ଗୁଣନିଧି ମହାପାତ୍ର ଜଣେ ଦୁର୍ଲଭ ପ୍ରତିଭା: ସୌମ୍ୟରଞ୍ଜନ

Advertisment

ଜନ୍ମ ଶତବାର୍ଷିକୀ‌ରେ ଶ୍ରଦ୍ଧାଞ୍ଜଳି

ଜନ୍ମ ଶତବାର୍ଷିକୀ‌ରେ ଶ୍ରଦ୍ଧାଞ୍ଜଳି

ଗୁଣନିଧି ମହାପାତ୍ର ଜଣେ ଦୁର୍ଲଭ ପ୍ରତିଭା: ସୌମ୍ୟରଞ୍ଜନ

ଭୁବନେଶ୍ବର: ଗୁଣନିଧି ମହାପାତ୍ର ଜଣେ ଦୁର୍ଲଭ ପ୍ରତିଭା ଥିଲେ। ସେ ଭୁବନେଶ୍ବରର ପ୍ରଥମ ନଗରପାଳ ହେବା ସତ୍ତ୍ବେ ତାଙ୍କ ଭିତରେ ଅହଂକାର, ଲୋଭ, ମୋହ ନଥିଲା। ରାଜନୀତିରୁ ଊର୍ଦ୍ଧ୍ବରେ ରହି ସେ ଅଞ୍ଚଳ ଓ ଲୋକଙ୍କ ପାଇଁ ବିକାଶମୂଳକ କାମ କରୁଥିଲେ। ତାଙ୍କ ପରି ଜଣେ ସାଧାରଣ, ସରଳ, ନିଷ୍କପଟ ମଣିଷ ଆଜି ଦିନରେ ମିଳିବା କଷ୍ଟକର। ବର୍ତ୍ତମାନ ଦୁର୍ନୀତିକୁ ବିକାଶ ଭାବେ ଗଣନା କରାଯାଉଛି। ଯିଏ ଲାଞ୍ଚ ନେଉନାହିଁ ବା ଦୁର୍ନୀତି କରୁନାହିଁ ତାକୁ ଆଜିର ସମାଜ ଅଲଗା ଦୃଷ୍ଟିରେ ଦେଖୁଥିବା ନଜିର ରହିଛି। ଏଭଳି ସମୟରେ ନୂତନପିଢ଼ି ଗୁଣନିଧି ମହାପାତ୍ରଙ୍କ ବିଷୟରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଗୁଣନିଧି ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସମାରୋହ, ଦଶମ ବାର୍ଷିକ ଶ୍ରା‌ଦ୍ଧୋତ୍ସବ ଓ ପ୍ରତିମୂତ୍ତି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସ୍ବର୍ଗତ ମହାପାତ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ରଘୁନାଥ ମିଶ୍ରଙ୍କ ସଭାପତିତ୍ବ‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାପାତ୍ର କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଜୀବନକୁ କିଭଳି ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗୀରଥି ମହା‌ସୁଆର, ଭାଗୀରଥି ମହାପାତ୍ର, ନିର୍ମଳ ମହାପାତ୍ର, ନୀଳମଣି ମିଶ୍ର ପ୍ରମୁଖ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସମାଜସେବୀ ସୀତା ସାହୁଙ୍କୁ ଚଳିତ ବର୍ଷର ‘ଗୁଣନିଧି ସ୍ମୃତି ସମ୍ମାନ’‌ରେ ସମ୍ମାନିତ କରାଯାଇଥିଲା। ତନୟା ଦାସ ଗୋସ୍ବାମୀ ମାନପତ୍ର ପାଠ କରିଥିଲେ। ପରେ ‘ଉତ୍କଳୀୟ ସଂସ୍କୃତି’ ପତ୍ରିକାକୁ ଉନ୍ମୋଚନ କରାଯାଇଥିଲା। ସ୍ବର୍ଗତ ମହାପାତ୍ରଙ୍କ ପରିବାର ପକ୍ଷରୁ ପୁତ୍ରବଧୂ ସୁଜାତା ମହାପାତ୍ର, ଦୁଇ ନାତି ଆଦିତ୍ୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ର ମଧ୍ୟ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ବିଶିଷ୍ଟ ସଂଗୀତଜ୍ଞ ଚିତ୍ତ ପାଣି, ରଘୁନାଥ ସେଠୀ ଓ ଜେନାମଣି ସଂଜୀବ କୁମାର ସଂଗୀତ ପରିବେଷଣ କରିଥିଲେ। ପ୍ରଫେସର ଜଗନ୍ନାଥ କୁଅଁର ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe