ଆଜି ଉଦ୍‌ଘାଟନ ହେବ ‘ଗୀତଗୋବିନ୍ଦ ସଦନ’

Advertisment
ଆଜି ଉଦ୍‌ଘାଟନ ହେବ ‘ଗୀତଗୋବିନ୍ଦ ସଦନ’

ଭୁବନେଶ୍ୱର : ଶିଳାନ୍ୟାସ ହେବାର ପ୍ରାୟ ସାଢ଼େ ଚାରି ବର୍ଷ ପରେ ଜୟଦେବ ଭବନ ପଛପାର୍ଶ୍ୱରେ ତଥା ଆଇଜି ପାର୍କ ସମ୍ମୁଖରେ ନିର୍ମାଣ ହୋଇଥିବା ‘ଗୀତଗୋବିନ୍ଦ ସଦନ’ ସୋମବାର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପୂର୍ବରୁ ଏହି ବିଲ୍‌ଡିଂର ନାମ ‘ନୂଆ ଜୟଦେବ ଭବନ’ ରଖିବାକୁ ସ୍ଥିର ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହାର ନାମ ‘ଗୀତଗୋବିନ୍ଦ ସଦନ’ ରଖିବାକୁ ନିଷ୍ପତ୍ତି ହୋଇଛି। ଦୁଇଟି ଜୟଦେବ ଭବନ ନ କରି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ନାମରେ ନୂଆ ବିଲ୍‌ଡିଂ ନାମିତ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪, ୨୦୧୩ରେ ଜୟଦେବ ଭବନର ନୂଆ ଅଡିଟୋରିୟମ୍‌ର ଶିଳାନ୍ୟାସ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜୟଦେବ ଭବନର ଏହି ନୂଆ ଅଡିଟୋରିୟମ୍‌ (ଗୀତଗୋବିନ୍ଦ ସଦନ) ପାଇଁ ୧୫ମାସ ଅବଧି ରଖାଯାଇଥିଲେ ହେଁ ୨ବର୍ଷରେ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ ଏଥିରେ ଅଡିଟୋରିୟମ୍‌କୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିଲାନି। ଏହି ଅଡିଟୋରିୟମ୍‌ ପାଇଁ ୫କୋଟି ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଏହି କାର୍ଯ୍ୟ ଟେଣ୍ଡର୍‌ ମାଧ୍ୟମରେ ଦିଆଯାଇଥିଲା। ହେଲେ ଏତିକିରେ କାର୍ଯ୍ୟ ସରିଲାନି। ଏହି ବିଲ୍‌ଡିଂରେ ଚିଠାରେ ପ୍ରାୟ ୩କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ହୋଇଛି।

ପୂର୍ତ୍ତ ବିଭାଗର ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ ନୂଆ ଅଡିଟୋରିୟମ୍‌ରେ କେଉଁ ପ୍ରକାରର ସିଟ୍‌ ପଡ଼ିବ ତାହା ସ୍ଥିର ହୋଇପାରି ନଥିଲା। ଏଥିପାଇଁ କୋଠା ନିର୍ମାଣ ହେବା ପରେ ପ୍ରାୟ ଦେଢ଼ ବର୍ଷ ଲାଗିଗଲା। ସିଟ୍‌ ଓ ମଞ୍ଚ କିପରି ହେବ ଚୂଡ଼ାନ୍ତ ହେବା ପରେ ଜୋରଦାର୍‌ କାର୍ଯ୍ୟ କରି ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

ନୂଆ ଅଡିଟୋରିୟମ୍‌ରେ ବେସ୍‌ମେଣ୍ଟ୍‌ରେ ପ୍ରାୟ ୧୨ ହଜାର ବର୍ଗଫୁଟର ପାର୍କିଂ ବ୍ୟବସ୍ଥା, ତଳ ମହଲାରେ ୭,୨୦୦ ବର୍ଗଫୁଟର ଡାଇନିଂ ହଲ୍‌, ପ୍ରଥମ ମହଲାରେ ୭,୮୦୦ ବର୍ଗଫୁଟର ସଭାଗୃହ ଏବଂ ଦ୍ୱିତୀୟ ମହଲାରେ ୮,୧୦୨ ବର୍ଗଫୁଟର ଇ-ପାଠାଗାର ନିର୍ମାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ପ୍ରଥମ ମହଲା ଅଡିଟୋରିୟମରେ ୧୬୪ଟି ସିଟ୍‌ ପଡ଼ିବାକୁ ଥିବାବେଳେ ଏଠାରେ ୨୦ରେ ୩୦ଫୁଟର ମଞ୍ଚ ଅଛି। ଏହାସହିତ ଏହି ମହଲାରେ ୫୧ଜଣ ବସିବା ଭଳି ସମ୍ମିଳନୀ କକ୍ଷ, ତଳ ମହଲାରେ ରୋଷେଇ ବ୍ୟବସ୍ଥା ଏବଂ ଡାଇନିଂ ରହିଛି। ଏଠାରେ ୧୦୯ଜଣ ଏକାଠି ଖାଇବା ବ୍ୟବସ୍ଥା ରହିଛି। ଦ୍ୱିତୀୟ ମହଲାରେ ୧୧୦ଜଣ ଏକାଠି ବସି ପଢ଼ିବା ଭଳି ପାଠାଗାର ଅଛି।

ବର୍ତ୍ତମାନ ଯେଉଁ ଅଡିଟୋରିୟମ ହୋଇଛି ସେଥିରେ କେବଳ ବିଭିନ୍ନ ସଭା ସମିତି ହୋଇପାରିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଲୋକ ଓ ଶବ୍ଦର ବ୍ୟବସ୍ଥା ହୋଇନି। ପରବର୍ତ୍ତୀ ସମୟରେ ଏହା ଲାଗିପାରେ ବୋଲି କୁହାଯାଇଛି। ଗ୍ରିନ୍‌ ରୁମ୍‌ ବି ନାହିଁ। ଏହି ଅଡିଟୋରିୟମ ପାଇଁ ଭବିଷ୍ୟତରେ ଅନଲାଇନ୍‌ରେ ବୁକିଂ ବ୍ୟବସ୍ଥା ହେବାର ଅଛି।

ସୂଚନାଯୋଗ୍ୟ ଯେ, ୧୯୭୬ ମସିହାରେ ଜୟଦେବ ଭବନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ରାଜଧାନୀର ଏମିତି ଏକ ପ୍ରେକ୍ଷାଳୟ ଯେଉଁଠି ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ୩୭୭ଟି ସିଟ୍‌ ରହିଛି। ହେଲେ ପ୍ରେକ୍ଷାଳୟର ଚାହିଦାକୁ ଦେଖି ଆବଶ୍ୟକୀୟ ସିଟ୍‌ ନ ଥିବାରୁ ଦର୍ଶକ ବସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆୟୋଜକ ଖାଦ୍ୟପାନୀୟର ବ୍ୟବସ୍ଥା କରିବାକୁ ଚାହିଁଲେ ବି ଲୋକ ଖାଇବାକୁ ଡାଇନିଂ ହଲ୍‌ଟିଏ ନାହିଁ। ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ବି ନାହିଁ। ଏସବୁକୁ ଦୃଷ୍ଟିରେ ରଖି ସରକାର ଜୟଦେବ ଭବନର ନୂଆ ଅଡିଟୋରିୟମ୍‌ ଯୋଜନା କରିଥିଲେ। ଏହା ବର୍ତ୍ତମାନର ଅଡିଟୋରିୟମ ଠାରୁ ଅପେକ୍ଷାକୃତ ଛୋଟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe