ଭୁବନେଶ୍ବର : ଗତ କିଛି ଦିନ ହେଲା ରାଜଧାନୀରେ ବନ୍ଧୁକଧାରୀ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ବୃଦ୍ଧି ପାଇଛି। ବିଶେଷକରି ଛୋଟ ଛୋଟ ଗହଣା ଦୋକାନୀଙ୍କୁ ଟାର୍ଗେଟ୍ କରି ବନ୍ଧୁକଧାରୀ ଲୁଟେରାମାନେ ଗୁଳିକାଣ୍ଡ ଘଟାଇଚାଲିଛନ୍ତି। ନିକଟ ଅତୀତରେ ତିନି ତିନିଟି ଗୁଳିକାଣ୍ଡ ମାମଲା ଘଟିଥିଲେ ମଧ୍ୟ ପୁଲିସ ହାତ ଖାଲି। ବନ୍ଧୁକଧାରୀଙ୍କ ପତ୍ତା ପାଉନି କମିସନରେଟ୍ ପୁଲିସ। ବଡ଼ କଥା ହେଉଛି ଗୁଳିକାଣ୍ଡ ଘଟାଇ ଅପରାଧୀମାନେ ବଡ଼ ସହଜରେ ଚମ୍ପଟ ମାରୁଛନ୍ତି। ମାଳମାଳ ପିସିଆର୍ ବୁଲୁଛି, ଅଥଚ ଦୁର୍ବୃତ୍ତମାନେ ଖସି ପଳାଉଛନ୍ତି। ତେଣୁ ପାଟ୍ରୋଲିଂ ବ୍ୟବସ୍ଥା କେତେ ଦୃଢ଼, ଜଳଜଳ ହୋଇ ଦେଖାଯାଉଛି। ଦିନ ଦି’ପହରରେ ଓ ସନ୍ଧ୍ୟା ବେଳେ ଏଭଳି କାଣ୍ଡ ଘଟୁଥିଲେ ବି ପାଟ୍ରୋଲିଂ ଟିମ୍ ହାବୁଡ଼ରେ ଅପରାଧୀମାନେ ପଡ଼ୁନାହାନ୍ତି। ତେଣୁ ପୁଲିସ ପାଟ୍ରୋଲିଂରେ ଘୁଣ ଲାଗିଗଲାଣି ବୋଲି ଚର୍ଚ୍ଚା ହେଉଛି।
ଗତ ମାସରେ ଇନ୍ଫେଭ୍ୟାଲି ଥାନା ଯାଁଳାରେ ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଗୁଳିକାଣ୍ଡ କରିଛନ୍ତି। ପ୍ରଥମେ ସାଗରିକା ଜୁଏଲର୍ସ ମାଲିକ କବିରାଜ ସୁବୁଦ୍ଧିଙ୍କୁ ଗୁଳି କରି ପ୍ରାୟ ୨୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ। ଅବଶ୍ୟ ଗୁଳିମାଡ଼ରୁ କବିରାଜ ବର୍ତ୍ତି ଯାଇଥିଲେ। ପରେ ସେହି ବଜାରସ୍ଥିତ ସ୍ବାତୀ ଜୁଏଲର୍ସ ମାଲିକ ଭଗବାନ ସୁବୁଦ୍ଧିଙ୍କ ପୁଅ ଲୋକନାଥଙ୍କୁ ଗୁଳିମାଡ଼ ହୋଇଥିଲା। ଏଥର ଲୋକନାଥଙ୍କ ଗୋଡ଼ରେ ଗୁଳି ବାଜିଥିଲା। କିନ୍ତୁ ଦୁର୍ବୃତ୍ତମାନେ ଗହଣା ଲୁଟିବାରେ ସଫଳ ହୋଇନଥିଲେ। ଏହି ଦୁଇ ମାମଲା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଗତ ଦୁଇ ଦିନ ପୂର୍ବେ ଲିଙ୍ଗରାଜ ଥାନା ସାମନ୍ତରାପୁରରେ ପୁଣି ଅନୁରୂପ ଘଟଣା ଘଟିଥିଲା। ସାମନ୍ତରାପୁର ବଜାରସ୍ଥିତ ଦେବୀଦୁର୍ଗା ଜୁଏଲର୍ସର ପ୍ରଶାନ୍ତ ସାହୁ ଓ ରାଜେନ୍ଦ୍ର ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଦୁଇ ଜଣଯାକ ଆହତ ହୋଇଥିଲେ ବି ଦୁର୍ବୃତ୍ତମାନେ ଗହଣା ଲୁଟିବାରେ ସଫଳ ହୋଇନଥିଲେ।
ସେହିଭଳି ଏହା ପୂର୍ବରୁ ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପ ନିକଟରେ ବି ଦୁର୍ବୃତ୍ତମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳି କରି ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କୁ ଆହତ କରିଥିଲେ ଓ ଖସି ପଳାଇଥିଲେ। ଠିକ୍ ସେମିତି ଗତ କିଛି ଦିନ ପୂର୍ବେ ପ୍ରାତଃ ଭ୍ରମଣ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରି ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ତେଣୁ ଏସବୁ ମାମଲାରୁ ସ୍ପଷ୍ଟ ଯେ ରାଜଧାନୀରେ ବହୁ ବନ୍ଧୁକଧାରୀ ନିର୍ଭୟରେ ବୁଲୁଛନ୍ତି। ଅଥଚ ପୁଲିସ ସେମାନଙ୍କ ଟେର୍ ପାଉନାହିଁ। ଏବେ ଭୁବନେଶ୍ବରରେ ନୂଆ ଡିସିପି ପ୍ରତୀକ ସିଂ ଦାୟିତ୍ବ ନେଇଛନ୍ତି। ନିକଟରେ ଘଟିଥିବା ଗୁଳିକାଣ୍ଡ ମାମଲା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି।
Follow Us