ପ୍ରେମ ଦିବସରେ ଫୁଟିଲା ୧୬ ବୃଦ୍ଧଙ୍କ ମୁହଁରେ ହସ: ପାଣ୍ଡରାରେ ଆରମ୍ଭ ହେଲା ଗୋପବନ୍ଧୁ ଆଦର୍ଶ ଜରାଶ୍ରମ

Advertisment
ପ୍ରେମ ଦିବସରେ ଫୁଟିଲା ୧୬ ବୃଦ୍ଧଙ୍କ ମୁହଁରେ ହସ: ପାଣ୍ଡରାରେ ଆରମ୍ଭ ହେଲା ଗୋପବନ୍ଧୁ ଆଦର୍ଶ ଜରାଶ୍ରମ

ଭୁବନେଶ୍ବର : ‘ସ୍ବାମୀ ବାହାରେ ବ୍ୟବସାୟ କରୁଛନ୍ତି। ଘରକୁ ଆସନ୍ତିନି କି ମୋ ଭଲମନ୍ଦ ବୁଝନ୍ତିନି। ଦୁଇଦୁଇଟା ରୋଜଗାରିଆ ପୁଅ ଅଛନ୍ତି। କିନ୍ତୁ ମୋ ଭାଗ୍ୟ ଛୋଟ। ସେମାନଙ୍କ ପାଖରେ ରହିବା ସୌଭାଗ୍ୟ ମୋର ନାହିଁ। ଗତକାଲି ସୁଦ୍ଧା ମୁଁ ବେଘର ଥିଲି। ଆଜି ମୋତେ ମୋ ଘର ମିଳିଛି।’ ଏମିତି କହି କୋହକୋହ ହୋଇ କାନ୍ଦିଥିଲେ ୬୪ ବର୍ଷିୟା ବୃଦ୍ଧା କାଉନି ଦେଇ। କିନ୍ତୁ ସେଇ କାନ୍ଦ ଭିତରେ ଛପି ରହିଥିଲା କାଉନିଙ୍କ ଖୁସି। ଅସହାୟ ଅବସ୍ଥାରେ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମିଳିଥିବା ବେଳେ ବଞ୍ଚିବା ପାଇଁ ଅନ୍ୟାନ୍ୟ ସୁବିଧା‌ସୁଯୋଗ ରହିଥିବାରୁ ସେ ବେଶ୍ ଖୁସି ଦେଖାଯାଉଥିଲେ। ଆଜି ପାଣ୍ଡରାରେ ଉଦ୍‌ଘାଟିତ ହୋଇଥିବା ଏକ ଜରାଶ୍ରମରୁ ମିଳିଥିଲା କାଉନିଙ୍କ ଏହି ଦୁଃଖର କାହାଣୀ।

ଆଜି ପ୍ରେମ ଦିବସ ଅବସରରେ ପାଣ୍ଡରାରେ ଉଦ୍‌ଘାଟିତ ହୋଇଛି ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଜରାଶ୍ରମ। ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ବିଚିତ୍ରାନନ୍ଦ ଖୁଣ୍ଟିଆଙ୍କ ଉଦ୍ୟମରେ ଏହି ଜରାଶ୍ରମ ଉଦ୍‌ଘାଟନ କରାଯାଇଛି। ଏହି ଉତ୍ସବରେ ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରୋଟାରି ଆସିଷ୍ଟାଣ୍ଟ ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର, ହାଇଟେକ୍ ମେଡିକାଲ୍ କଲେଜର ନିର୍ଦ୍ଦେଶକ ଡ. ରାକେଶ ପାଣିଗ୍ରାହୀ, ପୂର୍ବତନ କର୍ପୋରେଟର୍‌ ପ୍ରତାପ ରାଉତରାୟ, କେନ୍ଦ୍ର ମାନବ ଅଧ୍ୟୟନ କେନ୍ଦ୍ରର ନିର୍ଦେଶକ ଡ. ହରପ୍ରସନ୍ନ ଦାସ, ଡ. କ୍ରିର୍ତୀ ଦାସ, ସମାଜସେବୀ ସଂଯୁକ୍ତା ମହଲ ଓ ଭଗବାନ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଶ୍ରୀ ଖୁଣ୍ଟିଆ ସଂଯୋଜନା କରିଥିଲେ। ଏବେ ଏଠାରେ ୩୦ ଜଣ ଅସହାୟଙ୍କ ପାଇଁ ଶଯ୍ୟା ସମେତ ରହିବା, ଖାଇବା ଓ ସମସ୍ତ ସୁବିଧା ରହିଛି। ଏବେ ୧୬ ଜଣ ଅନ୍ତେବାସୀ ରହିଛନ୍ତି ଓ ଆଗକୁ ଏଠାରେ ଅଧିକ ସଂଖ୍ୟକ ବୃଦ୍ଧବୃଦ୍ଧାଙ୍କୁ ରହିବା ପାଇଁ ସୁଯୋଗ ସୃଷ୍ଟି କରାଯିବ‌ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe