ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୬ତମ ଜୟନ୍ତୀ : ‘ଅନ୍ତର୍ଦୃଷ୍ଟି’ରେ ଗୁରୁଙ୍କ ସ୍ମୃତିଚାରଣ

Advertisment
ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୬ତମ ଜୟନ୍ତୀ : ‘ଅନ୍ତର୍ଦୃଷ୍ଟି’ରେ ଗୁରୁଙ୍କ ସ୍ମୃତିଚାରଣ

ଭୁବନେଶ୍ବର: ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୬ତମ ଜୟନ୍ତୀ ଅବସରରେ ‘ସୃଜନ’ ଓ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ମିଳିତ ଆନୁକୂଲ୍ୟରେ ଆଜି ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ‘ଅନ୍ତର୍ଦୃଷ୍ଟି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଗୁରୁ ଅରୁଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବୋଧ ଆଚାର୍ଯ୍ୟ ଓ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ।

ଉଦ୍‍ଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ‘ସୃଜନ’ର ଶିଳ୍ପୀମାନେ ନୃତ୍ୟ ପ୍ରସ୍ତୁତ କରିଥିଲେ। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲିଖିତ ଭଗବାନ ଶିବଙ୍କ ‘ଭୋ ଶମ୍ଭୁ’କୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନାରେ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ। ଦ୍ୱିତୀୟ ଅଂଶରେ ପରିବେଷିତ ହୋଇଥିଲା ‘ମେପା’; ଯାହା ପାପୁଲି ନୃତ୍ୟ ଗତିବିଧି ଦ୍ୱାରା ଅନୁପ୍ରାଣିତ। ନିଖୁଣ ଓ ସମସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହା ଦର୍ଶକଙ୍କ ବିଭୋର କରିଥିଲା।

ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଜବାହର ମିଶ୍ର ଓ ଡ. ସନ୍ଦୀପ କୁମାର ରାଉତ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ତବଲାରେ ଶୁଭ୍ରାଂଶୁ ଶେଖର ସାହୁ ସହଯୋଗ କରିଥିଲେ। ତାଙ୍କ ପରିବେଷଣରେ ଥିଲା ରାଗ ଗୋରଖା କଲ୍ୟାଣ ସହିତ ମାତା ତାଳ ଏବଂ ଧ୍ରୁତ କିଶୋର ତାଳ। ଦ୍ୱିତୀୟ ଉପସ୍ଥାପନାରେ ଥିଲା ଲୋକପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ... ଯାହା ରାଗ ମିଶ୍ର ପିଲୁ ଏବଂ ତାଳ ଦୀପଚଣ୍ଡୀ ଓ କହରଭାରେ ପର୍ଯ୍ୟବସିତ ଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଦେବୀପ୍ରସାଦ ମିଶ୍ର ଓ ସଂଯୋଜନା‌ କରିଥିଲେ ଶ୍ରୀନୀବାସ ଘଟୁଆରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe