ଫସର ଫାଟିଲା ଯୋଜନା: କୁକୁର ବନ୍ଧ୍ୟାକରଣ ପାଇଁ ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌

Advertisment

ଭୁବନେଶ୍ୱରରେ ହେବନି ତ ଭୋପାଳ ସ୍ଥିତି!

ଭୁବନେଶ୍ୱରରେ ହେବନି ତ ଭୋପାଳ ସ୍ଥିତି!

ଫସର ଫାଟିଲା ଯୋଜନା: କୁକୁର ବନ୍ଧ୍ୟାକରଣ ପାଇଁ ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌

ଭୁବନେଶ୍ୱର : ମଧ୍ୟପ୍ରଦେଶ ଭୋପାଳରେ ୫ଟି ବୁଲା କୁକୁର ୪ବର୍ଷର ଜଣେ ଶିଶୁକୁ କାମୁଡ଼ି ଲହୁଲୁହାଣ କରିବା ପରେ ଭୁବନେଶ୍ବରରେ କୁକୁରଙ୍କୁ ନେଇ ଚିନ୍ତା ବଢ଼ିଛି। ଦୀର୍ଘ ଦିନ ହେବ ଏବିସି(ଆନିମଲ ବାର୍ଥ କଣ୍ଟ୍ରୋଲ) କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉନଥିବାରୁ ରାଜଧାନୀରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଟିକାକରଣ ହୋଇପାରୁ ନଥିବାରୁ ସେମାନେ କାମୁଡ଼ିଲେ ମାରାତ୍ମକ ଜଳାତଙ୍କ ରୋଗ ହେବା ଆଶଙ୍କା ରହିଛି। ଏଣେ କୁକୁରଙ୍କୁ ବନ୍ଧ୍ୟାକରଣ ସହ ଟିକାକରଣ କରିବାକୁ ବିଏମ୍‌ସି ଗ୍ଲୋବାଲ୍‌ ଟେଣ୍ଡର କରି ଏକ ଜାତୀୟସ୍ତରର ଏଜେନ୍‌ସି ଜରିଆରେ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲା। ହେଲେ ତାହା ବାତିଲ ହୋଇଯାଇଛି। ଏଣୁ ଭୁବନେଶ୍ବରରେ ଶତପ୍ରତିଶତ କୁକୁର ବନ୍ଧ୍ୟାକରଣକୁ ନେଇ ଅନିଶ୍ଚିତତା ବଢ଼ିଥିବା ବେଳେ ଭୋପାଳ ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଏବିସି ଯୋଜନାରେ ବିଏମ୍‌ସି କୁକୁର ପିଛା ୫୦୦ ଟଙ୍କା ଲେଖାଏ ଖର୍ଚ୍ଚ କରୁଛି। ମାସକୁ ପ୍ରାୟ ୨୦୦ଟି କୁକୁରଙ୍କର ଅସ୍ତ୍ରୋପଚାର ହୋଇପାରୁଛି। ଅର୍ଥାତ୍‌ କେବଳ କୁକୁର ପିଛା ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି। ଏହା ବାଦ୍‌ ଡାକ୍ତର, ସହାୟକ, ପାରାଭେଟ୍‌ଙ୍କ ଦରମା ସହ ଔଷଧ ଖର୍ଚ୍ଚ ରହିଛି। ହେଲେ ଏ ସବୁ ପାଣିରେ ପଡ଼ୁଛି। ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏବେ ଏବିସି ଜରିଆରେ ପ୍ରତିବର୍ଷ ପ୍ରାୟ ୨ହଜାର କୁକୁରଙ୍କ ବନ୍ଧ୍ୟାକରଣ ସମ୍ଭବ ହେଉଛି। ଅତି କମ୍‌ରେ କୁକୁରଙ୍କ ସଂଖ୍ୟା ବର୍ଷକୁ ୧୦୦୦ ଲେଖାଏ ବଢ଼ି ଚାଲିଛି। ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ଏଭଳି ବଢ଼ି ବଢ଼ି ଏବେ ୫୦ ହଜାରରେ ପହଞ୍ଚିଛି। ଫଳରେ ଏବିସି କାର୍ଯ୍ୟକ୍ରମ ‘ଗୋଦରା କୋ‌ଡ଼େ ଯେତେ ମାଡ଼େ ସେତେ’ ଭଳି ହୋଇଛି।

publive-image thebiharpost.com

ଗୋଟିଏ ପଟେ କୁକୁରଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କ ପାଇଁ ଖାଦ୍ୟ ସଙ୍କଟ ହେଉଛି। ଏଣୁ ସେମାନେ ହିଂସ୍ର ହେଉଛନ୍ତି। ଦିନକୁ ଦିନ କୁକୁରଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେଉଛି। ନିକଟରେ ଜାଗମରା ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ବୁଲା କୁକୁର ଗୋଡ଼େଇ ଗୋଡ଼େଇ ୧୦ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ଦିନରେ କାମୁଡ଼ିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷରେ କୁକୁରଙ୍କ ଯୋଗୁଁ ଦେଢ଼ଶହରୁ ଅଧିକ ଦୁର୍ଘଟଣା ଘଟିଥିଲା। ଏଭଳି ଅଘଟଣ ଚଳିତ ବର୍ଷ ମଧ୍ୟ ଦ୍ବିଗୁଣିତ ହେବା ଆଶଙ୍କା ରହିଛି।

ଅନ୍ୟପଟେ ବିଏମ୍‌ସି ପକ୍ଷରୁ କୁହାଯାଇଛି କୁକୁର ବନ୍ଧ୍ୟାକରଣ ପାଇଁ ଯେଉଁ ଗ୍ଲୋବାଲ୍‌ ଟେଣ୍ଡର ହେବା କଥା ତାହା ହୋଇପାରି ନାହିଁ। ତେବେ ଏହି ଅଭିଯାନକୁ ସଫଳ କରିବା ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ମାସରେ ହିଁ ଅତିରିକ୍ତ ୭ ଡାକ୍ତର, ୭ ପାରାଭେଟ୍‌, ୩ ଆସିଷ୍ଟାଣ୍ଟ ଓ ୨ ଆଟେଣ୍ଡାଣ୍ଟ ନିୟୋଜିତ ହେବେ। ଜିଲ୍ଲାୱାରି ବନ୍ଧ୍ୟାକରଣ ଓ ହେଲ୍ପ ଲାଇନ୍‌ କରିବା ପାଇଁ ସରକାର ଘୋଷଣା କରିଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଏଭଳି ବ୍ୟବସ୍ଥା ହେଉଛି। ସ୍ବତନ୍ତ୍ର ଏନ୍‌ଜିଓ ମାନେ ମଧ୍ୟ ନିୟୋଜିତ ହେବେ। ଏଣୁ ଏହି କାର୍ଯ୍ୟକ୍ରମ ତ୍ବରିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe