ମେଲା ପଡ଼ିଛି ଘର ଡିହ, ମିଳୁନି ସରକାରୀ ପକ୍କା ଘର

Advertisment
ମେଲା ପଡ଼ିଛି ଘର ଡିହ, ମିଳୁନି ସରକାରୀ ପକ୍କା ଘର

ବାଲିପାଟଣା: ଦୀର୍ଘ ବର୍ଷ ହେଲା ଘର ଡିହ ଖଣ୍ଡକ ମେଲା ପଡ଼ିଛି। ଅର୍ଥାଭାବରୁ ଘର କରିବା ସମ୍ଭବ ହେଉନାହିଁ। ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିବାବେଳେ ଘର ତିଆରି କରିବା କଥା ସାତ ସପନ ଭଳି ହୋଇଛି। ସରକାରୀ ଯୋଜନା‌‌ରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ତାଙ୍କର ସମସ୍ତ ଗୁହାରି ପ୍ରଶାସନର କାନରେ ପହଞ୍ଚି ପାରିନାହିଁ। ତେଣୁ ଗୋଟିଏ ବଖରା ବିଶିଷ୍ଟ ଭଡ଼ା ଘରେ ଦୀର୍ଘ ୨୨ ବର୍ଷ ହେଲା ମୁଣ୍ଡ ଗୁଞ୍ଜିଛନ୍ତି ବାଲିପାଟଣା ବନମାଳିପୁର ଅମୃତମଣୋହିପାଟଣା ଗାଁର ଶିବ ଚରଣ ସାହୁ।

ଭାକରସାହି ପଞ୍ଚାୟତ ଅମୃତମଣୋହି ପାଟଣା ଗ୍ରାମର ସ୍ବର୍ଗତ ଭ୍ରମରବର ସାହୁଙ୍କ ପୁଅ ଶିବଙ୍କ ପରିବାର କହିଲେ ପତ୍ନୀ ସଂଯୁକ୍ତା ଏବଂ ୨ ପୁଅ, ବଡ଼ ଗଣେଶ (ଦିବ୍ୟାଙ୍ଗ) ଓ ସାନ କାର୍ତ୍ତିକ। ପୂର୍ବରୁ କଟକ ଜିଲ୍ଲା ସଳେଇ ବଜାରରେ ଶିବ ଗହଣା ମରାମତି ଦୋକାନ କରିଥିଲେ। ମାତ୍ର ୧୯୯୯ ମସିହା ଭୟଙ୍କର ମହାବାତ୍ୟା ସମୟରେ ତାଙ୍କ ଦୋକାନରୁ ସମସ୍ତ ସାମଗ୍ରୀ ଲୁଟ୍‌ ହୋଇଗଲା। ଏହା ପରେ ସେ ବ୍ୟବସାୟ ବନ୍ଦ କରି ଗାଁକୁ ଚାଲି ଆସିଲେ। ଗାଁ ମୁଣ୍ଡରେ କ୍ୟାବିନ୍‌ ଖଣ୍ଡେ ପକାଇ ଦୋକାନଟିଏ କଲେ। ମାତ୍ର ପୂର୍ବଭଳି ଆଉ ରୋଜଗାର ହେଲା ନାହିଁ। ବଡ଼ ପୁଅ ଗଣେଶ ଜନ୍ମରୁ ଦିବ୍ୟାଙ୍ଗ। ଧାର କରଜ କରି ପୁଅ ପିଛାରେ ବହୁ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ପୁଅର ସ୍ବାସ୍ଥ୍ୟା‌ବସ୍ଥାରେ କୌଣସି ଉନ୍ନତି ହେଲା ନାହିଁ। ଏହା ଭିତରେ ଶିବ ଶ୍ୱାସରୋଗରେ ପୀଡ଼ିତ ହେବାରୁ ତାଙ୍କ ଆର୍ଥିକ ସ୍ଥିତି ଆହୁରି ବିଗିଡ଼ିଗଲା। ତେଣୁ ଏମିତି ଅବସ୍ଥାରେ ଘରଡିହ ଖଣ୍ଡକ ସେମିତି ମେଲା ପଡ଼ି ରହିଲା। ସରକାରୀ ଯୋଜନାରେ ବହୁ ହିତାଧିକାରୀଙ୍କୁ ପକ୍କା ଘର ମିଳୁଛି। ମାତ୍ର ଶିବଙ୍କ ଆବେଦନ କେଉଁ ଫାଇଲ୍‌ ତଳେ ଚାପି ହୋଇ ରହୁଛି ‌ସେ ବୁଝି ପାରୁନାହାନ୍ତି। ପକ୍କା ଘର ଯୋଗାଉଥିବା ଦାବି କରି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ହଟଚମଟ କରୁଛନ୍ତି, ଅଥଚ ଶିବଙ୍କ ଡିହ ମେଲା ପଡ଼ିଛି। ତେବେ ଏ ନେଇ ସରପଞ୍ଚ ପ୍ରିୟମ୍ବଦା ପାତ୍ରଙ୍କ କହିବା କଥା ଖୁବ୍‌ ଶୀଘ୍ର ସରକାରୀ ଯୋଜନାରେ ଶିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସେ ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe