ସରକାରୀ ବିହନ ଚାଷୀଙ୍କ ପାଇଁ ସାତ ସପନ

Advertisment

ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଧମକ

ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଧମକ

ଦୁଇବର୍ଷ ପରେ ବସିଲା ବାଲିପାଟଣା ପଞ୍ଚାୟତ ସମିତି ବୈଠକ

ବାଲିପାଟଣା : ବାଲିପାଟଣା ବ୍ଲକରେ ଚଳିତ ବର୍ଷ ରବି ଫସଲ ନିମନ୍ତେ ଚାଷୀମାନଙ୍କୁ ଆଜିଯାଏ ସରକାରୀ ବିହନ ଗଣ୍ଡେ ମିଳିପାରିଲା ନାହିଁ। ଅଦିନିଆ ବର୍ଷାରେ ଚାଷ ହରାଇଥିବା ଚାଷୀ ରବି ଫସଲରୁ ଦି ପଇସା ପାଇବେ ବୋଲି ଲକ୍ଷ୍ୟ ରଖିଥିଲେ। କିନ୍ତୁ ତାହା ଏବେ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରବି ଫସଲ ପାଇଁ ପାଗ ଗଡ଼ି ଯାଉଥିବାରୁ ଚାଷୀମାନେ ଏବେ ଘୋର ଚିନ୍ତାରେ। ସରାକରୀ ବିହନ ସାତସପନ ହୋଇଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ନିଷ୍କୃଷ୍ଟ ଧରଣର ଘରୋଇ ବିହନ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଥିବା କଥା କହିଛନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଚାଷୀମାନଙ୍କ ପାଇଁ ସରକାର ପ୍ରାୟ କୋଡ଼ିଏ ଦିନ ତଳୁ ସ୍ଥାନୀୟ କୃଷି ବିଭାଗକୁ ବିହନ ଯୋଗାଇ ସାରିଛନ୍ତି। କିନ୍ତୁ ତାହା ଆଜିଯାଏ କୃଷି ବିଭାଗ ଚାଷୀଙ୍କୁ ବାଣ୍ଟିନାହିଁ। କ୍ୱିଣ୍ଟାଲ କ୍ୱିଣ୍ଟାଲ ମୁଗ, ବିରି, ସୋରିଷ ଓ ରାଶି ଆଦି ବିହନ ପ୍ରାୟ କୋଡ଼ିଏ ଦିନ ତଳୁ ଆସିଥିଲେ ବି କେଉଁ ଉଦ୍ଦେଶ୍ୟରେ ସେସବୁ ଚାଷୀଙ୍କୁ ବଣ୍ଟା ନହୋଇ ଗଚ୍ଛିତ ରହିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ନବନିର୍ମାଣ କୃଷକ ସଂଗଠନ। ଯଥାଶୀଘ୍ର ଏହା ଚାଷୀଙ୍କୁ ବଣ୍ଟାନଗଲେ ସଂଗଠନ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ବାଲିପାଟଣା ବ୍ଲକକୁ ଚଳିତବର୍ଷ ରବି ଫସଲ ନିମନ୍ତେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌.ଏସ୍‌.କେ.ଭି) ଓ ଜାତୀୟ ଖାଦ୍ୟ ନିରାପତ୍ତା ମିସନ୍‌ (ଏନ୍‌.ଏଫ୍‌.ଏସ୍‌.ଏମ୍‌) ସ୍କିମ୍‌ରେ ୬୦ କ୍ୱିଣ୍ଟାଲ ମୁଗ, ୪୦ କ୍ୱିଣ୍ଟାଲ ବିରି ବିହନ ଓ ‘ନାମୁପ୍‌’ ସ୍କିମ୍‌ରେ ୫ କ୍ୱିଣ୍ଟାଲ ରାଶି ଓ ୫୦ ପ୍ୟାକେଟ୍‌ ସୋରିଷ ବିହନ ସରକାର ଯୋଗାଇ ଦେଇଛନ୍ତି। ଏହାସହ ଆନୁସଙ୍ଗିକ ଜିଙ୍କ୍‌, ସାର ଓ ଔଷଧ ଚାଷୀଙ୍କୁ ରିହାତିଦରରେ ଯୋଗାଇ ଦେବାକୁ ବ୍ୟବସ୍ଥା ବି କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ସରକାର ପ୍ରାୟ ତିନି ସପ୍ତାହ ତଳୁ ଚାଷୀଙ୍କ ପାଇଁ ବିହନ ପଠାଇଥିଲେ ବି ଆଜିଯାଏ ତାହା ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ହାତଗଣତି କେତେକ ଲୋକଙ୍କୁ ଏଥିରୁ କିଛି ବାଣ୍ଟି ଦେଇ ଆଉ ସବୁ ଚଳୁ କରିବା ଉଦ୍ଦେଶ୍ୟରେ କୃଷି ବିଭାଗ ମସୁଧା କରିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି। ବ୍ଲକର ଅନେକ ଚାଷୀ ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ବିଭିନ୍ନ ସ୍କିମ୍‌ରେ କେବେ ବି ଉପକୃତ ହେଉନଥିବା ଓ ସରାକରୀ ବିହନ ଗଣ୍ଡେ ପାଉନଥିବା ଅଭିଯୋଗ କରିଛନ୍ତି।

ଚାଷୀଙ୍କୁ ଯଦି ତୁରନ୍ତ ରବି ବିହନ ବଣ୍ଟାନଯାଏ ଓ ଚାଷୀଙ୍କ ପାଇଁ କରାଯାଉଥିବା ପାତରଅନ୍ତର ଯଦି ବନ୍ଦ ନ ହୁଏ, ତେବେ ବାଲିପାଟଣାରେ ଏକ ବଡ଼ଧରଣର କୃଷକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ନବନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ ଶଶାଙ୍କ ଶେଖର ନାୟକ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ବାଲିପାଟଣା କୃଷି ଅଧିକାରୀ ମନୋରଞ୍ଜନ ରାଉଳ ଓ ବନମାଳିପୁର କୃଷି ଅଧିକାରୀ ବିଭୂଦତ୍ତ ସାହୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ସ୍ଥାନୀୟ କୃଷି ବିଭାଗ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛି। ବ୍ଲକର ସବୁ ଚାଷୀଙ୍କୁ ରବି ବିହନ ବାଣ୍ଟିବା କେବେ ବି ସମ୍ଭବ ନୁହେଁ, ସେଥିପାଇଁ ଆମେ ଚାଷୀଙ୍କ ଚିଠା କରିଛୁ। ଧାନ ଅମଳ ସରିନଥିବାରୁ ସରକାରୀ ବିହନ ବଣ୍ଟା ହୋଇପାରିନଥିଲା ୭ତାରିଖ ଭିତରେ ସବୁ ରବି ବିହନ ଚାଷୀଙ୍କୁ ବାଣ୍ଟିଦେବୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe