ଅଧ୍ୟାପକ ବିଶ୍ବରଞ୍ଜନଙ୍କ ‘ଫୁଲବାଣୀର ଚିଠି’ ଉନ୍ମୋଚିତ : ‘ଭାଷାକୁ ବଞ୍ଚାଇ ରଖିବାରେ ସୁଖପାଠ୍ୟ ଗଦ୍ୟର ଗୁରୁତ୍ବ ରହିଛି’

ଅଧ୍ୟାପକ ବିଶ୍ବରଞ୍ଜନଙ୍କ ‘ଫୁଲବାଣୀର ଚିଠି’ ଉନ୍ମୋଚିତ : ‘ଭାଷାକୁ ବଞ୍ଚାଇ ରଖିବାରେ ସୁଖପାଠ୍ୟ ଗଦ୍ୟର ଗୁରୁତ୍ବ ରହିଛି’

ଭୁବନେଶ୍ବର: ‘ଭାଷାକୁ ବଞ୍ଚାଇ ରଖିବାରେ ସୁଖପାଠ୍ୟ ଗଦ୍ୟର ଅନେକ ଗୁରୁତ୍ବ ରହିଛି। ଗଦ୍ୟଟି ଯଦି ସହଜ ଓ ସରଳ ନହେବ ଓ ପାଠକ ତାହାକୁ ପଢ଼ି ଆନନ୍ଦ ଲାଭ ନ କରିବ, ତେବେ ସେ ଭାଷା ପ୍ରତି ଆକର୍ଷିତ ହେବନାହିଁ।’ ବୁଧବାର ସନ୍ଧ୍ୟାରେ ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏକ ଉତ୍ସବରେ ଲେଖକ, ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନଙ୍କ ରଚିତ ପୁସ୍ତକ ‘ଫୁଲବାଣୀର ଚିଠି’ ଉନ୍ମୋଚନ ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ମତ ଦେଇଛନ୍ତି। ଅଧ୍ୟାପକ ବିଶ୍ବରଞ୍ଜନ ଜଣେ ସୁଖପାଠ୍ୟ ଗଦୢ ଲେଖକ। ୧୯୮୮ ମସିହାରେ ‘ସମ୍ବାଦ’ରେ ଅଧ୍ୟାପକ ବିଶ୍ବରଂଜନଙ୍କ ଲିଖିତ ସ୍ତମ୍ଭ ‘ତୀରତରଙ୍ଗ’ ସେତେବେଳେ ବହୁଳ ପଠିତ ଏକ ସୁଖପାଠ୍ୟ ଗଦ୍ୟ ଥିଲା। ତାଙ୍କ ଲେଖା ଅନେକଙ୍କୁ ପଢ଼ିବାକୁ ଭଲ ଲାଗେ। ତେଣୁ ଏଭଳି ଲେଖା ଜାରି ରଖି ସେ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଅଧ୍ୟାପକ ବିଶ୍ବରଂଜନ ଫୁଲବାଣୀରେ ରହୁଥିବା ସମୟର କଥା ବର୍ଣ୍ଣନା କରିଥିଲେ। ୧୯୬୯ ମସିହାରେ ସେ ଯେତେବେଳେ ଫୁଲବାଣୀରେ ରହୁଥିଲେ, ସେଠାକାର ଘଞ୍ଚ ଜଙ୍ଗଲ ଓ ଅନ୍ଧକାର ପରିବେଶ ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ତେଣୁ ସେ ଘରକୁ ଫେରି ଆସିବାକୁ ଚିନ୍ତା କରିଥିଲେ। କିନ୍ତୁ ପରେ ବାପାଙ୍କ ପ୍ରୋତ୍ସାହନରେ ସେ ଫୁଲବାଣୀରେ ରହିଥିଲେ। ପରେ ସେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ ବୋଲି କହିଥିଲେ। ୧୯୮୮ରେ ସେଠାରେ ଅଧ୍ୟାପକ ଚାକିରି କରୁଥିବା ସମୟରେ ‘ସମ୍ବାଦ’ରେ ‘ଫୁଲବାଣୀର ଚିଠି’ ସ୍ତମ୍ଭ ଲେଖା ସଂପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ୨୭ ବର୍ଷ ତଳେ ଲିଖିତ ଏହି ଲେଖା ବିଳମ୍ବରେ ହେଲେ ମଧ୍ୟ ସଂକଳନର ରୂପ ନେଇଥିବାରୁ ସେ ପ୍ରକାଶକଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର୍‌ ସମ୍ପାଦକ ଗୌରହରି ଦାସ, ଗବେଷକ ତଥା ‘ପୌରୁଷ’ର ସମ୍ପାଦକ ଅସିତ୍ ମହାନ୍ତି, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ,  ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ସମ୍ବାଦ ଡିଜିଟାଲର ଉପ-ମହାପ୍ରବନ୍ଧକ ଧୃତିକାମ ମହାନ୍ତି, ଲେଖକ ଦେବପ୍ରସାଦ ଦାଶ, ସାହିତ୍ୟିକା ଛନ୍ଦା ମିଶ୍ର, ସମୀକ୍ଷକ ଡ. ପ୍ରମୋଦ ପରିଡ଼ା, ପ୍ରକାଶକ ବିପ୍ର ଚରଣ ପାତ୍ର, କନକ ନ୍ୟୁଜର ସଂପାଦକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ସ୍ବାଗତ ଭାଷଣ ଏବଂ ନେତାଜୀ ଅଭିନନ୍ଦନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe