ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ: ଗୋଡ଼ାଇ ଗୋଡ଼ାଇ ପିଟିଲେ; ୩ ଗୁରୁତର

Advertisment

ରକ୍ତରଞ୍ଜିତ ହେଲା ମାଷ୍ଟରକ୍ୟାଣ୍ଟିନ୍ ଛକ

ରକ୍ତରଞ୍ଜିତ ହେଲା ମାଷ୍ଟରକ୍ୟାଣ୍ଟିନ୍ ଛକ

ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ: ଗୋଡ଼ାଇ ଗୋଡ଼ାଇ ପିଟିଲେ; ୩ ଗୁରୁତର

ଫିଲ୍ମ ଷ୍ଟାଇଲ୍‌ରେ ଅଧଘଣ୍ଟା ଧରି ଆତଙ୍କରାଜ
ପୁଲିସ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ ରାଜା

ରାଜଧାନୀରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି ବ୍ରାଉନସୁଗାର, ମଦ ଓ ଗଞ୍ଜେଇ ଭଳି ନିଶା କାରବାର। ଆଉ ନିଶା କାରବାରକୁ ନେଇ ମୁହାଁମୁହିଁ ହେଉଛନ୍ତି ଅସାମାଜିକ ଗୋଷ୍ଠୀ। ସେମାନଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ସୋମବାର ରାଜଧାନୀର ଦୁଇଟି ସ୍ଥାନରେ ନିଶା କାରବାରକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନରେ ଗୋଟିଏ ଗୋଷ୍ଠୀର ପ୍ରାଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିର ମଦଭାଟିରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଜଣ ଆହତ ହୋଇଛନ୍ତି।

publive-image

ଭୁବନେଶ୍ବର : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନ୍‌ର ପ୍ରବେଶ ପଥ ସୋମବାର ରକ୍ତରଞ୍ଜିତ ହୋଇଛି। ନିଶା ବେପାର ଜନିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବା ପରେ ସ୍ଥାନୀୟ ପାନ ଦୋକାନୀ ରାଜା ବେହେରା, ତା’ର ଭାଇ ରାକେଶ ଏବଂ ଫାଳିକିଆ ବସ୍ତିର କିଛି ଯୁବକ ୟୁନିଟ୍-୩ ମାଳିସାହିର ଶେଖ୍ ସାହିଦ ଓ ତା’ର ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ପ୍ରାୟ ଅଧଘଣ୍ଟା କାଳ ରାଜା ଗୋଷ୍ଠୀର ୭ରୁ ଅଧିକ ଯୁବକ ସାହିଦ୍ ଓ ଅନ୍ୟ ୩ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଲୁହା ରଡ୍‌ରେ ପିଟିପିଟି ଲହୁଲୁହାଣ କରି ଦେଇଛନ୍ତି। ଷ୍ଟେସନ୍ ଛକରେ ନିଜର ଦବ୍‌ଦବା ଦେଖାଇବାକୁ ଆସିଥିବା ସାହିଦ ଗୋଷ୍ଠୀର ଏହି ୩ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ରାଜାକୁ ଅଟକ ରଖି ପଚରାଉଚରା କରିଛି।

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବ୍ୟବସାୟ କରୁଥିବା କିଛି ଦୋକାନୀଙ୍କ କହିବା ଅନୁଯାୟୀ, ରାଜା ସହିତ ସାହିଦ୍ ଗୋଷ୍ଠୀର ପୂର୍ବରୁ ନିଶା କାରବାରକୁ ନେଇ ଶତ୍ରୁତା ଥିଲା। ସାହିଦ ଗୋଷ୍ଠୀ ଅନେକ ସମୟରେ ଦାଦାଗିରି ଦେଖାଇ ରାଜାକୁ ହଇରାଣ ହରକତ କରିବା ସହିତ ତା’ ଦୋକାନରୁ ମାଗଣାରେ ଜିନିଷ ଛଡ଼ାଇ ଖାଇ ଯାଉଥିଲେ। ଏହାକୁ ନେଇ ଗତ ଶନିବାର ରାତିରେ ରାଜାର ଭାଇ ରାକେଶ ସହିତ ସାହିଦ୍‌ର ଝଗଡ଼ା ହୋଇଥିଲା। ରବିବାର ସକାଳୁ ସକାଳୁ ପୁଣି ସେମାନଙ୍କ ଭିତରେ ବଚସା ଉଗ୍ରରୂପ ନେଇଥିଲା। ରାଜା ଓ ତା’ର ଭାଇକୁ ପାନେ ଦେବା ପାଇଁ ଆଜି ସକାଳୁ ସାହିଦ୍ ମାଳିସାହିର ଆଉ ୪ଜଣ ଯୁବକଙ୍କ ସହିତ ପୁଣିଥରେ ରାଜା ‌ଦୋକାନକୁ ଆସିଥିଲା ଏବଂ ସେମାନଙ୍କୁ ଧମକଚମକ ଦେଇ ଯିବା ପରେ ପୁଣିଥରେ ମଧ୍ୟାହ୍ନରେ ଆସି ପୁରୁଣା ଗଣ୍ଡଗୋଳକୁ ସମାଧାନ କରିବ ବୋଲି ଚେତାବନୀ ଦେଇ ଯାଇଥିଲା। ବାରମ୍ବାର ଏମିତି ଧମକଚମକ ରାଜା ଦେହରେ ହଜମ ହୋଇନଥିଲା। ସବୁ ବେଳେ ଦାଦାଗିରି ଦେଖାଉଥିବା ସାହିଦକୁ ପାନେ ଚଖେଇବ ବୋଲି ଖଣ୍ଡଗିରି ଓ ଫାଳିକିଆ ବସ୍ତିରୁ ପ୍ରାୟ ୧୦ରୁ ଅଧିକ ସାଙ୍ଗସାଥୀଙ୍କୁ ଆଣି ସେ ପୂରା ପ୍ରସ୍ତୁତ ଥିଲା।

ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ସାହିଦ ଦଳବଳ ଧରି ଷ୍ଟେସନ୍ ଛକରେ ପହଞ୍ଚିବା ପରେ ପୂର୍ବରୁ ଛକିଥିବା ରାଜା ଗୋଷ୍ଠୀ ପଦାକୁ ବାହାରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇ ଯାଇଥିଲା। ତେବେ ମାଡ଼ ମାରିବାକୁ ଆସିଥିବା ସାହିଦ୍‌ ଗୋଷ୍ଠୀ ଉପରେ ଭାରି ପଡ଼ିଥିଲେ ରାଜା ଗୋଷ୍ଠୀ। ସେମାନେ ସାହିଦ ସମେତ ତା’ର ସହଯୋଗୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହା ରଡ୍‌ରେ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲା ଏବଂ ରାଜାକୁ ମଧ୍ୟ କାବୁ କରିଥିଲା। ସାହିଦ୍‌ର ପରିବାର ଲୋକ କିନ୍ତୁ ରାଜା ଓ ତାଙ୍କ ଅନ୍ୟ ସାଥୀଙ୍କ ନାଁରେ କ୍ୟାପିଟାଲ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ରାଜା ଷ୍ଟେସନ ଛକରେ ନାମକୁ ମାତ୍ର ପାନ ଦୋକାନ କରିଥିଲା। ପ୍ରାୟ ସମୟରେ ଦୋକାନରେ ଚୋରା ମଦ, ବ୍ରାଉନସୁଗାର, ଗଂଜେଇ ଭଳି ନିଶାଦ୍ରବ୍ୟ କାରବାର କରୁଥିଲା। ଯାହାକୁ ବିରୋଧ କରି ସାହିଦ ତା’ ନାଁରେ ଗତ କିଛି ଦିନ ତଳେ ଖାରବେଳନଗର ଥାନାରେ ଏତଲା ଦେଇଥିଲା। ପରେ ଉଭୟ ଗୋଷ୍ଠୀ ଆପୋସ ବୁଝାମଣା ପାଇଁ ଥାନାକୁ ଆସିଥିଲେ। ଏହି ପୂର୍ବ ଶତ୍ରୁତା କାରଣରୁ ରାଜା ଗୋଷ୍ଠୀ ଆଜି ସାହିଦ ଓ ଅନ୍ୟମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି।

publive-image

ତେବେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଫାଳିକିଆ ବସ୍ତିର ରାଜା ଓ ତା’ ଭାଇ ସେଠାରେ ନିଶା କାରବାର କରୁଥିଲେ। ଯାହାକୁ ସାହିଦ୍ ପ୍ରୋତ୍ସାହନ ଦେବା ସହିତ ନିଶା କାରବାରରୁ ମିଳୁଥିବା ଟଙ୍କା ଉଭୟଙ୍କ ମଧ୍ୟରେ ଭାଗବଣ୍ଟା ହେଉଥିଲା। ମାତ୍ର ଗତକିଛି ଦିନ ତଳେ ଭାଗବଣ୍ଟା ନ ଛିଡ଼ିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ନିଶା କାରବାରର କାହାଣୀ ପଦାକୁ ଆସିଥିଲା। ଶେଷରେ ଆଜି ତାହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା।

ଅପରପକ୍ଷରେ ଜୋନ୍ ଏସିପି ମାନସ ଗଡ଼ନାୟକ କହିଛନ୍ତି, ଗୁଟ୍‌ଖା ଖାଇବା ପରେ ସାମାନ୍ୟ କିଛି ଟଙ୍କାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଉ ଏହି ଝଗଡ଼ା ପୂର୍ବ ଯୋଜନା କିମ୍ବା ନିଶା କାରବାରକୁ ନେଇ ହୋଇନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

୩ଦିନ ହେଲା ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିଲା ଛକାପଞ୍ଝା
ସ୍ଥାନୀୟ ବ୍ୟବସାୟୀଙ୍କ କହିବାନୁଯାୟୀ, ପ୍ରାୟ ୨୦ ଦିନ ତଳେ ସାହିଦ୍ ଗୋଷ୍ଠୀ ରାଜାର ବଡ଼ ଭାଇ ରାକେଶକୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏହା ପରେ ଉଭୟ ପରସ୍ପରଙ୍କୁ ମାରିବା ପାଇଁ କିଛି ସହଯୋଗୀଙ୍କୁ ନେଇ ଛକି ରହୁଥିଲେ। ଗତ ୩ଦିନ ଧରି ଷ୍ଟେସନ୍ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୋଟମୋଟ ଗଣ୍ଡଗୋଳ ଲାଗି ରହୁଥିଲା। ଶେଷରେ ଆଜି ତାହା ବିସ୍ଫୋରକ ରୂପ ନେଲା। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ୨୦ଦିନ ତଳୁ ଯଦି ନିଶା କାରବାରକୁ ନେଇ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରୁଥିଲେ, ପୁଲିସ କରୁଥିଲା କଣ? ସାହିଦ ପରିବାର ଲୋକଙ୍କ କହିବାନୁଯାୟୀ, ରାଜାର ନିଶା କାରବାରକୁ ବିରୋଧ କରି ଯଦି ପୁଲିସ ପାଖରେ ଏତଲା ଦିଆଯାଇଥିଲା। ତାହେଲେ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଇଥିଲା? ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଗଣ୍ଡଗୋଳ ଯଦି ସ୍ଥାନୀୟ ବ୍ୟବସାୟୀ ଅବଗତ ଥିଲେ ତେବେ ପୁଲିସ କେମିତି ଜାଣିପାରିଲା ନାହିଁ? ଛକଠୁ ମାତ୍ର କେଇ ମିଟର ଦୂରରେ ଫାଣ୍ଡି ଥିଲେ ସୁଦ୍ଧା ଗତ ଦୁଇଦିନ ତଳେ ହୋଇଥିବା ଗଣ୍ଡଗୋଳ ପୁଲିସ କେମିତି ଜାଣିପାରିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୁଲିସ କାହିଁକି ଧାରଣ ଗୁଟ୍‌ଖା ବେପାରରୁ ଏଭଳି କାଣ୍ଡ ଘଟିଛି ବୋଲି କହୁଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe