ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭୂତଳ ଜଳସ୍ତର ଉଦ୍ବେଗଜନକ ଭାବେ କମିବାରେ ଲାଗିଛି। ରାଜଧାନୀରେ ମାଳମାଳ ଆପାର୍ଟମେଣ୍ଟ ତିଆରି କରିଥିବା ବିଲ୍ଡର ବିନା ଅନୁମତି ମାଟି ତଳୁ ଜଳ ଶୋଷି ଚାଲିଛନ୍ତି। ଏ ନେଇ ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ କେହି ତାହା ମାନୁ ନାହାନ୍ତି। ଆଉ ନିୟମ ନ ମାନୁ ନ ଥିବା ସଂସ୍ଥା ବିରୋଧରେ ଜରିମାନା କି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯଦିଓ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ ଗବେଷଣା ମୁତାବକ ଭୁବନେଶ୍ବର ଏବେ ‘ସେମି କ୍ରିଟିକାଲ’ ଜୋନ୍ରେ ରହିଛି, କିନ୍ତୁ ଯେଉଁ ପରିମାଣରେ ଭୂତଳ ଜଳ ଉତ୍ତୋଳନ ହେଉଛି ସେହି ପରିମାଣରେ ରିଚାର୍ଜ ହୋଇ ପାରୁନାହିଁ। ଏଣୁ ନିକଟ ଭବିଷ୍ୟତରେ ଭୁବନେଶ୍ବର କ୍ରିଟିକାଲ୍ ଜୋନ୍କୁ ଚାଲିଯିବା ଜଳଜଳ ଦିଶୁଛି।
ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ ତଥ୍ୟ ମୁତାବକ, ୨୦୧୮ ମସିହାରେ ସାମନ୍ତରାପୁର ଅଞ୍ଚଳରେ ୧.୮୦ ମିଟର ଥିବା ବେଳେ ଏବେ ୦.୯୬ ମିଟର ରହିଛି। ଅର୍ଥାତ ଏଠାରେ ସ୍ଥିତି ଗମ୍ଭୀର ରହିଛି। ଖଣ୍ଡଗିରି ଅଞ୍ଚଳରେ ଜଳସ୍ତର ୩.୧୮ ମିଟର ରହିଥିବା ବେଳେ ଏବେ ୨.୧୨ ମିଟର ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବରୁ ଭୂତଳ ଜଳସ୍ତର ୬.୮୦ ମିଟର ଥିବା ବେଳେ ଏବେ ୫.୯୩ ମିଟର ରହିଛି। ନୂଆପଲ୍ଲୀ ଅଞ୍ଚଳରେ ୬.୨୫ ମିଟର ଥିବା ବେଳେ ଏବେ ୫.୭୨ ମିଟର ରହିଛି। ଝାରପଡ଼ା ଅଞ୍ଚଳରେ ୫.୯୦ ମିଟର ଥିବା ବେଳେ ଏବେ ୪.୯୩ ମିଟର ରହିଛି। ଏହି ସବୁ ଜାଗାରେ ଉଦ୍ବେଗଜନକ ଭାବରେ ଜଳସ୍ତର କମିଥିବା ବେଳେ ଗଙ୍ଗନଗର, ସିରିପୁର, ପୁରୁଣା ଭୁବନେଶ୍ବର, ବିଜେବିନଗରରେ ଜଳସ୍ତର ସ୍ଥିର ରହିଛି। ବାଣୀବିହାର, ୟୁନିଟ୍-୯, ୟୁନିଟ୍-୮ ଅଞ୍ଚଳ ସମେତ ଉପକଣ୍ଠ ଅଞ୍ଚଳରେ ଜଳସ୍ତର କିଛି ପରିମାଣରେ ବଢ଼ିଛି।
InfoTypeସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ କହିଛି, ବିଲ୍ଡରମାନେ ବେଆଇନ ଭାବରେ ଭୂତଳ ଜଳ ବ୍ୟବହାର କରିବାରୁ ଭୂତଳ ଜଳସ୍ତର କମିବାରେ ଲାଗିଥିଲା। ଏଣୁ ଆମେ ବିଏମ୍ସି, ବିଡିଏ, ସିଏମ୍ସି ପ୍ରଭୃତି କୋଠା ନିର୍ମାଣ ପାଇଁ ସ୍ବୀକୃତି ଦେଉଥିବା କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିଥିଲୁ। ଘର ତିଆରି ପାଇଁ ସ୍ବୀକୃତି ଦେବା ବେଳେ ଭୂତଳ ଜଳ ବ୍ୟବହାର ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ଠାରୁ ସ୍ବୀକୃତି ନେବା ବାଧ୍ୟତାମୂଳକ କରିବେ। ଏ ବାବଦରେ ରେରା ମଧ୍ୟ ଆଦେଶନାମା ଜାରି କରିଥିଲେ। ଏହା ପରେ କିଛି କିଛି ବିଲ୍ଡର ସ୍ବୀକୃତି ନେଉଛନ୍ତି। କିନ୍ତୁ ଶତପ୍ରତିଶତ ନେଉ ନାହାନ୍ତି। ମନଇଚ୍ଛା ଖୋଳି ପାଣି ବ୍ୟବହାର କରୁଛନ୍ତି। ଯାହା ଭୂତଳ ଜଳକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଏ ନେଇ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶକ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି; ଭୁବନେଶ୍ବର ଭୂତଳ ଜଳସ୍ତର ‘ସେମି କ୍ରିଟିକାଲ’ ଜୋନ୍ରେ ରହିଛି। ରିଚାର୍ଜ ପରିମାଣ ମଧ୍ୟ ବଢ଼ିଛି। ଏଣେ ପାଣିର ଆବଶ୍ୟକତା ବଢ଼ିଛି। କିନ୍ତୁ ଆବଶ୍ୟକତା ଅନୁସାରେ ବଢ଼ୁ ନ ଥିବାରୁ ଆଗକୁ ବିପଦ ରହିଛି।
ରାଜଧାନୀରେ ରହୁଥିବା ଅବସରପ୍ରାପ୍ତ ଆଇଏଏସ୍ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। କିଛି ବର୍ଷ ହେବ ଏହି ନିର୍ମାଣ ବଢ଼ି ଯାଇଛି। ଆବାସିକ ଅଞ୍ଚଳରେ ବାଣିଜ୍ୟିକ ଉଦ୍ଦେଶ୍ୟରେ କୋଠା ନିର୍ମାଣ ଚାଲିଛି। ଅନେକ ଜାଗାରେ ବେଆଇନ ଭାବରେ ଭୂତଳ ଜଳ ଉତ୍ତୋଳନ କରାଯାଇ ଏହି ନିର୍ମାଣ ହେଉଛି। କେତେକ ଜାଗାରେ ସ୍ବୀକୃତି ଠାରୁ ଅଧିକ ପାଣି ଉତ୍ତୋଳନ କରାଯାଉଛି। ଏହାକୁ ଜଗିବାକୁ କେହି ନାହାନ୍ତି। ଏହି ଉଚ୍ଚ ଅଟ୍ଟାଳିକା ଦିନେ ଭୁବନେଶ୍ବରରେ ପାଣି ଅଭାବର କାରଣ ହେବ। ତାମିଲନାଡ଼ୁ, ବିହାର, ଗୋଆ ପ୍ରଭୃତି ରାଜ୍ୟରେ ସରକାର ବୋର୍ ୱେଲ୍ ଖୋଳିବା ଉପରେ କଟକଣା ଲଗାଇଛନ୍ତି। ତାହାକୁ କଡ଼ାକଡ଼ି ମଧ୍ୟ କରିଛନ୍ତି। କିନ୍ତୁ ଏଠାରେ ଏହି ଉଚ୍ଚ ଅଟ୍ଟାଳିକା ନିର୍ମାଣ ଉପରେ କୌଣସି କଟକଣା ନାହିଁ। କେତେକ ବିଲ୍ଡର ସମସ୍ତ ନିୟମ ଉଲ୍ଲଂଘନ କରି ନିର୍ମାଣ କରୁଛନ୍ତି। ଏ ସବୁକୁ ନ ଦେଖି କର୍ତ୍ତୃପକ୍ଷ ନିର୍ମାଣ ପାଇଁ ସ୍ବୀକୃତି ଦେଉଛନ୍ତି। ପରେ ସର୍ବକ୍ଷମା ଯୋଜନାରେ ସବୁ ବେଆଇନକୁ ଆଇନସିଦ୍ଧ କରୁଛନ୍ତି। ଯାହା ଆଗକୁ ଭୟଙ୍କର ସମସ୍ୟା ସୃଷ୍ଟି କରିବାକୁ ଯାଉଥିବା ସେ ଚେତାଇ ଦେଇଛନ୍ତି।
ଏହି ପ୍ରସଙ୍ଗରେ ବିଡିଏ କହିଛି ଯେ ପାଣି ପାଇଁ ସ୍ବୀକୃତି ନେବାକୁ କୁହାଯାଇଛି। ଆମେ କୋଠା ନିର୍ମାଣ ପାଇଁ ରହିଥିବା ବିଭିନ୍ନ କଟକଣା ପାଳନ ହେଉଛି କି ନାହିଁ ଯାଞ୍ଚ କରୁଛୁ। ଆବଶ୍ୟକ ସ୍ଥଳେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।
Follow Us