ଚନ୍ଦ୍ରଶେଖରପୁର : ଶୈଳଶ୍ରୀ ବିହାରସ୍ଥିତ କିଡ୍ଜି ବ୍ଲୁମିଂ ଡେଲ୍ଜ ସ୍କୁଲ୍ରେ ଗ୍ରାଜୁଏସନ୍ ଡେ ପାଳିତ ହୋଇଯାଇଛି। ଏହି ଅବସରରେ ୨ରୁ ୫ବର୍ଷର କୁନି କୁନି ପିଲାଙ୍କ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଶ୍ ମନଛୁଆଁ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନର ପ୍ରତିଟି ଛାତ୍ରଛାତ୍ରୀ ନିଜ ସଫଳତାରେ ଗର୍ବ ଅନୁଭବ କରିବା ସହିତ ନିଜ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରିବାର ଲକ୍ଷ୍ୟକୁ ପୂର୍ଣ୍ଣ କରିଥିବା ଅନୁଭୂତ ହୋଇଥିଲା। ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଲେଖିକା ରଶ୍ମୀ ରଥ, ସୂଚିସ୍ମିତା ପୃଷ୍ଟି, କର୍ପୋରେଟର୍ ପ୍ରୀତିନନ୍ଦା ରାଉତରାୟ ଏବଂ ସାମ୍ବାଦିକା ପ୍ରାଚୀତାରା ମିଶ୍ର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ୨୮ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଗ୍ରାଜୁଏସନ୍ ଡିଗ୍ରି ପ୍ରଦାନ କରିଥିଲେ। ଏହି ସ୍କୁଲ୍ର ସହଯୋଗରେ ପରିଚାଳିତ ଜନଜାତି ବିଦ୍ୟାଳୟ ‘ବୁଗିନ୍ ହୋ’ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ସ୍କୁଲ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଅତିଥିମାନେ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସବିତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କିଡ୍ଜି ବ୍ଲୁମିଂ ଡେଲ୍ଜ ସ୍କୁଲ୍ରେ ଗ୍ରାଜୁଏସନ୍ ଡେ
Advertisment
Follow Us