ଗୋଲ୍‌ଡେନ୍‌ ବାବା : ଖଣି ମାଲିକଙ୍କଠାରୁ ନେଇଥିଲେ ୪ କୋଟି!

Advertisment
ଗୋଲ୍‌ଡେନ୍‌ ବାବା : ଖଣି ମାଲିକଙ୍କଠାରୁ ନେଇଥିଲେ ୪ କୋଟି!

ଭୁବନେଶ୍ୱର : ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍‌ଡେନ୍ ବାବାର ଦୁଇଟି ମାମଲାକୁ ତଦନ୍ତ କରୁଛି କ୍ରାଇମ୍‌ ବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଇଓଡବ୍ଲୁ ମାମଲାର ତଦନ୍ତ କରିବାକୁ ଦୁଇ ସପ୍ତାହ ପୂରିଛି। ହେଲେ ବିଭାଗ ପୂର୍ବବତ୍‌ ନିରବତା ବଜାୟ ରଖିଛି। ଗୋଲ୍‌ଡେନ୍‌ ବାବାକୁ ନେଇ ମୁହଁ ଖୋଲିବାକୁ ଚାହୁଁନାହିଁ କ୍ରାଇମ୍‌ ବ୍ରାଞ୍ଚ। ତେବେ ଏଭଳି ସ୍ଥିତିରେ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ଜଣେ ଖଣି ମାଲିକଙ୍କଠାରୁ ୪ କୋଟି ଟଙ୍କା ନେଇଛି ଗୋଲ୍‌ଡେନ୍‌ ବାବା। ସମ୍ପୃକ୍ତ ଖଣିମାଲିକଙ୍କୁ ଠାବ କରିଛି କ୍ରାଇମ୍‌ ବ୍ରାଞ୍ଚ। ପୂର୍ବରୁ ଭୟରେ ଅଭିଯୋଗ ଦେବା ପାଇଁ ଆସୁ ନଥିବା ଏହି ଖଣି ମାଲିକ ବିଧିବଦ୍ଧ ଭା‌େବ ଅଭିଯୋଗ କରିଥିବା ଜଣାପଡ଼ିଛି। ତଦନ୍ତ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଦଳ ଏହି ଖଣି ମାଲିକଙ୍କ ପାଖରେ ପହଞ୍ଚିବା ସହ ଆନେକ ତଥ୍ୟ ସଂଗ୍ରହ କରିଛି। ପୂର୍ବରୁ ବାବାର ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ଇଓଡବ୍ଲୁ ଅଚଳ କରିଥିଲା। ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ଆକାଉଣ୍ଟ‌ ମଧ୍ୟରୁ ଗୋଟିଏ ଜ୍ୟୋତି ଟ୍ରେଡିଂ ଆଣ୍ଡ କୋ’ନାଁରେ ରହିଥିଲା। ଏଥିରେ ମୋଟ ୫୧ ଲକ୍ଷ ଟଙ୍କା ଥିଲା। ଅନ୍ୟପଟେ ବାବାର ସମ୍ପତ୍ତି ମଧ୍ୟ ତାଲିକା ହେଉଛି। ନିଜ ନାମରେ ବାବା କମ୍‌ ସମ୍ପତ୍ତି କରିଥିବା ବେଳେ କେତେକ ସମ୍ପର୍କୀୟ ଓ ସାଙ୍ଗମାନଙ୍କ ନାମରେ କରିଥିବା ଜଣାପଡ଼ିଛି। ତେବେ ଏହି ଖଣିମାଲିକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଖଣିମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେ ସାମ୍ନାକୁ ଆସିବାକୁ ଚାହୁଁନାହାନ୍ତି। କିନ୍ତୁ ଏବେ ଇଓଡବ୍ଲୁ ହାତରେ ଲାଗିଥିବାରୁ ସମସ୍ତ ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି। ଖଣିମାଲିକଙ୍କ ଏହି ଅର୍ଥ କଳା ଧନ କି ବେଆଇନ ଭାବରେ ରୋଜଗାର ହୋଇଥିଲା ସେ ନେଇ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ବାବା ନିଜକୁ ଖଣି ମାଲିକ ଦର୍ଶାଇ ବାର୍ଷିକ ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ନକଲି କାଗଜପତ୍ର ଇଓଡବ୍ଲୁ ଜବତ କରିଛି। ଏତେ ଚତୁରତାର ସହ ନକଲି କାଗଜ କିଭଳି ପ୍ରସ୍ତୁତ କରିପାରୁଥିଲା, କେଉଁ ଖଣି ମାଲିକ ସହଯୋଗ କରୁଥିଲେ କି ନାହିଁ ସେ ସବୁର ତଦନ୍ତ ଚାଲିଥିବା ବେଳେ ଏହି ଖଣିମାଲିକ ମଧ୍ୟ ଏବେ ଇଓଡବ୍ଲୁ ସ୍କାନର୍‌କୁ ଆସିଛନ୍ତି।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖର ପୁର ଥାନା ଅଧୀନରେ ହୋଇଥିବା ମାମଲା (ଯାହା ଏବେ ଇଓଡବ୍ଲୁ ତଦନ୍ତ କରୁଛି)ର ଅଭିଯୋଗକାରୀ ବୁଝାମଣାପତ୍ର କୋର୍ଟରେ ଦାଖଲ କରିଛନ୍ତି। ଯଦିଓ ଇଓଡବ୍ଲୁ ପକ୍ଷରୁ ବଳିଷ୍ଠ ଯୁକ୍ତି ବଳରେ ବାବାକୁ ଜାମିନ ମିଳିନାହିଁ, ତଥାପି ମାମଲା କ୍ରମଶଃ କୋହଳ ହେବାରେ ଲାଗିଛି। ତେବେ ଏହି ଖଣିମାଲିକ ଓ ୪ କୋଟି ପ୍ରସଙ୍ଗ ତଦନ୍ତକୁ କେତେକ ଇନ୍ଧନ ଯୋଗାଇ ପାରୁଛି ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe