ହାବିଲଦାର ସିପାହୀ ମହାସଂଘର ୩୯ ତମ ବାର୍ଷିକ ଉତ୍ସବ, ସୁରକ୍ଷା ବ୍ୟବସ୍ଥାର ବିକାଶ ଆବଶ୍ୟକ

Advertisment
ହାବିଲଦାର ସିପାହୀ ମହାସଂଘର ୩୯ ତମ ବାର୍ଷିକ ଉତ୍ସବ, ସୁରକ୍ଷା ବ୍ୟବସ୍ଥାର ବିକାଶ ଆବଶ୍ୟକ

ଭୁବନେଶ୍ବର: ରାସ୍ତାଘାଟ ଚଉଡ଼ା ଚିକ୍କଣ କରି ଦେଲେ ଦେଶ କିମ୍ବା ରାଜ୍ୟର ବିକାଶ ହୋଇଯାଏ ନାହିଁ। ବିକାଶ ପାଇଁ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ବଡ଼ ଭୂମିକା ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅସଙ୍ଗତି କି ଅସନ୍ତୋଷ ନ ରହିବା ଦରକାର। ସୁରକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଆଜି ହାବିଲଦାର ସିପାହୀ ମହାସଂଘର ୩୯ତମ ବାର୍ଷିକ ଉତ୍ସବରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ୩୯ବର୍ଷ ଧରି ମହାସଂଘ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଏହାର ବାର୍ଷିକ ଉତ୍ସବ ପାଳନ କରିଆସୁଛି। ଏଭଳି ନିଷ୍ଠା ଅନୁଷ୍ଠାନର ଶକ୍ତିର ପରିଚୟ। ଖାଲି ସେତିକି ନୁହେଁ, ସଂଘର ଯେଉଁ ଦାବି ସବୁ ରହିଛି, ତାହା ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କହିଥିଲେ ଯେ ହାବିଲଦାର ଓ ସିପାହୀ ମହାସଂଘର କମ୍ୟୁନିଟି ହଲ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୫ଲକ୍ଷ ଟଙ୍କା ପ୍ରଦାନ କରିବେ। ସମ୍ମାନିତ ଅତିଥି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଲେ, ହକି ବିଶ୍ବକପ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା କରିବାରେ ହାବିଲଦାର ଓ ସିପାହୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଆପଣମାନଙ୍କ ସେବାରେ ମୁଗ୍ଧ ହୋଇ ୭ଟି ଦେଶର ଖେଳାଳି କମିସନରେଟ ପୁଲିସକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଯାହା ଗୌରବର କଥା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଆଇଜି(ଆଇନଶୃଙ୍ଖଳା) ଅମିତାଭ ଠାକୁର, କ‌ର୍ପୋରେଟର୍‌ ସଂଜୟ ସେଠୀ, ମହାସଂଘ ସଭାପତି ରମେଶ ଚନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସହିଦ ସତ୍ୟାନନ୍ଦ ପଣ୍ଡାଙ୍କ ପରିବାର ଓ ଛାତ୍ରୀ ରଶ୍ମିତା ଜେନାଙ୍କୁ ସାଂସଦ ଶ୍ରୀ ପଟ୍ଟନାୟକ ସମ୍ବର୍ଧିତ କରିଥିଲେ। ଉପସଭାପତି ବିନୋଦ କୁମାର ବଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe