ଏଥର ଘରେ ବ୍ରତ ପାଳିବେ ହବିଷ୍ୟାଳି

Advertisment

ମନ୍ଦିର ଖୋଲିବା ସପକ୍ଷରେ ନାହିଁ ନିଯୋଗ

ମନ୍ଦିର ଖୋଲିବା ସପକ୍ଷରେ ନାହିଁ ନିଯୋଗ

ଏବର୍ଷ ବନ୍ଦ ରହିବ ହବିଷ୍ୟାଳୀ ଯୋଜନା

ପୁରୁଣା ଭୁବନେଶ୍ୱର : ଆଉ ୩ ସପ୍ତାହ ପରେ ଆସିବ ମହାକାର୍ତ୍ତିକ। କିନ୍ତୁ ଏଥର ଏକାମ୍ର କ୍ଷେତ୍ରରେ ଦେଖିବାକୁ ମିଳିବନି ହବିଷ୍ୟାଳିଙ୍କ ଭିଡ଼। କରୋନା କଟକଣା ପାଇଁ ଚଳିତ ବର୍ଷ ହବିଷ୍ୟାଳିଙ୍କ ବ୍ରତ ପାଳନ ଜନିତ କୋଳାହଳ ଦେଖିବାକୁ ମିଳିବ ନାହିଁ। ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ପାରୁ ନଥିବା‌ ବେଳେ ବୟସ୍କଙ୍କ ଉପରେ କଟକଣା ବଳବତ୍ତର ରହିବା ନିଶ୍ଚିତ ଥିବାରୁ ଏଥର ହବିଷ୍ୟାଳିଙ୍କ ପାଇଁ ଏକାମ୍ର କ୍ଷେତ୍ର ମନା‌ ବୋଲି ଚର୍ଚ୍ଚା ହେଉଛି। ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ନିଯୋଗ ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ନଥିବାରୁ ଏଥର ହବିଷ୍ୟାଳିମାନେ ଏକାମ୍ର କ୍ଷେତ୍ରକୁ ଆସିବାକୁ ମନ କରିବେ ନାହିଁ ବୋଲି ଜଣାପଡ଼ିଛି।

କୁମାର ପୂର୍ଣ୍ଣିମା ପରଦିନରୁ ଆରମ୍ଭ ହୁଏ କାର୍ତ୍ତିକ ବ୍ରତ। ତେଣୁ ହବିଷ୍ୟାଳିମାନେ କୁମାର ପୂର୍ଣ୍ଣମୀ ଦିନରୁ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି। ସେମାନେ ଧର୍ମଶାଳାରେ ଅବସ୍ଥାନ କରନ୍ତି ଓ ପ୍ରତିଦିନ ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରକୁ ଯାଇ ଦର୍ଶନ କରନ୍ତି। ଏମିତି ମାସକଯାକ ଚାଲେ। ଧର୍ମଶାଳା ପରିସର ହବିଷ୍ୟାଳିଙ୍କ ଗୀତ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୁଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ବଳବତ୍ତର ରହିଥିବାରୁ ଘରେ ରହିବାକୁ ବାଧ୍ୟ ହେବେ ହବିଷ୍ୟାଳିମାନେ। ଭୁବନେଶ୍ବରରେ କରୋନା ସଂକ୍ରମଣ କମୁ ନାହିଁ। ତେଣୁ ବୟସ୍କ ମହିଳାମାନଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ମିଳିବ ନାହିଁ। ଏ ଭିତରେ ମନ୍ଦିର ଖୋଲିଲେ ମଧ୍ୟ ହବିଷ୍ୟାଳିଙ୍କୁ ଆସିବା ପାଇଁ ବାରଣ କରାଯିବ ବୋଲି ଜଣାପଡ଼ିଛି। ବହୁ ଦିନ ହେଲା ଠାକୁର ଦର୍ଶନ କରିନଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବେ। କଟକଣା ସତ୍ତ୍ବେ ମନ୍ଦିରରେ ଭିଡ଼ ହେବ। ତେଣୁ ବୟସ୍କ ହବିଷ୍ୟାଳିମାନେ କରୋନା ସଂକ୍ରମଣର ଶିକାର ହେବା ସମ୍ଭାବନା ଅଧିକ।

ହବିଷ୍ୟାଳିମାନଙ୍କ କହିବା ଅନୁଯାୟୀ, ଏକାମ୍ର କ୍ଷେତ୍ରରେ ରହି ବ୍ରତ ପାଳିବା ଏକ ସ୍ବତନ୍ତ୍ର ବିଧି। ଧର୍ମଶାଳାରେ ରହଣି ଭିତରେ ଭୋର ୪ଟାରୁ ଉଠି ସ୍ନାନ କରିବା ଓ ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ପୂଜା କରିବା ଅନୁଭବ ନିଆରା। ଏଠାରେ ଅନନ୍ତ ବାସୁଦେବଙ୍କ ଦର୍ଶନ ମିଳେ। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବହୁ ଦେବଦେବୀଙ୍କ ଦର୍ଶନ କରିବା ସହ ସଞ୍ଜ ସଳିତା ଦେଇ ଆଳତୀ କରିବା ସୁଯୋଗ ମିଳେ। ସେହିଭଳି ଏଠାରେ ଅବଢ଼ା ପ୍ରସାଦ ସେବନ କରିବାକୁ ମିଳେ। ତେଣୁ ଘରେ ରହି ବ୍ରତ ପାଳନ କଲେ, ଏସବୁ ପୁଣ୍ୟ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। ମହାମାରୀ କରୋନା ହବିଷ୍ୟାଳିଙ୍କ ମାନସିକ ବ୍ରତରେ ବାଧକ ସାଜିଲା ବୋଲି ସେମାନେ ବଡ଼ ବ୍ୟଥିତ ହୋଇ କହିଛନ୍ତି।

ମନ୍ଦିର ଖୋଲିବା ସପକ୍ଷରେ ନାହିଁ ନିଯୋଗ
ରାଜ୍ୟରେ କିଛି ପ୍ରସିଦ୍ଧ ଉପାସନାସ୍ଥଳୀକୁ ଖୋଲିବା ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଦୀର୍ଘ ୭ ମାସ ପ‌ରେ ମନ୍ଦିର ଖୋଲିବା କଥା ଭକ୍ତମାନଙ୍କ ମନରେ ଖୁସି ଭରି ଦେଇଛି। କିନ୍ତୁ ଏବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ଲିଙ୍ଗରାଜ ମନ୍ଦିରର ସେବାୟତମାନେ। କରୋନା ସମୟରେ ମନ୍ଦିର ଖୋଲିବା ପଦକ୍ଷେପ ଠିକ୍‌ ନୁହେଁ ବୋଲି ପୂଜାପଣ୍ଡା ନିଯୋଗ ସଭାପତି କାଶୀନାଥ ପୂଜାପଣ୍ଡା କହିଛନ୍ତି। ପୁରୁଣା ଭୁବନେଶ୍ୱରରେ ଏବେ ଘରେ ଘରେ କରୋନା। ଲୋକେ ଚିକିତ୍ସିତ ହେଉଛନ୍ତି। ମନ୍ଦିରର ୮୦ ପ୍ରତିଶତ ସେବାୟତ ମଧ୍ୟ କରୋନା ଔଷଧ ଖାଉଛନ୍ତି। ମନ୍ଦିର ଖୋଲିଲେ, ଭକ୍ତମାନେ ମାନିବେନି। ବିନା ସତର୍କତାରେ ମନ୍ଦିରରେ ପ୍ରବେଶ କରିବେ। ଫଳରେ ସଂକ୍ରମଣ ବଢିବ। ଏନେଇ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କୁହନ୍ତି ଯେ ମନ୍ଦିର ଖୋଲିଲେ ଭିଡ଼ ହେବ। ସେବାୟତମାନେ କରୋନାରେ ଆକ୍ରାନ୍ତ ହେବେ। ଏହା ପରେ ସେବାୟତ ମନ୍ଦିର ଆସିପାରିବେ ନାହିଁ। ଫଳରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହୋଇଯିବ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦିଆନଯାଉ। ସମାନ କଥା ଦୋହରାଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି। ସ୍ଥିତି ସ୍ୱାଭାବିକ ନହେବା ଯାଏ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ନ ମିଳୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe