Zee Business
ଭୁବନେଶ୍ୱର: ବଡଗଡ଼ ଗ୍ରାମରେ ଥିବା ପତିତପାବନ ମନ୍ଦିରର ପରିଚାଳନା ତଥା ଦେବନୀତି ସମ୍ପନ୍ନ ପାଇଁ ରହିଥିବା ଜମିରୁ ରାଜପଥ ନିର୍ମାଣ ବେଳେ ମିଳିଥିବା କ୍ଷତିପୂରଣ ଅର୍ଥ ଏବେବି ସରକାରଙ୍କ ଖାତାରେ ପଡ଼ିଛି। ଏହି ଅର୍ଥର ପରିମାଣ ଦେଢ଼କୋଟି ଟଙ୍କା। ଠାକୁରଙ୍କ ନାମରେ ଥିବା ସମ୍ପତ୍ତି ଦେବୋତ୍ତର ବିଭାଗ ଅଧୀନରେ ରହିଛି। ଏହି କ୍ଷତିପୂରଣ ଅର୍ଥ ଠାକୁରଙ୍କ ପାଇଁ ଖର୍ଚ୍ଚ କରିବାକୁ ହେଲେ ଏକ ଟ୍ରଷ୍ଟ ବୋର୍ଡର ଆବଶ୍ୟକତା ଥିଲା ବେଳେ ୧୯୭୩ ମସିହାରୁ ଏହା ଗଠନ ହୋଇପାରିନାହିଁ। ଫଳରେ ସରକାରୀ ଖାତାରେ ଠାକୁରଙ୍କ ଦେଢକୋଟି ଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ହୋଇପାରୁନାହିଁ। କାହା ସ୍ୱାର୍ଥରେ ଏହି ଟ୍ରଷ୍ଟ ବୋର୍ଡ ଗଠନ ଅଟକି ରହିଛି ସେ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଠାକୁରଙ୍କର ୧୫ ଏକରରୁ ଊର୍ଧ୍ବ ଜମି ରହିଥିଲା। ହାଇଟେକ୍ ଛକରୁ ପୁରୀ ବାଇପାସ୍ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ମନ୍ଦିର ଜମିର କିଛି ଅଂଶ ଅଧିଗ୍ରହଣ କରାଯାଇଥିଲା। ଯେଉଁଥିପାଇଁ ଜାତୀୟ ରାଜମାର୍ଗ କର୍ତ୍ତୃପକ୍ଷ କ୍ଷତିପୂରଣ ଭାବେ ପ୍ରାୟ ଦେଢ଼କୋଟି ଟଙ୍କା ମନ୍ଦିର ପାଣ୍ଠିକୁ ଦେଇଥିଲେ। ଯାହାକି ବର୍ତ୍ତମାନ ସରକାରଙ୍କ ଖାତାରେ ପଡିରହିଛି। ଉଲ୍ଲେଖଯୋଗ୍ୟ, ଏହି ଅର୍ଥକୁ ସରକାରୀ ଖାତାରୁ ଆଣି ପତିତପାବନ ମନ୍ଦିରର ବିକାଶ କାର୍ଯ୍ୟରେ ଲଗାଇବା ପାଇଁ ମନ୍ଦିରର ପୂଜକ ଏବଂ ଏହି ବ୍ୟବସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଦେବୋତ୍ତର ବିଭାଗ ନିକଟରେ ବାରମ୍ବାର ଦାବି ଜଣାଉଥିଲେ ବି ଦେବୋତ୍ତର ବିଭାଗ ଟ୍ରଷ୍ଟ ଗଠନ ନହେଲେ ଟଙ୍କା ଦେଇ ହେବନାହିଁ ବୋଲି ଯୁକ୍ତି ଦର୍ଶାଉଛି। ଏନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଏବଂ ଦେବୋତ୍ତର ବିଭାଗକୁ ଟ୍ରଷ୍ଟ ଗଠନ ପାଇଁ ଦୀର୍ଘବର୍ଷରୁ ଅନୁମତି ମାଗୁଥିଲେ ବି ତାହା ମିଳିପାରିନାହିଁ। ୨୦୧୬ ମସିହାରେ ଆଦେଶ ହୋଇଥିବା ଟ୍ରଷ୍ଟ ଗଠନ ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲେ ବି ଏହା ବିଫଳ ହୋଇଛି। ଅନ୍ୟପକ୍ଷରେ ଠାକୁରଙ୍କ ବହୁ ମୂଲ୍ୟବାନ ସମ୍ପତ୍ତି କିଛି ମାର୍ଫତଦାରଙ୍କ ଜରିଆରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଏନେଇ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ମନ୍ଦିର ପୂଜକଙ୍କ ପକ୍ଷରୁ ମଧ୍ୟ ଅବଗତ କରାଯାଇଛି। ସମ୍ପ୍ରତି ଏହି ମନ୍ଦିରର ପରିଚାଳନାକୁ ସୁଦୃଢ଼ କରିବା ସହିତ ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟର ଆବଶ୍ୟକତା ଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପତିତପାବନ ଠାକୁରଙ୍କ ଜମିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ମନ୍ଦିରର ପୂଜକ ଉଦୟନାଥ ପଣ୍ଡା ଦାବି କରିଛନ୍ତି। ଅନ୍ୟପଟେ ଏହି ସରକାର ଜାଣିଶୁଣି ଏପରି ବେଆଇନ କାର୍ଯ୍ୟ ପାଇଁ ଉତ୍ସାହିତ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଶ୍ରୀଜଗନ୍ନାଥ ଜମି ସୁରକ୍ଷା କମିଟିର ସଂଯୋଜକ ମନୋଜ ପାଢ଼ୀ କହିଛନ୍ତି।
Follow Us