ସୁନା ସଫା ଆଳରେ ଲୁଟିନେଲେ ୨ ମହିଳାଙ୍କ ଲକ୍ଷାଧିକ ଟଙ୍କାର ଗହଣା

Advertisment
ସୁନା ସଫା ଆଳରେ ଲୁଟିନେଲେ ୨ ମହିଳାଙ୍କ ଲକ୍ଷାଧିକ ଟଙ୍କାର ଗହଣା

ବାଲିପାଟଣା : ଗାଁକୁ ଗହଣା ସଫେଇ କରିବାକୁ ଆସୁଛନ୍ତି ଅଜଣା ଯୁବକ। ଏକୁଟିଆ ମହିଳା ଓ ବୃଦ୍ଧାଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା। ଏପରି ଏକ ଲୁଟ୍‌ର ଶିକାର ହୋଇଛନ୍ତି ତୁରିନ୍ତିରା ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ପତ୍ନୀ ମଞ୍ଜୁବାଳା ଦାସ (୬୭) ଓ ଆର୍ତ୍ତତ୍ରାଣ ମୁଦୁଲିଙ୍କ ପତ୍ନୀ ମନୋରମା ମୁଦୁଲି (୪୬)। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରିଛି। ହେଲେ ଠକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୧୧ଟା ବେଳେ ୨ ଜଣ ଯୁବକ ଏକ କଳା ପଲ୍‌ସରରେ ତୁରିନ୍ତିରା ଗାଁକୁ ଆସିଥିଲେ। ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଘର ଘର ବୁଲି ଗହଣା ସଫେଇ କରିବାକୁ କହିଥିଲେ। ମଞ୍ଜୁବାଳା ଘର ବାରଣ୍ଡାରେ ଛିଡ଼ା ହୋଇଥିବା ଦେଖି ଜଣେ ଯୁବକ ଠାକୁରଙ୍କ ବାସନ ସଫା କରିଦେବାକୁ ମାଗିଥିଲା। କ୍ଷଣିକ ମଧ୍ୟରେ ବାସନ ସଫା କରିଦେଇଥିଲା। ତା’ ପରେ ପାଉଁଜି ମାଗିଥିଲା। ପାଉଁଜି ମଧ୍ୟ ସଫା କରି ଫେରେଇ ଦେଇଥିଲା। ଫଳରେ ବୃଦ୍ଧାଙ୍କ ମନରେ ବିଶ୍ୱାସ ଜନ୍ମିଥିଲା। ସୁଯୋଗ ନେଇ ପିନ୍ଧି ଥିବା ସୁନା ଚେନ ଓ କାନ ଫୁଲ ସଫା କରିଦେବେ ବୋଲି କହି ମାଗିଥିଲା। ମଞ୍ଜୁବାଳା ଅଳଙ୍କାର ଗୁଡିକ ଖୋଲି ତାଙ୍କୁ ଦେଇଦେଇଥିଲେ। ଯୁବକ ଜଣଙ୍କ ଗରମ ପାଣି ମାଗିଥିଲା। ସେତେବେଳେ ଲକ୍ଷ୍ମୀଧର କୌଣସି କାମରେ ବଜାରକୁ ଯାଇଥିଲେ। ହଠାତ ଯୁବକ ଜଣଙ୍କ ସିଧା ରୋଷଇ ଘରକୁ ଚାଲି ଯାଇଥିଲା। ଗ୍ୟାସ ଖୋଲି ପ୍ରେସରରେ ପାଣି ବସାଇ ସେଥିରେ କିଛି ପାଉଡର ଓ ହଳଦୀ ପକାଇ ଗରମ କଲା। ସେଠାରେ ମନୋରମା ଉପସ୍ଥିତ ଥିଲେ। ସେ ନିଜ କାନ ଫୁଲ ସଫା ହୋଇଯିବ ଭାବି ଖୋଲି ଦେଇଥିଲେ।

ପାଣି ରଙ୍ଗ ହୋଇଯିବାରୁ ଅଳଙ୍କାର ଦେଖା ଯାଇ ନ ଥିଲା। ଉଷୁମ ପାଣିରୁ ୧୦ ମିନଟ ପରେ ଗହଣା ବାହାର କରିବାକୁ ପରାମର୍ଶ ଦେଇ ୨ ଯୁବକ ଦ୍ରୁତଗତିରେ ନିମାପଡ଼ା ଅଭିମୁଖେ ଚାଲି ଯାଇଥିଲେ। ଗରମ ପାଣିରେ ମଞ୍ଜୁବାଳାଙ୍କ ୧୮ ଗ୍ରାମର ସୁନା ଚେନ ଓ ୬ ଗ୍ରାମ ଓଜନର କାନ ଫୁଲ ଥିଲା। ସେହିପରି ମନୋରମାଙ୍କର ୬ ଗ୍ରାମର କାନ ଫୁଲ ଥିଲା। କିଛି ସମୟ ପରେ ଉଭୟ ମହିଳା ଦେଖିବା ବେଳକୁ ପାଣିରେ ଅଳଙ୍କାର ନଥିଲା। ଲୁଟ୍‌ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe