Telangana Today
ବାରଙ୍ଗ: ବାରଙ୍ଗ ବ୍ଲକ୍ ଅଧୀନ ଦାଢ଼ାପାଟଣା ପଞ୍ଚାୟତର ଝୁନ୍ଝୁନ୍ ୱାଲା ବିଦ୍ୟାପୀଠ ଅସ୍ଥାୟୀ କୋଭିଡ୍ କେୟାର୍ କେନ୍ଦ୍ରରେ ଥିବା ଅବ୍ୟବସ୍ଥାକୁ ନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିକୁ ସଙ୍ଗରୋଧରେ ଥିବା ଜଣେ ଯୁବକ ଭାଇରାଲ୍ କରିଛନ୍ତି। ଏହାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଭିଡିଓରେ ପ୍ରଦର୍ଶିତ ତଥ୍ୟକୁ ବ୍ଲକ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି ଓ ଭାଇରାଲ୍ କରିଥିବା ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଭିଡିଓରେ ଯୁବକଜଣକ ଲାଇଭ୍ କରି ପାଇଖାନା ସମସ୍ୟା ବାବଦରେ କହିଛନ୍ତି। ଗୋଟିଏ ପାଇଖାନାରେ ୧୦ ଜଣ ନିର୍ଭର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପାଇଖାନା ନିୟମିତ ସଫା ହେଉନାହିଁ ଓ ପାଣି ଯଥେଷ୍ଟ ମିଳୁ ନଥିବାରୁ ଅନ୍ତେବାସୀମାନେ ଭଲରେ ଗାଧୋଇ ପାରୁନାହାନ୍ତି। ନୋଡାଲ୍ ଅଫିସରଙ୍କୁ ଅଭିଯୋଗ କଲେ ସେ କାନ୍ଧ ଖସାଇ ସରପଞ୍ଚଙ୍କୁ ଅଭିଯୋଗ କରିବାକୁ କହୁଛନ୍ତି। ସରପଞ୍ଚ ମଧ୍ୟ କ୍ଲଷ୍ଟର ଜୋନ୍ ଆଳରେ ଦାୟିତ୍ବ ନେଉନାହାନ୍ତି। ଏଥିସହ ସେ ବିଦ୍ୟୁତ୍ କାଟ୍, ଇନ୍ଭର୍ଟର ନଥିବା, ଡଷ୍ଟବିନ୍ ନଥିବା, ବେଡସିଟ୍ ବଦଳ ହେଉ ନଥିବା ଆଦି ସମସ୍ୟା ବାବଦରେ କହୁଛନ୍ତି। ମିଡିଆରେ ଅଭିଯୋଗ କଲେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କର କୋଭିଡ୍ ଟେଷ୍ଟ କରାଇ ହଇରାଣ କରାଯିବ ବୋଲି ଦିଆଯାଇଥିବା ଧମକ ବାବଦରେ ସେ ଭିଡିଓ ବାର୍ତ୍ତାରେ କହୁଛନ୍ତି। ଏହି ଭାଇରାଲ୍ ଭିଡିଓ ବାବଦରେ ପଚାରିବାରୁ ବାରଙ୍ଗ ବିଡିଓ ଏହାକୁ ମିଛ ବୋଲି କହିବା ସହ ଯୁବକଙ୍କୁ କେୟାର୍ ସେଣ୍ଟର ବାହାରକୁ ଯିବାକୁ ଦିଆନଯିବାରୁ ସେ ରାଗରେ ଏଭଳି କରିଛନ୍ତି ବୋଲି କହିଥିଲେ। ସେ ଖସିଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କରିଛନ୍ତି ବୋଲି ବିଡିଓ କହିଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
Follow Us