଳିଙ୍ଗ ହସ୍ପିଟାଲକୁ ଅଣାଯିବା ପରେ ତାଙ୍କର ସମସ୍ତ ଚିକିତ୍ସା ଆରମ୍ଭ ହୋଇଛି।

ଅପରପକ୍ଷରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଭିମ୍‌ସାର ହସ୍ପିଟାଲ କର୍ତୃପକ୍ଷ ଏହି ଘଟଣାରେ ଲୋକଦେଖାଣିଆ ଭାବେ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପାଇଁ ଯେଉଁ କମିଟି ଗଠନ ହୋଇଛି, ତହିଁରେ ସଦସ୍ୟ ଥିବା ଡାକ୍ତର ନିଜେ ଏହି ଘଟଣାରେ ଅଭିଯୁକ୍ତ ରହିଛନ୍ତି। ତେଣୁ ଏହି ତଦନ୍ତରେ ପ୍ରକୃତ କଥା ଲୋକଲୋଚନକୁ ଆସିପାରିବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe