କୋଭିଡ୍‌ ହସ୍ପିଟାଲରେ ଆଡମିଟ୍‌ ପାଇଁ ୫ଘଣ୍ଟା ଅପେକ୍ଷା

Advertisment

ପଦାକୁ ଆସିଲା ଅବ୍ୟବସ୍ଥାର ଅସଲ ଚିତ୍ର, ଟ୍ବିଟ୍‌ର ଓ ଭିଡିଓ ଜରିଆରେ ଯୁବତୀ ବଖାଣିଲେ

ପଦାକୁ ଆସିଲା ଅବ୍ୟବସ୍ଥାର ଅସଲ ଚିତ୍ର, ଟ୍ବିଟ୍‌ର ଓ ଭିଡିଓ ଜରିଆରେ ଯୁବତୀ ବଖାଣିଲେ

କୋଭିଡ୍‌ ହସ୍ପିଟାଲରେ ଆଡମିଟ୍‌ ପାଇଁ ୫ଘଣ୍ଟା ଅପେକ୍ଷା

ଭୁବନେଶ୍ବର : ଦିନ ୧୧ଟାରୁ ହସ୍ପିଟାଲରେ ଆଡମିସନ୍ ପାଇଁ ଆମ୍ବୁଲାନ୍‌ସ ଭିତରେ ଅପେକ୍ଷା କରିଛି। ହେଲେ ଆଡମିଟ୍‌ କରୁ ନାହାନ୍ତି। ହସ୍ପିଟାଲ ପରିସରରେ ଆମ୍ବୁଲାନ୍‌ସ ଭିତରେ ରହିଥିଲେ ହେଁ, ପାଣି ଟୋପେ ବି କେହି ପିଇବାକୁ ଦେଇ ନ ଥିଲେ। ଏମିତିକି ଶୌଚାଳୟକୁ ବି ଯିବାକୁ ଦେଇ ନ ଥିଲେ। ତେବେ ଅବ୍ୟବସ୍ଥା ସଂପର୍କରେ ଜାଣି ଘର ଲୋକ ହସ୍ପିଟାଲରେ ପହଞ୍ଚି ହସ୍ପିଟାଲର କର୍ମଚାରୀଙ୍କୁ ଏ ସଂପର୍କରେ ଜଣାଇଥିଲେ। ପରେ କର୍ମଚାରୀଙ୍କ ଚେତା ଫେରିଥିଲା। ଅପରାହ୍‌ଣ ୪ଟା ପରେ ଆଡମିଟ୍‌ କରାଯାଇଥିଲା। ସଂଧ୍ୟା ସାଢ଼େ ୬ଟାରେ ଜଳଖିଆ ଖାଇବାକୁ ଦିଆଯାଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଯୁବତୀ ଆଜି ବଖାଣିଛନ୍ତି ହସ୍ପିଟାଲର ଅବ୍ୟବସ୍ଥାର ଅସଲ ଚିତ୍ର। ନିଜ ଟ୍ବିଟ୍‌ର ପେଜ୍‌ରେ ଅବ୍ୟବସ୍ଥା ସଂପର୍କରେ ଲେଖିବା ସହିତ ଭିଡିଓ କରି ସରକାରୀ ଅବ୍ୟବସ୍ଥାକୁ ପଦାକୁ ଆଣିଛନ୍ତି।

ସଂପୂର୍ଣ୍ଣ ଘଟଣାଟି ଏମିତି। କଟକ ମହାନଗର ଅଞ୍ଚଳର ଜଣେ ୨୬ବର୍ଷିୟା ଯୁବତୀ ଗତ ୩ତାରିଖରେ କୋଲକାତାରୁ ଘରକୁ ଫେରିଥିଲେ। କୋଲକାତାରେ ଏକ ନାମୀ ସେରୱାନୀ କମ୍ପାନିରେ ଫ୍ୟାସନ ଡିଜାଇନର ଓ କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ୍ ଭାବେ ସେ କାର୍ଯ୍ୟ କରନ୍ତି। ଫେରିବା ଦିନଠାରୁ ଯୁବତୀ ଜଣକ ଘରେ ସଙ୍ଗରୋଧରେ ରହିଥିଲେ। ପରେ ସରକାରଙ୍କ ପକ୍ଷରୁ ତାଙ୍କ ସ୍ବାବ୍ ଦେବା ଲାଗି ଫୋନ୍ ଜରିଆରେ ସୂଚନା ଦିଆଯାଇଥିଲା। ସେ ମର୍କତନଗରରେ ଥିବା ସରକାରୀ ବ୍ୟବସ୍ଥାରେ ନିଜର ସ୍ବାବ୍ ଦେଇଥିଲେ। ତେବେ ଗତକାଲି ମଧ୍ୟରାତ୍ରରେ ଫୋନ୍ ଜରିଆରେ ସେ ପଜିଟିଭ୍ ଥିବା ସୂଚନା ଦିଆଯାଇଥିଲା। ତାଙ୍କର କୌଣସି ଲକ୍ଷଣ ନ ଥିଲା। ମଧ୍ୟରାତ୍ରରେ ହସ୍ପିଟାଲକୁ ସ୍ଥାନାନ୍ତରିତ ନ କରି ଶନିବାର ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଆଜି ଦିନ ୧୦ଟା ସମୟରେ ସିଏମ୍‌ସି ପକ୍ଷରୁ ଏକ ଆମ୍ବୁଲାନ୍‌ସ ସହିତ ୨ଟି ଗାଡ଼ି ଘର ନିକଟରେ ପହଞ୍ଚିଥିଲା। ତେବେ ମଝି ରାସ୍ତାରେ ୨ଟି ଗାଡ଼ି ଅନ୍ୟତ୍ର ପଳାଇଥିଲେ।

ଯୁବତୀ ଜଣକ ‘ସମ୍ବାଦ’କୁ କହିଛନ୍ତି, ବାରଙ୍ଗ ନନ୍ଦନକାନନ ରାସ୍ତା ଦେଇ ଆମ୍ବୁଲାନ୍‌ସ ଦିନ ୧୧ଟା ବେଳେ ରାଜଧାନୀର କୋଭିଡ୍‌ ହସ୍ପିଟାଲରେ ପହଞ୍ଚିଲା। ସିଏମ୍‌ସି ପକ୍ଷରୁ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କୁ ଯେଉଁ କାଗଜ ଦିଆଯାଇଥିଲା ତହିଁରେ ତାଙ୍କ ନାଁ ରହିଥିଲା। ମାତ୍ର ସିଏମ୍‌ସି ପକ୍ଷରୁ ହସ୍ପିଟାଲକୁ କୌଣସି ରେଫରାଲ ଦିଆଯାଇ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ହସ୍ପିଟାଲର କାର୍ଯ୍ୟରତ କର୍ମଚାରୀମାନେ ବାରମ୍ବାର ନୋଟିଂ ନେଉଥିଲେ ହେଁ ହସ୍ପିଟାଲରେ ଆଡମିଟ୍‌ କରାଗଲା ନାହିଁ। ଘରେ ଏ ସଂପର୍କରେ ଜଣାଇବା ପରେ ଦାଦା ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କୁ ଅବ୍ୟବସ୍ଥା ସଂପର୍କରେ ଜଣାଇବା ପରେ ସାଢ଼େ ୪ଟାରେ ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ହସ୍ପିଟାଲରେ ହୋଇଥିବା ଅବ୍ୟବସ୍ଥା ସଂପର୍କରେ ଯୁବତୀ ଜଣକ ନିଜର ଟ୍ବିଟର୍ ଓ ଭିଡିଓ ସେୟାର କରିଥିବା ବେଳେ ତାକୁ ଡିଲିଟ୍‌ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିବା ଯୁବତୀ ଜଣକ କହିଛନ୍ତି। ଏପରିକି ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ତାଙ୍କୁ ରାତ୍ର ଭୋଜନ ମଧ୍ୟ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି।

କିଛିଦିନ ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗଞ୍ଜାମ ଆସିକା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦିନ ୧ଟା ସମୟରେ ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ନ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଯୋଗୁଁ ସଂପୃକ୍ତ ଡାକ୍ତରଖାନାରେ କର୍ମଚାରୀମାନେ ତାଙ୍କ ପାଖକୁ ଯାଇ ନ ଥିଲେ। ହସ୍ପିଟାଲ ପକ୍ଷରୁ ବିଏମ୍‌ସି ଆମ୍ବୁଲାନ୍‌ସ ଜରିଆରେ ତାଙ୍କୁ ସ୍ଥାନାନ୍ତରିତ ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ଆମ୍ବୁଲାନ୍‌ସ ଅଭାବରୁ ସଂପୃକ୍ତ ସଂକ୍ରମିତଙ୍କୁ ସ୍ଥାନାନ୍ତର କରିବାରେ ବିଳମ୍ବ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe