ଘରକୁ ଯାଅ, ପିଲାଙ୍କୁ ସ୍କୁଲକୁ ଆଣ: ଗଣଶିକ୍ଷା ମନ୍ତ୍ରୀ

Advertisment
ଘରକୁ ଯାଅ, ପିଲାଙ୍କୁ ସ୍କୁଲକୁ ଆଣ: ଗଣଶିକ୍ଷା ମନ୍ତ୍ରୀ

ବାଲିପାଟଣା: ‘ପିଲା ସ୍କୁଲକୁ ଆସୁନାହାନ୍ତି ଅର୍ଥ କ’ଣ? ଯଦି ଆସୁନାହାନ୍ତି, ଆପଣମାନେ କ’ଣ କରୁଛନ୍ତି? ସେମାନଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି କି? ପିଲାଙ୍କ ଘରକୁ ଯାଇ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି କି? ଏଣିକି ଏମିତି କରନ୍ତୁ।’ ଗଣଶିକ୍ଷା ମନ୍ତ୍ରୀଙ୍କ ଏମିତି ପୁଳାପୁଳା ପ୍ରଶ୍ନ ଓ ପରାମର୍ଶରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି ହଡ଼‌ବଡ଼େଇ ଯାଇଥିଲେ। ମନ୍ତ୍ରୀ ଗସ୍ତ କରିଥିବା ବିଦ୍ୟାଳୟ ସମେତ ବାଲିପାଟଣା ବ୍ଲକର ଅନ୍ୟ ବିଦ୍ୟାଳୟମାନଙ୍କରେ ବି ମନ୍ତ୍ରୀଙ୍କ କଡ଼ା ପରାମର୍ଶ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସତର୍କ କରାଇଥିଲା।

ସୂଚନାଯୋଗ୍ୟ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବାଲିପାଟଣା ବ୍ଲକ ଗସ୍ତରେ ଆସିଥିଲେ। ପ୍ରଥମେ ସେ ତୁରିନ୍ତିରା ପଞ୍ଚାୟତସ୍ଥିତ ବିପିନ ବିହାରୀ ହାଇସ୍କୁଲ ଏବଂ ପରେ ଆବାସିକ ବିଦ୍ୟାଳୟ ବୁଲି ଦେଖିଥିଲେ। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସହ କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନ ବାବଦରେ ପଚାରି ବୁଝିଥିଲେ। ଦଶମ ଶ୍ରେଣୀ ପିଲାଙ୍କ ପାଖକୁ ଯାଇ ପାଠପଢ଼ା ସମ୍ବନ୍ଧରେ ପଚାରି ବୁଝିଥିଲେ। ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମୋ ସରକାର ଯୋଜନାରେ ସ୍କୁଲ ପରିସରରେ ନିର୍ମାଣ ହେଉଥିବା ଏକ ମଞ୍ଚ କାମ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ସେ କୁରୁଞ୍ଜିପୁର ପଞ୍ଚାୟତ ଶୋଧୁଅସ୍ଥିତ ଆବସିକା ବିଦ୍ୟାଳୟକୁ ଯାଇଥିଲେ। ସ୍କୁଲ୍‌‌ରେ ଛାତ୍ର ଉପସ୍ଥାନ କମ୍‌ ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ। ଦଶମ ଶ୍ରେଣୀର ୬୦ ପିଲାଙ୍କ ମଧ୍ୟରୁ ମାତ୍ର ୨୧ଜଣ ଉପସ୍ଥିତ ଥିଲେ। ଏତେ କମ୍ ପିଲା ସ୍କୁଲକୁ ଆସିଥିବା ଦେଖି ସେ ପ୍ରଧାନ ଶିକ୍ଷକଙ୍କୁ କାରଣ ପଚାରିଥିଲେ। ତେବେ ଏଣିକି ପିଲାଙ୍କ ଘରକୁ ଯାଇ ଅଭିଭାବକଙ୍କ ସହିତ ଆଲୋଚନା କରିବା ପାଇଁ ଶିକ୍ଷକମାନଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଗାଁ ଗାଁରେ ପିଲାମାନଙ୍କୁ ନେଇ ଗ୍ରୁପ୍‌ ଗଢ଼ି ପାଠ ପଢ଼ାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ରବିବାର ସ୍କୁଲ୍‌ରେ ପାଠପଢ଼ା ଯେମିତି ବନ୍ଦ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe