ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା କଲେଜଗଡ଼ା ନିକଟରେ ଏକ ସ୍କୁଟି ଧକ୍କାରେ ଆଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଜଣଙ୍କ ହେଲେ, ନହରକଣ୍ଟା ଜୟଦେବ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ସୂଚୀସ୍ମିତା ବେହେରା। ଘର ବାଲିଅନ୍ତା ଥାନା ଅଧୀନ ପଥରକୋଟରେ। ଏହି ଖବର ପ୍ରଚାରିତ ହେବା ପରେ କଲେଜର କେତେକ ଛାତ୍ର ଓ ସ୍ଥାନୀୟ ଯୁବକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଓ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜାତୀୟ ରାଜପଥ ଅବରୋଧ ଯୋଗୁଁ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରସୁଲଗଡ଼ରୁ ହଂସପାଳ ଯାଏ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଗାଡ଼ି ଲମ୍ବି ରହିଥିଲା। ଖବର ପାଇ ଟ୍ରାଫିକ୍ ଏସିପି ଅନୁପ କାନୁନଗୋ, ଜୋନ-୫ଏସିପି କିଶୋର ମୁଣ୍ଡଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପରେ ଛାତ୍ରୀଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ମୃତ ଛାତ୍ରୀଙ୍କ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଦୁର୍ଘଟଣା ଘଟାଇଥିବା ୨ ଯୁବକଙ୍କ ମଧ୍ୟରୁ ପୁଲିସ ଜଣକୁ ଆଣି ପଚରାଉଚରା କରୁଛି। ଗାଡ଼ି ଚଲାଉଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ସୂଚୀସ୍ମିତା ସାଇକେଲରେ କଲେଜ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। କଲେଜଠାରୁ ମାତ୍ର କିଛି ଦୂରରେ ବିପରୀତ ଦିଗରୁ ସ୍କୁଟିରେ ଦ୍ରୁତ ଗତିରେ ଆସୁଥିବା ଜଣେ ଯୁବକ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ସ୍କୁଟିର ଗତି ଏତେ ଅଧିକ ଥିଲା ଯେ, ସୂଚୀସ୍ମିତା ଚଳାଉଥିବା ସାଇକେଲ୍ର ହ୍ୟାଣ୍ଡେଲ ତାଙ୍କ ପେଟରେ ପଶି ଯାଇଥିଲା।
Follow Us